ବ୍ରହ୍ମପୁର,୩୦/୧୦/୨୦୨୨: ଓଡ଼ିଆ ମଧ୍ୟକାଳୀନ ସାହିତ୍ୟ ବିବିଧ ବୈଚିତ୍ର୍ୟ ମଣ୍ଡିତ ବର୍ଣ୍ଣାଳୀରେ ପରିପୂର୍ଣ୍ଣ l ଓଡ଼ିଆ ବ୍ୟତିରେକ ଅନ୍ୟ କୌଣସି ଭାରତୀୟ ମଧ୍ୟକାଳୀନ ଭାରତୀୟ ଭାଷା-ସାହିତ୍ୟରେ ୩0ରୁ ଊର୍ଦ୍ଧ୍ଵ ପ୍ରାରୂପ ଦେଖିବାକୁ ମିଳେ ନାହିଁ ବୋଲି ମଧ୍ୟକାଳୀନ ଓଡ଼ିଆ ସାହିତ୍ୟର ଯଶସ୍ବୀ ଗବେଷକ ପ୍ରଫେସର୍ ସୁଦର୍ଶନ ଆଚାର୍ଯ୍ୟ ଆଭାସୀ ମାଧ୍ୟମରେ ସଂଯୁକ୍ତ ହୋଇ ମତବ୍ୟକ୍ତ କରିଛନ୍ତି lନିଖିଳ ଭାରତ ଓଡ଼ିଆ ଅଧ୍ୟାପକ ସମ୍ମେଳନ ଓ ଶଶିଭୂଷଣ ରଥ ସରକାରୀ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକଦିବସୀୟ ଜାତୀୟ ପାଠଚକ୍ରରେ ମଧ୍ୟକାଳୀନ ଓଡ଼ିଆ ସାହିତ୍ୟର ପ୍ରାରୂପ ସମ୍ପର୍କରେ ବହୁ ବିଶିଷ୍ଟ ବକ୍ତା ଭିନ୍ନ ଭିନ୍ନ ଦିଗରୁ ଆଲୋଚନା କରିଥିଲେ lଆଜି ପୂର୍ବାହ୍ଣ ଦଶଟା ସମୟରେ ମହିଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ପାଠଚକ୍ରକୁ ଉଦ୍ରଘାଟକ ରୂପେ ଯୋଗଦେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ l ଉଦ୍ଘାଟନୀ ଭାଷଣରେ ସାଂସଦ ଶ୍ରୀ ସାହୁ କହିଥିଲେ, ଆମେ ଓଡ଼ିଆ ଅଧ୍ୟାପକମାନଙ୍କୁ ସମ୍ମାନିତ କରିବା ପାଇଁ ଆସିଛୁ l ଏ ମହାବିଦ୍ୟାଳୟ ଯାହାଙ୍କ ନାମରେ ନାମିତ ହୋଇଛି, ସେ ହେଉଛନ୍ତି ଶଶିଭୂଷଣ ରଥ l ଓଡ଼ିଆ ଭାଷା ଭିତ୍ତିକ ପ୍ରଦେଶ ଗଠନରେ ତାଙ୍କର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ବର୍ତ୍ତମାନ ବିଶ୍ୱ ମୁକ୍ତ ଅର୍ଥନୀତିରେ ଅନେକ ଭାଷା ଓ ସଂସ୍କୃତି ବିପଦାପନ୍ନ ; ସେହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଆମ ସମସ୍ତଙ୍କୁ କଠୋର ପରିଶ୍ରମ କରିବାକୁ ହେବ l ଓଡ଼ିଆ ଜାତିର ପରିଚୟ ବଞ୍ଚାଇବା ପାଇଁ ସଂଘର୍ଷ କରିବାକୁ ପଡ଼ିବ l ଏ ସମ୍ମିଳନୀ ଏ ଦିଗରେ ମାର୍ଗଦର୍ଶନ କରୁ ବୋଲି ସାଂସଦ ସାହୁ ସାହୁ ମତବ୍ୟକ୍ତ କରିଛନ୍ତି lଅଧ୍ୟାପକ ସମ୍ମେଳନ କାର୍ଯ୍ୟନିର୍ବାହୀ ସଭାପତି ଡ. ଅନନ୍ତ କିଶୋର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଅଧିବେଶନରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟଅତିଥି ରୂପେ ଯୋଗଦେଇ ଆଜିର ଆଲୋଚନା ଚକ୍ର ବର୍ତ୍ତମାନର ସମାଜ ପାଇଁ ଉପାଦେୟ ହେଉ ବୋଲି ଉଲ୍ଲେଖ କରିଥିଲେ l ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ମହାନଗରର ମେୟର୍ ଶ୍ରୀମତୀ ସଂଘମିତ୍ରା ଦଳେଇ ଯୋଗଦେଇ କହିଥିଲେ, ଭାଷା ମାଟିର ପରିଚୟ l ଏ ପରିଚୟ ବଂଚେଇ ରଖିବା ପାଇଁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ l ଅନ୍ୟତମ ସମ୍ମାନିତ ଅତିଥି ରୂପେ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରଫେସର୍ ମନ୍ମଥ ପାଢ଼ୀ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର୍ ପ୍ରସନ୍ନ କୁମାର ସ୍ୱାଇଁ ନିଜ ନିଜ ବକ୍ତବ୍ୟରେ କହିଥିଲେ, ଗଞ୍ଜାମକୁ ଛାଡ଼ି ମଧ୍ୟକାଳୀନ ସାହିତ୍ୟ ଆଲୋଚନା ଅସମ୍ଭବ lମଧ୍ୟକାଳୀନ ସାହିତ୍ୟର ବିଶିଷ୍ଟ ଗବେଷକ ଡ. କମ୍ବୁପାଣି ସାମନ୍ତ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିବା ବେଳେ ଶଶିଭୂଷଣ ରଥ ସରକାରୀ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. କାହ୍ନୁଚରଣ ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଓଡ଼ିଆ ଅଧ୍ୟାପକ ସମ୍ମେଳନ ସାଧାରଣ ସମ୍ପାଦକ ଡ. ରମେଶ ଚନ୍ଦ୍ର ବେହେରା ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ l ଡ. ରବୀନ୍ଦ୍ର କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଅଧିବେଶନରେ ଡ. ଚିତ୍ତରଞ୍ଜନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।’ଓଡ଼ିଆ ମଧ୍ୟକାଳୀନ ସାହିତ୍ୟର ପ୍ରାରୂପ’ ଶୀର୍ଷକ ଏହି ଏକଦିବସୀୟ ଜାତୀୟ ପାଠଚକ୍ରର ପ୍ରଥମ ବୈଷୟିକ ଅଧିବେଶନରେ ପ୍ରଫେସର୍ କୃଷ୍ଣଚନ୍ଦ୍ର ପ୍ରଧାନ ପୌରୋହିତ୍ୟ କରିଥିଲେ ଏବଂ ଡ. କୁଳମଣି ଓଝା ସମୀକ୍ଷକ ରୂପେ ଯୋଗଦେଇ ପଠିତ ପ୍ରବନ୍ଧଗୁଡ଼ିକର ସମୀକ୍ଷା କରିଥିଲେ l ଏହି ଅଧିବେଶନରେ ପ୍ରଫେସର୍ ସଦାନନ୍ଦ ନାୟକ, ଡ. ବନମାଳୀ ପାଣିଗ୍ରାହୀ, ଡ. ବିଜୟଲକ୍ଷ୍ମୀ ଦାଶ, ଡ. ଆଶିଷ କୁମାର ସାହୁ, ଶ୍ରୀ ପ୍ରିୟରଞ୍ଜନ ଦାଶ, ଡ. ବାସନ୍ତୀ ମହାନ୍ତି, ଡ. ଅଜୟ କୁମାର ତ୍ରିପାଠୀ, ଡ. ବିଭୂତି ଭୂଷଣ ଆଚାର୍ଯ୍ୟ, ଡ. ରଜନୀ ରଣସିଂହ, ଶ୍ରୀ ଲୋକନାଥ ମହାନ୍ତି ପ୍ରମୁଖ ପ୍ରବନ୍ଧ ଉପସ୍ଥାପନ କରିଥିଲେ l
ଡ. ବିଦ୍ୟୁତ୍ ପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଦ୍ବିତୀୟ ବୈଷୟିକ ଅଧିବେଶନରେ ବିଶିଷ୍ଟ ଭଞ୍ଜ ସାହିତ୍ୟ ବିଶାରଦ ପ୍ରଫେସର୍ ବାଉରିବନ୍ଧୁ ସାହୁ ପୌରୋହିତ୍ୟ କରିଥିଲେ ଏବଂ ଡ. କୃଷ୍ଣପ୍ରସାଦ ମହାପାତ୍ର ସମୀକ୍ଷକ ରୂପେ ଯୋଗ ଦେଇଥିଲେ ଏହି ଅଧିବେଶନରେ ଡ. ପଲ୍ଲିଶ୍ରୀ ପଟ୍ଟନାୟକ, ଡ. ରମେଶ ମଲ୍ଲିକ, ଶୁଭ୍ରା°ଶୁ ଶେଖର ବେହେରା, ଡ. ସଞ୍ଜୟ କୁମାର ପଣ୍ଡା, ଡ. ରିଙ୍କି ପ୍ରଧାନ, ଡ. ହୃଷୀକେଶ ପଣ୍ଡା, ଶ୍ରୀ ଦିବ୍ୟ ରଞ୍ଜନ ସାହୁ, ଶ୍ରୀ ସମ୍ବିତ ଶୁଭଙ୍କର ଖୁଣ୍ଟିଆ, ଡ. ଶର୍ମିଷ୍ଠା ମହାପାତ୍ର, ଡ. ଜାମ୍ବବତୀ ସାହୁ, ଡ. କୁନା ସୁନା, ଡ. ରଞ୍ଜନ କୁମାର ସେଠୀ, ଶ୍ରୀ ସନ୍ତୋଷ ଭୋଇ ଓ ଦେବାଶିଷ ମହାପାତ୍ର ପ୍ରମୁଖ ପ୍ରବନ୍ଧ ଉପସ୍ଥାପନ କରିଥିଲେ l ଶେଷରେ ଡ. ଉଷା ରଥ ଅନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସମ୍ମେଳନରେ ଓଡ଼ିଶା ବାହାର ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ଓଡ଼ିଆ ଅଧ୍ୟାପକମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l
Home ବ୍ରହ୍ମପୁର ସ୍ପେଶାଳ ବ୍ରହ୍ମପୁରରେ ନିଖିଳ ଭାରତ ଓଡ଼ିଆ ଅଧ୍ୟାପକ ସମ୍ମେଳନ ଅନୁଷ୍ଠିତ। ମଧ୍ୟକାଳୀନ ଓଡ଼ିଆ ସାହିତ୍ୟର ୩୦ରୁ ଊର୍ଦ୍ଧ୍ଵ...