ତାପସଙ୍କ ଚାଷରେ ରୁଚି, ବାଇଗଣ ଚାଷ କରି ବର୍ଷକୁ ରୋଜଗାର କରୁଛନ୍ତି ୮ ରୁ ୧୦ ଲକ୍ଷ ଟଙ୍କା

0
262

ବ୍ରହ୍ମପୁର,୧୮/୦୫/୨୦୨୨ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବଡ଼ ଖଇରଖମା ପଞ୍ଚାୟତ ପାଇକପଡା ଗ୍ରାମର ତାପସ କୁମାର ନାୟକ ପେଷାରେ ଜଣେ ବ୍ୟବସାୟୀ । କିନ୍ତୁ ରୁଚି ତାଙ୍କର ଚାଷ କାମ କରିବା । ତେଣୁ ନିଜସ୍ୱ ପ୍ରଚେଷ୍ଟାରେ ପନିପରିବା ଚାଷ କରି ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାତା ପାଲଟିଛନ୍ତି । ପରିବା ଚାଷ କରି ବହୁତ କିଛି ଉପାର୍ଜ୍ଜନ କରିବା ଯଦିଓ ତାଙ୍କର ଲକ୍ଷ୍ୟ ନୁହେଁ, ତେବେ ଜଣେ ଶିକ୍ଷିତ ଯୁବକ ଭାବେ ସାଧାରଣ ଚାଷୀଙ୍କୁ ସଚେତନ କରାଇବା ତାଙ୍କର ମୁଖ୍ୟ ଲକ୍ଷ୍ୟ। ଚାଷରେ ସଫଳ ହେବା ସହ ଭଲ ଦି ପଇସା ରୋଜଗାର କରିବା ସହ ୧୨ ରୁ ୧୪ ପରିବାର କୁ ରୋଜଗାର କ୍ଷମ କରିପାରିଛନ୍ତି । ପାଖାପାଖି ୩ ଏକର ଜମିରେ ବାଇଗଣ, ବିଲାତି, କଲରା, ପୋଟଳ ,ଲଙ୍କା, କୁନ୍ଦୁରି ଚାଷ କରିଛନ୍ତି ତାପସ। ଆଉ ଏଥିରେ ତାଙ୍କୁ ୧୨ ରୁ ୧୪ ପରିବାରର ଲୋକ ଆସି କାମ କରି ତାପସଙ୍କୁ ସହଯୋଗ କରିବା ସହ ଔଷଧ ସିଂଚନ ଠାରୁ ଘାସ ବଛା ଏବଂ ଅମଳ ବେଳେ ଗଛରୁ ବାଇଗଣ ତୋଳିବା କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି । ଏହା ସହ ନିଜ ପରିବାର ପ୍ରତିପୋଷଣରେ ସହାୟକ ହେଉଥିବା ସେମାନେ କହୁଛନ୍ତି । ମଂଞ୍ଜି କିଣା ଠାରୁ ଚାରା ପ୍ରସ୍ତୁତି ଓ ଚାରା ରୋପଣ ଠାରୁ ଫଳ ଉତ୍ପାଦନ ପର୍ଯ୍ୟନ୍ତ ଔଷଧ ଓ ସାର ଆଦି କିଣାକିଣିରେ ଖର୍ଚ୍ଚ କରିବାକୁ ପଡେ ତାପସଙ୍କୁ । ଗୋଟିଏ ଗଛରୁ ହାରାହାରି ୧୫ କେଜି ବାଇଗଣ ଉତ୍ପାଦନ ହୋଇଥାଏ । ବାଇଗଣ ଚାଷରୁ ବାର୍ଷିକ ସର୍ବନିମ୍ନ ୮ ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ତାପସ ପ୍ରକାଶ କରିଛନ୍ତି । ସୌର ଶକ୍ତିରୁ ବିଦ୍ୟୁତ ଉତ୍ପାଦନ କରି ପାଣି ଉଠାଇବା ସହ ବିଦ୍ୟୁତ ଚାଳିତ ଚାଷ ବ୍ୟବହୃତ ଯନ୍ତ୍ରପାତି ବ୍ୟବହାର କରୁଛନ୍ତି ତାପସ । ଅନ୍ୟପକ୍ଷରେ ତାପସ ନିଜେ ସଫଳ ହେବା ପରେ ସ୍ଥାନୀୟ ଅଂଚଳର ଯୁବକ ମାନେ ଆଉ ବାହାରକୁ ଖଟିବାକୁ ନଯାଇ ଚାଷ କାମରେ ମନୋନିବେଶ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଆଉ ଏବେ ଚାଷରେ ସଫଳ ହେବା ପରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

LEAVE A REPLY

Please enter your comment!
Please enter your name here