ସର୍ବପୁରାତନ ସାପ୍ତାହିକ ‘ନବୀନ’ର ୯୩ତମ ସ୍ୱନକ୍ଷତ୍ର ଦିବସ ପାଳିତ। ପକ୍ଷପାତିତାକୁ ଛାଡ଼ି ସମର୍ପଣର ସହ କାମ କରିଛି “ନବୀନ”: ରାଜ୍ୟପାଳ

0
249

ଭୁବନେଶ୍ଵର, ୦୪/୦୮/୨୦୨୨: ୧୯୩୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତରେ ପୂର୍ଣ୍ଣ ସ୍ଵରାଜ ଘୋଷଣା କରାଯାଇଥିଲା। ସେତେବେଳେ ଦେଶ ସ୍ଵାଧନୀତା ପାଇଁ ସଂଗ୍ରାମ କରୁଥିଲା । ଏହାର ପୂର୍ବରୁ ‘ନବୀନ’ ସମ୍ବାଦପତ୍ର ଆରମ୍ଭ ହୋଇଥିଲା। ଦେଶର ସ୍ୱାଧୀନତା ସଂଗ୍ରାମ ଓ ଭାଷା ପାଇଁ ଏହାର ବେଶ୍ ଅବଦାନ ଥିଲା । ସବୁ ପକ୍ଷପାତିତାକୁ ଛାଡି ସମର୍ପଣର ସହ ଏଯାବତ୍ ନିରବଚ୍ଛିନ୍ନ ଭାବେ ପରିପ୍ରକାଶ କରିଆସୁଛି ନବୀନ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ରାଜ୍ୟର ସର୍ବପୁରାତନ ସାପ୍ତାହିକ ସମ୍ବାଦପତ୍ର ‘ନବୀନ’ର ୯୩ତମ ସ୍ୱନକ୍ଷତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ।ଆଜି ସ୍ଥାନୀୟ ଜୟଦେବ ଭବନଠାରେ ‘ନବୀନ’ର ୯୩ତମ ସ୍ୱନକ୍ଷତ୍ର ଦିବସ ଅବସରରେ ଏକ ବର୍ଣାଜ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହି ସ୍ଵାର୍ଥମୁକ୍ତ ଓ ଶ୍ରଦ୍ଧାଯୁକ୍ତ ଖବର ପରିବେଷଣ କରି ଆସୁଥିବାରୁ ‘ନବୀନ’ର ସମ୍ପାଦକ ବରିଷ୍ଠ ସାମ୍ବାଦିକ ରବି ରଥ ଓ ଏହାର ସମସ୍ତ ପ୍ରାକ୍ତନ ସମ୍ପାଦକଙ୍କୁ ଧନ୍ୟବାଦ ଦେଇଥିଲେ। ‘ସତ୍ୟମ୍, ଶିବମ୍, ସୁନ୍ଦରମ୍’ ଏହି ମନ୍ତ୍ରକୁ ସମସ୍ତ ଗଣମାଧ୍ୟମ ଅନୁସରଣ କଲେ ଲୋକଙ୍କ ପାଖରେ ନିଶ୍ଚୟ ଆଦୃତ ହେବ। କୋଭିଡ୍ ଯୋଗୁ ଗଣମାଧ୍ୟମ ଶିଳ୍ପ ଅନେକ ସମସ୍ୟା ଦେଇ ଗତି କରୁଛି ସତ । କିନ୍ତୁ ଆପଣ ଭଗବାନଙ୍କ ଉପରେ ବିଶ୍ବାସ କରନ୍ତୁ ବା କରନ୍ତୁ ଯଦି ସତ୍ୟ, ଶିବ ଓ ସୁନ୍ଦର ମନ୍ତ୍ରରେ ଭଲ ଓ ନୈତିକତାପୂର୍ଣ୍ଣ ଖବର ପରିବେଷଣ କରିବେ ଲୋକେ ତାକୁ ନିଶ୍ଚୟ ଗ୍ରହଣ କରିବେ।ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ, ଗତ କିଛି ଦିନ ତଳେ ମାନ୍ୟବର ସୁପ୍ରିମକୋର୍ଟ ଦେଶର ଗଣମାଧ୍ୟମକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ। ଏଥିରେ ଛାପା ବା ମୁଦ୍ରିତ ଗଣମାଧ୍ୟମ ନୈତିକତା ର ପରିସୀମା ଭିତରେ ରହି କାମ କରୁଛି ବୋଲି ମନ୍ତବ୍ୟ ଦେଇଥିଲେ। ଏହା ଶୁଭ ସୂଚନା। ମୁଦ୍ରିତ ଗଣମାଧ୍ୟମ ବା ଖବରକାଗଜ ର ଯେଉଁ ସ୍ୱତନ୍ତ୍ରତା

ଥିଲା ତାହା ସବୁବେଳେ ବଜାୟ ରହିବ। ଖବରର ଦୌଡରେ ଏହା ଆଦୌ ଫିକା ପଡିବନି। ଟିଭି ଓ ସାମାଜିକ ଗଣମାଧ୍ୟମରେ ଯେତେ ଖବର ଦେଖିଲେ ବି ସକାଳୁ ଖବରକାଗଜ ନ ପଢିଲେ ଭଲ ଲାଗେନି ବୋଲି ମନ୍ତ୍ରୀ କହିଥିଲେ।”ସମ୍ବାଦ” ର ସମ୍ପାଦକ ତଥା ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କହିଥିଲେ, ବିଜ୍ଞାନ ଏବେ ଖବର ପହଞ୍ଚାଇବାର ଅନେକ ବିକଳ୍ପ ସୃଷ୍ଟି କରିଛି । ଛାପା କାଗଜର ଚାହିଦା କମୁଛି । ଦୈନିକ ସମ୍ବାଦପତ୍ର ବି ବାସି ହୋଇଗଲାଣି । ତେବେ ଏଭଳି ସ୍ଥିତିରେ ଖବର ପଛର ଖବରକୁ ତର୍ଜମା କରି ଖବର ପରିବେଷଣ କଲେ ସାପ୍ତାହିକର ସ୍ଥିତିରେ ସୁଧାର ଆସିପାରିବ ବୋଲି ସେ ମତ ରଖିଥିଲେ। ତେବେ ରାଜନୀତି ହେଉ କି ସମ୍ବାଦପତ୍ର ବା ନିଜସ୍ୱ ମତ ଦେବାର ଅଧିକାର ମାଧ୍ୟମରେ ସମାଜର ତ୍ରୁଟି ଦେଖାଇବା ଅଭ୍ୟାସ ଜାରି ରହୁ। ତ୍ରୁଟି ଦେଖାଇବାରୁ ପଛକୁ ହଟିବା ଉଚିତ ନୁହେଁ । ତ୍ରୁଟି ବାହାରିଲେ
ଏହାକୁ ସୁଧାରି ହେବ । ପ୍ରଶ୍ନ କରିବାର ଅଧିକାର ଆଦୌ ବ୍ୟାହତ ହେବା ଉଚିତ ନୁହେଁ ବୋଲି ଶ୍ରୀପଟ୍ଟନାୟକ କହିଛନ୍ତି । କେବେ ଓଡ଼ିଆ ଭାଷାର ଶତ୍ରୁ ଅନ୍ୟ କେଉଁଠି ନୁହେଁ ବରଂ ଆମ ନିଜ ଭିତରେ ସୃଷ୍ଟି ହେଲାଣି। ଇଂରାଜୀ ନ ପଢିଲେ ପିଲା ଆଗକୁ ଯିବନି । ଏ ଧାରଣା ବଦଳୁ। ପିଲା ଇଂରାଜୀ ସହିତ ନିଜ ମାତୃଭାଷା ଓଡିଆ ପଢିବାର ଅନେକ ଗୁରୁତ୍ବ ରହିଛି ବୋଲି ସେ କହିଛନ୍ତି ।ଓଡ଼ିଶା ପର୍ଯ୍ୟଟନ ନିଗମର ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ତାଙ୍କ ବକ୍ତବ୍ୟରେ ଅଯଥା ତ୍ରୁଟି ଦେଖାଇବାରୁ ବିରତ ରହିବାକୁ ମତ ଦେଇଥିଲେ। ‘ନବୀନ’ ସମ୍ବାଦପତ୍ର ତାର ସମୃଦ୍ଧସମ୍ପନ୍ନ ଇତିହାସକୁ ଆଗାମୀ ଦିନରେ ବଜାୟ ରଖୁ ବୋଲି ସେ କହିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ବରିଷ୍ଠ ସାମ୍ବାଦିକ ତଥା ‘ନବୀନ’ର ସମ୍ପାଦକ ରବି ରଥ ସ୍ଵାଗତ ଭାଷଣା ଦେଇଥିଲେ। “ନବୀନ” ଖାଲି ଦକ୍ଷିଣ ଓଡିଶାର ସ୍ଵର ନ ଥିଲା ବରଂ ଏହା ଓଡିଶାର ସ୍ଵାଧୀନତା, ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ନିରବଚ୍ଛିନ୍ନ ପ୍ରୟାସ କରିଆସିଛି । ଆଗାମୀ ଦିନରେ ‘ନବୀନ’ର ୧୦୦ ବର୍ଷ ପୂରଣ ପାଇଁ ଆମେ ଚେଷ୍ଟା ଜାରି ରଖିବ ବୋଲି ସେ କହିଥିଲେ।ବିଜେବି କଲେଜର ପୂର୍ବତନ ପ୍ରଫେସର ତଥା ଐତିହାସିକ କୈଳାସ ଚନ୍ଦ୍ର ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ନବୀନର ଗୌରବମୟ ଇତିହାସକୁ
ଉପସ୍ଥାପନ କରିଥିଲେ। ଓଡିଶାର ପ୍ରଗତିଶୀଳ ସାହିତ୍ୟର ଧାରା “ନବୀନ”ରୁ ଆରମ୍ଭ ହୋଇଥିଲା। ରମାଦେବୀ ଓ ମାଳତୀଦେବୀଙ୍କ ସଂଘର୍ଷଠାରୁ ନେଇ ସଚ୍ଚି ରାଉତରାୟ, ରମାକାନ୍ତ ରଥ, କୁନ୍ତଳା କୁମାରୀଙ୍କ ଲେଖା ଏଥିରେ ସ୍ଥାନିତ ହେଉଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏହି ସମ୍ବାଦପତ୍ରକୁ ବେଶ୍
ଆଦର କରିବା ସହ ପ୍ରଶଂସା କରିଥିଲେ ।ଏହି କାର୍ଯ୍ୟକ୍ରମ ଅବସରରେ ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ବଡିବିଲ୍ଡର ତଥା ସମାଜସେବୀ ଏସ୍ ଅଜିତସ୍ଵାମୀ ପାତ୍ର ଓ ସମାଜସେବୀ ତଥା କୋରାପୁଟ ଶୋଭାର ସମ୍ପାଦକ ସଞ୍ଜିତ କୁମାର ପଟ୍ଟନାୟକଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା। “ନବୀନ”ର ପ୍ରକାଶିକା ମଞ୍ଜୁ ରଥ କାର୍ଯ୍ୟକ୍ରମକୁ ପରିଚାଳନା
କରିଥିଲେ । ବିଭିନ୍ନ କ୍ଷେତ୍ରର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here