ବ୍ରହ୍ମପୁର,୨୨/୧୧/୨୦୨୨: ସ୍ଥାନୀୟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ସମ୍ମିଳନୀ ଗୃହଠାରେ ବିରଳ ଅଲିଭ ରିଡଲେ କଇଁଚଙ୍କ ଆଗମନକୁ ନେଇ ବନ ବିଭାଗର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ଯୋଗଦାନ କରିଥିଲେ। ଆଗାମୀ ଦିନରେ ଅଲିଭ ରିଡଲେ କଇଁଚ ମିଳନ ଓ ଗଣ ଅଣ୍ଡାଦାନ ପାଇଁ ଋଷିକୂଲ୍ୟା ମୂହାଣଙ୍କୁ ଆସିବେ ଏହାକୁ ନଜରରେ ରଖି ଏହାର ସୁରକ୍ଷା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଆଗ ଧାଡିର କର୍ମଚାରୀ ଏବଂ ସଂଗଠନ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ବର୍ଷ ଏହି ମୁହାଣଙ୍କୁ ସର୍ବାଧିକ କଇଁଚ ଗଣ ଅଣ୍ଡାଦାନ ପାଇଁ ଆସିଥିବା ବେଳେ ଚଳିତ ଥର ମଧ୍ୟ ତାହାକୁ ନଜରରେ ରଖି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିନରେ ପ୍ରୟାଗୀ ଠାରୁ ଅନନ୍ତରାୟପୁର ପାଖାପାଖି ୫୨ କିଲୋ ମିଟର ସୁଦୀର୍ଘ ବେଳାଭୂମି ରେ କଇଁଚ ମାନେ ଗଣ ଅଣ୍ଡାଦାନ କରିଥାନ୍ତି। ସେଥି ମଧ୍ୟରୁ ପୋଡମପେଟା ଠାରୁ ପୁରୁଣାବନ୍ଧ ଦୀର୍ଘ ୫ କିଲୋମିଟର ବେଳାଭୂମୀରେ ସବୁଠାରୁ ଅଧିକ କଇଁଚ ଗଣ ଅଣ୍ଡାଦାନ କରୁଥିବା ବେଳେ ଅନ୍ୟ ସମସ୍ତ ସ୍ଥାନରେ ସ୍ପୋରାଡିକ ଅଣ୍ଡାଦାନ କରିଥାନ୍ତି। ତେବେ ବନ ବିଭାଗ ପକ୍ଷରୁ ପୋଡମପେଟା ଠାରୁ ପୁରୁଣାବନ୍ଧ ମୋଟ ୫୦ ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ପ୍ରତି ଜୋନରେ ପାଞ୍ଚ ଜଣିଆ ଟିମ କଇଁଚ ଓ ତାହାର ଅଣ୍ଡାର ସୁରକ୍ଷା ପାଇଁ ନିୟୋଜିତ ହୋଇଥାନ୍ତି। ସେହିପରି ବିଗତ ବର୍ଷ ସମସ୍ତ ବିଭାଗର ସମ୍ମନ୍ୱୟ ଏବଂ ସହଯୋଗ କାରଣରୁ ସଫଳତାର ସହ ବନ ବିଭାଗ ଏହାକୁ ପରିଚାଳନା କରିଥିଲା। ସେହିପରି ଚଳିତ ଥର ମଧ୍ୟ ସମସ୍ତ ବିଭାଗ ସମାନ ସହଯୋଗ କରିବେ ବୋଲି ଆରସିସିଏଫ ଶ୍ରୀ ମିଶ୍ର କହିଥିଲେ। ସେହିପରି ବିଗତ ଦିନମାନଙ୍କରେ ଏହି ମୁହାଣରେ ଜଙ୍ଗଲି ଜୀବଯନ୍ତୁ ଅଣ୍ଡାକୁ ନଷ୍ଟ କରିବାର ଭୟ ରହିଥିବା ବେଳେ ଚଳିତ ବର୍ଷ ଠାରୁ ସବୁଠାରୁ ଅଧିକ ଗଣ ଅଣ୍ଡାଦାନ ହେଉଥିବା ଏକ କିଲୋମିଟରରେ ଜିଆଇ ତାରର ସୁରକ୍ଷା ବାଡ ନିର୍ମାଣ କରାଯିବ ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ କହିଛନ୍ତି। ସେହିପରି ଆଜିର ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳପୁର ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ର ପରିଚାଳନା ମୁଖ୍ୟ ଅନିଲ ମହାପାତ୍ର, ଅତିରିକ୍ତ ବନ ସଂରକ୍ଷକ କେ ମାଧବୀଲତା, ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶୁଳପାଣି ଶତପଥି, ରବିନ୍ଦ୍ରନାଥ ସାହୁ, ପରିବେଶବିତ ଚନ୍ଦନ ଜାନି, ଡବ୍ଲୁଡବ୍ଲୁଏଫର ରାଜ୍ୟ ସଂଯୋଜିକା ସ୍ୱାଦ୍ଧ୍ୱି ସିନ୍ଦୁରା, ବନାଞ୍ଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ, ରଜତ ମିଶ୍ର, ମନୋଜ ପାତ୍ର, ତଟରକ୍ଷୀ ବାହିନିର କମାଣ୍ଡିଙ୍ଗ ଅଧିକାରୀ, ମତ୍ସ୍ୟ ବିଭାଗ, ପୋଲିସ ଅଧିକାରୀ, ଆଇଆରଇର କର୍ମଚାରୀ, ଗୋପାଳପୁର ପୋର୍ଟର କର୍ମଚାରୀଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ।