ଲାଲା ଲାଜପତ ରାୟଙ୍କ ବଳିଦାନ ଦିବସରେ ଲୋକସେବକ ମଣ୍ଡଳ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ।ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ଲୋକସେବକ ମଣ୍ଡଳକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
291

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭/୧୧/୨୦୨୨: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ଲୋକସେବକ ମଣ୍ଡଳ ଏବଂ ସମାଜ ଭଳି ସଂଗଠନ ହାତରେ ନ୍ୟସ୍ତ କରିବା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।ପଞ୍ଜାବ କେଶରୀ ଲାଲା ଲାଜପତ ରାୟଙ୍କ ବଳିଦାନ ଦିବସରେ ଲୋକସେବା ମଣ୍ଡଳ ପକ୍ଷରୁ ଲାଜପତ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅନୁରୋଧ କରିଛନ୍ତି । ସେ କହିଛନ୍ତି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା ମାଧ୍ୟମରେ ସ୍ୱରାଜ ଓ ସ୍ୱାବଲମ୍ବୀର ଚେତନା ଜାଗ୍ରତ କରିବା ପାଇଁ ୧୯୦୯ରେ ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । କିନ୍ତୁ ଏବେ ସେହି ବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ଦେଖି ଚିନ୍ତାଲାଗୁଛି । ଏହାକୁ ସାମାଜିକ ଦାୟିତ୍ୱ ଭାବରେ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଏକବିଂଶ ଶତାବ୍ଦୀର ନୂଆ ବିକଶିତ ଭାରତ ନିର୍ମାଣ କରିବା ପାଇଁ ସମାଜକୁ ସତ୍ୟବାଦୀ ବନବିଦ୍ୟାଳୟ ଚଲାଇବା ପାଇଁ ହେବ । ଯେଉଁ ମୂଲ୍ୟବୋଧ ଏବଂ ଉଦ୍ଦେଶ୍ୟରେ ବକୁଳ ବନ ବିଦ୍ୟାଳୟ ସ୍ଥାପନା ହୋଇଥିଲା, ସେହି ମୂଲ୍ୟବୋଧ ଓ ଉଦ୍ଦେଶ୍ୟକୁ ପୂରଣ କରିବା ଦିଗରେ ଆମକୁ କାର୍ଯ୍ୟ କରିବାକୁ ହେବ । ଏହା ଦ୍ୱାରା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ଲାଲା ଲାଜପତ ରାୟଙ୍କ ଭଳି ମହାପୁରୁଷଙ୍କ ସ୍ୱପ୍ନ ପୂରଣ ହୋଇପାରିବ । ଏହି ଅବସରରେ ଶ୍ରୀ ପ୍ରଧାନ ଲାଜପତ ଭବନ ପରିସରରେ ଲାଲ୍ ଲାଜପତ ରାୟଙ୍କ ଏକ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ସେ କହିଛନ୍ତି ଲାଲାଜୀ ଜଣେ ଯୁଗପୁରୁଷ ଭାବରେ ଭାରତର ସଭ୍ୟତା ଏବଂ ସଂସ୍କାରରେ ବିଦ୍ୟମାନ । ଦେଶର ସ୍ୱତନ୍ତ୍ରତା ପାଇଁ ସେ ନିଜର ସର୍ବସ୍ୱ ଦାନ କରିଦେଇଥିଲେ । ଲୋକସେବକ ମଣ୍ଡଳର ସ୍ଥାପନା ସମୟରେ ତାଙ୍କ ମନରେ ସମାଜ, ଲୋକ କଲ୍ୟାଣ ଏବଂ ଭବିଷ୍ୟତର ଭାରତ ନିର୍ମାଣ କରିବାର କଳ୍ପନା ଥିଲା । ଭାରତର ସବୁଠୁ ବଡ଼ ରାଷ୍ଟ୍ରୀୟ ନେତା ମଧ୍ୟରୁ ସେ ଥିଲେ ଅନ୍ୟତମ । ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ କାମ କରିଛନ୍ତି । ସେ ବେଦ ଆଧାରିତ ଶିକ୍ଷା ବ୍ୟବସ୍ଥାର କଳ୍ପନା କରିଥିଲେ ।ଦେଶକୁ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ପରାଧୀନ ରଖିବା ପାଇଁ ୧୮୩୫ରେ ମାକାଉଲେ ଶିକ୍ଷା ବ୍ୟବସ୍ଥା ହୋଇଥିଲା । ସେ ସମୟରେ ଲାଲା ଲାଜପତ ରାୟ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭଳି ଯୁଗଜନ୍ମା ମିଳିତ ଭାବରେ ଭାରତୀୟତା ଆଧାରରେ ଶିକ୍ଷାର ବିକଳ୍ପ ତିଆରି କରିଥିଲେ । ୧୯୨୦ରେ ନାଗପୁର କଂଗ୍ରେସରେ ପଣ୍ଡିତ ଗୋପବନ୍ଧୁ ଦାସ ଭାଷା ଆଧାରିତ ଭାରତ ଗଠନର ପ୍ରସ୍ତାବ ଦେଇଥିଲେ । ଏହା ଏକ ସୁଃଖଦ ସଂଯୋଗ, ୨୦୨୦ରେ ଯେଉଁ ଜାତୀୟ ଶିକ୍ଷା ନୀତି ଲାଗୁ କରାଯାଇଛି, ସେଥିରେ ସ୍ଥାନୀୟ ଓ ମାତୃଭାଷାରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଲୋକସେବକ ମଣ୍ଡଳ ଏବଂ ସମାଜ ଭଳି ଖବରକାଗଜ ଭାରତୀୟତା ବିଚାର, ଐତିହ୍ୟ, ଲାଲ୍-ବାଲ୍- ପାଲ୍ ଏବଂ ଗୋପବନ୍ଧୁ ଦାସଙ୍କ ଭଳି ମହାପୁରୁଷଙ୍କ ବିଚାରକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ କାମ କରୁଛନ୍ତି ।ଲୋକସେବକ ମଣ୍ଡଳ ଶିକ୍ଷା କ୍ଷେତ୍ରରେ ଅନେକ ମହତ୍ୱପୂର୍ଣ୍ଣ କାମ କରୁଛି । ଆମର ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି କୌଶଳ ବିକାଶ ଏବଂ କ୍ରୀଡାକୁ ଶିକ୍ଷା ସହ ଯୋଡ଼ିବାରେ ଜୋର୍ ଦେଉଛି । ଲୋକସେବକ ମଣ୍ଡଳର ଉଭୟ ସ୍କୁଲକୁ ରାଷ୍ଟ୍ରବାଦୀ ବିଚାରଧାରା ସହିତ ଏକବିଂଶ ଶତାବ୍ଦୀରେ ଆଧୁନିକ ଶିକ୍ଷାର ମନ୍ଦିର ନିର୍ମାଣ କରିବା ପାଇଁ ଦାୟିତ୍ୱ ନେବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here