ଏମକେସିଜି ମେଡିକାଲ ହସପିଟାଲ ର ପ୍ରମୁଖ ସମସ୍ୟା ନେଇ ବ୍ରହ୍ମପୁର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବଡ ମେଡିକାଲ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା

0
395

ବ୍ରହ୍ମପୁର,୧୬/୦୫/୨୦୨୨:
ବ୍ରହ୍ମପୁର ସହର ସମେତ ଦକ୍ଷିଣ ଓଡିଶା ର ଜନସାଧାରଣ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁର ସହରର ଏମ୍.କେ.ସି.ଜି ମେଡିକାଲ କଲେଜ ଏବଂ ହସପିଟାଲ ଗତ କିଛି ଦିନ ଧରି ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛି। ଏହି ସମସ୍ୟାର ସମାଧାନ ତଥା ସରକାର ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆଜି ସକାଳ ୭ ଟା ଠାରୁ ୮ ଟା ପର୍ଯ୍ୟନ୍ତ ବଡ ମେଡିକାଲର ମୁଖ୍ୟ ଫାଟକ ସମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଥିଲା।ଏଥିରେ ବ୍ରହ୍ମପୁର ସହରର ସମସ୍ତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ସାମିଲ ହୋଇଥିଲେ। ଏମ୍.କେ.ସି.ଜି ମେଡିକାଲରେ ଖାଲି ରହିଥିବା ଡାକ୍ତର ପଦବୀ ତୁରନ୍ତ ପୂରଣ କରାଯିବା, ଏଠାରେ ତୁରନ୍ତ ଟ୍ରମା କେୟାର ସେଣ୍ଟର ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା, ଏମ୍.କେ.ସି.ଜି ମେଡିକାଲରେ ବର୍ଣ୍ଣକେୟାର ୟୁନିଟ୍ ଖୋଲାଯିବା ଏବଂ କାଜୁଆଲଟି ରେ ବରିଷ୍ଠ ଅଭିଜ୍ଞ ଡାକ୍ତର ନିଯୁକ୍ତି କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା ଇତ୍ୟାଦି ୪ ଦଫା ଦାବି ରେ ଏହି ଶାନ୍ତିପୂର୍ଣ୍ଣ ଧାରଣ ଅନୁଷ୍ଠିତ ହୋଇଥିଲା।ଏପରିକି ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ବଡ ମେଡିକାଲ ରେ ବିପର୍ଯ୍ୟସ୍ତ ରୋଗୀ ସେବା ଏବଂ ଡାକ୍ତର ଅଭାବ ସମସ୍ୟାକୁ ନେଇ ଆସନ୍ତା ୧୭,୧୮,୧୯ ତାରିଖରେ ଧାରଣା ଦେବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି।ଏଥିପାଇଁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଦୁଇ ଦୁଇ ଥର ପ୍ରସୃତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଠାରେ ଉଲ୍ଲେଖଯୋଗ୍ୟ ଯେ,ବ୍ରହ୍ମପୁର ଏମକେସିଜି ମେଡିକାଲ ଓ ହସପିଟାଲ ଓଡ଼ିଶାର ସର୍ବପୁରାତନ ଏବଂ ଦକ୍ଷିଣ ଓଡ଼ିଶାର ରେଫେରାଲ ହସପିଟାଲ ଭାବେ ଯେତିକି ଗୁରୁତ୍ୱ ରହିବା କଥା ,ତାହା ବର୍ତ୍ତମାନ ସମୟରେ ଆଉ ନାହିଁ।ଏହାର ପ୍ରମୁଖ କାରଣ ମଧ୍ୟ ରେ ସରକାରଙ୍କ ଆନ୍ତରିକତା ର ଅଭାବ ରହିଥିବା ପରିଲକ୍ଷିତ ହେଉଛି।ବିଭିନ୍ନ ସମସ୍ୟା ମଧ୍ୟ ରେ ଥିବା ଏହି ବଡ ମେଡ଼ିକାଲ କୁ ବର୍ତ୍ତମାନ ଦୀର୍ଘ ଦିନ ଧରି ଅବହେଳିତ କରାଯାଉଛି।ବର୍ତ୍ତମାନ ଏହି ବଡ ଡାକ୍ତରଖାନା ଟି କେବଳ ବଡ ବଡ କୋଠା ରେ ସୀମିତ ରହିଯାଇଛି।କେତେବେଳେ ଡାକ୍ତର ଅଭାବ ତ କେତେବେଳେ ଟେକନସିଆନ, ଯନ୍ତ୍ରପାତି ର ଅଭାବ।ଦକ୍ଷିଣ ଓଡ଼ିଶାର ଜନସାଧାରଣ ଙ୍କୁ ସେବା ଯୋଗାଇବା ରେ ବର୍ତ୍ତମାନ ଏହି ବଡ ମେଡିକାଲ ବିଫଳ ହୋଇଛି। ପୂର୍ବରୁ ଏହି ମେଡିକାଲ ବିଭିନ୍ନ ସମସ୍ୟା କୁ ନେଇ ବହୁବାର ଜନ ଆନ୍ଦୋଳନ ହୋଇଥିଲେ ସୁଦ୍ଧା ଏହାର ସୁଧାର ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ।ରାଜ୍ୟରେ ବର୍ତ୍ତମାନ ର ସରକାର ୨୨ବର୍ଷ ଧରି ଶାସନ କରୁଥିବା ବେଳେ ସରକାରୀ ଦଳର ବିଧାୟକ ଏଠାରୁ ନିର୍ବାଚିତ ହୋଇଯାଉଛନ୍ତି। ଏହା ସତ୍ତ୍ୱେ ମଧ୍ୟ ଏହି ବଡ ମେଡିକାଲ ର ସମସ୍ୟା ରେ ସୁଧାର ଆସିବା କିମ୍ବା ଡାକ୍ତର ଅଭାବ କୁ ପୁରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ହୋଇପାରିଲା ନାହିଁ।ଏହାଠାରୁ ବିଡମ୍ବନା ବିଷୟ ଆଉ କ’ଣ ହୋଇପାରେ।ବୋଧହୁଏ ବ୍ରହ୍ମପୁର ବିଧାୟକ ମଧ୍ୟ ବଡ ମେଡିକାଲ ର ବିପର୍ଯ୍ୟସ୍ତ ଅବସ୍ଥାରେ ଉନ୍ନତି ଆଶା ଛାଡି ଏଠାକାର କିଛି ରୋଗୀ ଙ୍କୁ ନିଜର ସହଯୋଗୀ ଙ୍କ ଜରିଆରେ ବିଶାଖାପାଟଣା କୁ ନେଇ ଚିକିତ୍ସିତ କରିବା ଘଟଣା ଆହୁରି ମନ କୁ ଆନ୍ଦୋଳିତ କରୁଛି।ଖୋଦ୍ ମୂଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ରେ ସ୍ବାସ୍ଥ୍ୟ ସେବା ଅବସ୍ଥା ଉଦବେଗ ଜନକ ଥିବା ବେଳେ ଏଠାରୁ ରୋଗୀ ଉପଯୁକ୍ତ ସେବା ନପାଇ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା କୁ ଯାଇ ଚିକିତ୍ସିତ ହେଉଛନ୍ତି।ରାଜ୍ୟ ମୁଖିଆ ବ୍ରହ୍ମପୁର ସହର ର ବିକାଶ ମୋର ଦାୟିତ୍ୱ ବୋଲି ଡିଣ୍ଡିମ ପିଟୁଥିବା ବେଳେ ବଡ ମେଡିକାଲ ର ଅବସ୍ଥା ବା ସମସ୍ୟା କେମିତି ତାଙ୍କରି ନଜର କୁ ଆସୁନାହିଁ ଯେ,ବ୍ରହ୍ମପୁର ସହର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବଡ ମେଡ଼ିକାଲ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବା ପର୍ଯ୍ୟନ୍ତ କଥା ଯାଉଛି।ରାଜ୍ୟ ସରକାରଙ୍କ ପାଇଁ ଏପରି ଲଜ୍ଜା ଜନକ ପରିସ୍ଥିତି ଠାରୁ ଅଧିକ ଆଉ କ’ଣ ହୋଇପାରେ।

LEAVE A REPLY

Please enter your comment!
Please enter your name here