ବ୍ରହ୍ମପୁର,୦୨/୧୧/୨୦୨୨: ସ୍ଥାନୀୟ ବିଜୁପଟ୍ଟନାୟକ ସଂସ୍କୃତି ଭବନଠାରେ ଚଳିତ ମାସ ୬ ଓ ୭ ଦୁଇଦିନ ବ୍ୟାପୀ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ମିଳିତ ଆନୁକୂଲ୍ୟରେ ଓ ଗଞ୍ଜାମ ଜିଲ୍ଲା ସଂସ୍କୃତି ପରିଷଦ ସହଯୋଗରେ ପଶ୍ଚିମ ଓଡ଼ିଶା ନୃତ୍ୟ ଓ ସଂଗୀତ ଉତ୍ସବ”ରଙ୍ଗବତୀ’ ଆୟୋଜିତ ହେବ । ଏହି ଉଦ୍ଦେଶ୍ୟରେ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ୍ଠାରେ
ସଂଗୀତ ନାଟକ ଏକାଡ଼େମୀର ସଦସ୍ୟ ଅନିଳ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥୁସହ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବିନାରାୟଣ ବେହେରା, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ରାଜୁ ପାଢ଼ୀ ଏବଂ ସଂସ୍କୃତି ସଂଗଠକ ତଥା ଗବେଷକ ଡ. ମିହିର କୁମାର ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ଆୟୋଜିତ ରଙ୍ଗବତୀ ଉତ୍ସବରେ କଣ୍ଠ ସଂଗୀତରେ ବଲାଙ୍ଗୀରର ନବୀନ କଅଁର, ରାଉରକେଲାର ରମେଶ ସୁନା ଓ ସାଥି ଯୋଗଦେଉଥିବା ବେଳେ ନୃତ୍ୟରେ ସୁନ୍ଦରଗଡ଼ର ଉଧବ ଭୀତିରିଆ, ସମ୍ବଲପୁରର ଜୟଶ୍ରୀ ପୁରୋହିତ ଓ ମଣ୍ଟୁ ଦୁବେ, ରତନ ପୂଜାରୀ, ବଡ଼ଗଡ଼ର ରମେଶ ବୁର୍ଲା, ଦେବରାଜ ଛତ୍ରିଆ ପ୍ରମୁଖ ଯୋଗ ଦେଇ ଦଳଗତ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବେ । ପ୍ରତ୍ୟେକ ସନ୍ଧ୍ୟାରେ ୭୦ରୁ ଊର୍ଦ୍ଧ୍ୱ କଳାକାର ନୃତ୍ୟ ଓ ସଂଗୀତ ପରିବେଷଣ କରିବେ ବୋଲି ଶ୍ରୀ ପାତ୍ର ଜଣାଇଛନ୍ତି । ପ୍ରକାଶଥାଉ କି ବିଗତ ୧୦ ବର୍ଷ ଧରି ଏହି ରଙ୍ଗବତୀ ଉତ୍ସବ ସାଂସ୍କୃତିକ ଭାବର ଆଦାନ ପ୍ରଦାନ ପାଇଁ ଅନୁଷ୍ଠିତ ହୋଇ ଆସୁଅଛି । ବ୍ରହ୍ମପୁରର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନଙ୍କୁ ଏହି ରଙ୍ଗବତୀ ଉତ୍ସବ ସଫଳ ହେବା ପାଇଁ ସହଯୋଗ କାମନା କରାଯାଇଥିଲା।ବିଭିନ୍ନ ଅନୁଷ୍ଠାନରୁ କୈଳାସ ପାଣିଗ୍ରାହୀ, ରମେଶ ମହାରଣା, ଭବାନୀ ଶଙ୍କର ମିଶ୍ର, ଏନ୍. ରାମବାବୁ, ବିମଳ କୁଣ୍ଡୁ, ରାଜଗୋପାଳ ପାଢ଼ୀ, ଆରତୀ ପାତ୍ର, ଜୟନ୍ତୀ ମିଶ୍ର, ଲିଲି ମହାରଣା, ପ୍ରତାପ ମହାପାତ୍ର, ସତ୍ୟବ୍ରତ
ଦାସ, ନଳିନୀ ଗୌଡ଼, ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଉଷାରାଣୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।