ବ୍ରହ୍ମପୁର,୨୮/୦୯/୨୦୨୨:ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ସଂଗଠନ ” ମା’ କୁରେଈଶୁଣୀ ଲୋକ କଳା ନିର୍ଦ୍ଦେଶକ ସଂଘ”ର ଏକ ସାଙ୍ଗଠନିକ ବୈଠକ ବ୍ରହ୍ମପୁର ସହର ଉପକଣ୍ଠ ସ୍ଥିତ ଭାଲିଆଗଡ ବିଶ୍ଵକର୍ମା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଗୁରୁ ଜି. ରାଜେନ୍ଦ୍ର ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଏବଂ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଅତିଥି ଭାବରେ ଯୋଗଦେଇ ସମାଜରେ ନାଟ୍ୟ ଗୁରୁମାନଙ୍କ ମହାର୍ହ ଭୂମିକା ସମ୍ପର୍କରେ ସବିଶେଷ ଆଲୋଚନା ସହ ଆମ ନାଟକ ଅପସଂସ୍କୃତି ରହିତ ପରିବେଷଣ ନିମନ୍ତେ ଉପସ୍ଥିତ ନାଟ୍ୟ ଗୁରୁମାନଙ୍କୁ ଦୀକ୍ଷିତ କରାଇଥିଲେ । ସର୍ବ ପ୍ରଥମେ ସଂଘର ଦିବଂଗତ ଗୁରୁମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ସମୂହ ନୀରବ ପ୍ରାର୍ଥନା କରାଯାଇଥିଲା ।କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟ ବର୍ଷିଆନ୍ ନାଟ୍ୟ ଗୁରୁ ଉଦୟନାଥ ମହାରଣାଙ୍କ ତତ୍ତ୍ଵାବଧାନ ରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ତଦନୁସାରେ ଗୁରୁ ଧର୍ମରାଜ ସ୍ୱାଇଁ ସଭାପତି, ଗୁରୁ ଶଙ୍କର୍ଷଣ ବେହେରା ଉପ ସଭାପତି, ଗୁରୁ ବୁଲୁ ସାହୁ ସମ୍ପାଦକ, ଗୁରୁ ସନାତନ ନାୟକ ଯୁଗ୍ମ ସମ୍ପାଦକ ଏବଂ ଗୁରୁ ସନ୍ତୋଷ କୁମାର ପ୍ରଧାନ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ଚୟିତ ହୋଇଥିବା ବେଳେ ଗୁରୁ ସକଳେଶ୍ଵର ରାଉଳ, ଗୁରୁ ସଞ୍ଜୟ କୁମାର ବିଷୋୟୀ, ଗୁରୁ ବିନୟ ପ୍ରଧାନ, ଗୁରୁ ଇନ୍ଦ୍ରମଣି ସାସମଲ, ଗୁରୁ ପ୍ରଦୀପ ବେହେରା ଏବଂ ଗୁରୁ ରଞ୍ଜନ ବିଷୋୟୀ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଅନୁଷ୍ଠାନ ପକ୍ଷରୁ ନାଟ୍ୟ ଗୌରବ ଡ଼ା. ତିରୁପତି ସାହୁ, ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍, ଗୁରୁ ଉଦୟନାଥ ମହାରଣା, ଗୁରୁ ଜି. ରାଜେନ୍ଦ୍ର ରେଡ୍ଡୀ, ଗୁରୁ ଗୋପାଳ ସେଠୀ ପ୍ରମୁଖଙ୍କୁ ସଂଘ ଉପଦେଷ୍ଟା ଭାବେ ନିମନ୍ତ୍ରିତ କରାଯାଇଥିଲା । ପରିଶେଷରେ ଗୁରୁ ବନଜ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।