ପାତ୍ରପୁର, ୨୨/୧୨/୨୦୨୨: ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ସାମନ୍ତିଆପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ସକାଳୁ ମାରଣାତ୍ମକ ଆକ୍ରମଣରେ ପଞ୍ଚାୟତ ପରିସରରେ ରକ୍ତାକ୍ତ ହୋଇଥିବା ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆମ୍ବଗାଁ ଗ୍ରାମବାସୀଙ୍କୁ ଚାଉଳ ବଣ୍ଟନ କରାଯାଉଥିବା ବେଳେ ହଠାତ୍ କିଛି ଲୋକ ମରଣାତ୍ମକ ଆକ୍ରମଣ କରିଥିବା ଜଣାପଡିଛି । ଏହି ଆକ୍ରମଣରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଭାବେ ଆହାତ ହୋଇଥିବା ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ଉକ୍ତ ପଞ୍ଚାୟତ ଆମ୍ବଗାଁ ଗ୍ରାମର ଏମ୍. ରାମାରାଓ । ଗୁରୁତର ୨ଜଣ ହେଲେ ମୃତକଙ୍କ ଦାଦା ଏମ୍. କ୍ରିଷ୍ଣା ରାଓ ଓ ଏମ୍. ଲାଛାୟା । ମିଳିଥିବା ସୂଚାନ ପ୍ରକାରେ ପଞ୍ଚାୟତରେ ରାସନ୍ ଚାଉଳ ବାଣ୍ଟିବା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଟୋ ଯୋଗେ ସମସ୍ତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ରାମାରାଓଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ସ୍ଥାନାନ୍ତିତ କରିଥିବା ଜଣାପଡିଛି । ଖବର ପାଇ ଜରଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ପରେ ପୂର୍ବ ଶତ୍ରୁତା ରୁ ଏହିଭଳି ଘଟଣା ଘଟିଥିବା ଜରଡା ଥାନା ଅଧିକାରୀ ସୁନିଲ କୁମାର ବେହେରା ପ୍ରକାଶ କରିଛନ୍ତି । ସୂଚନା ଥାଉକି ୨୦୧୫ ମସିହାରେ ଆମ୍ବଗାଁ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ସଂଘର୍ଷରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଗ୍ରାମରେ ପୁଲିସ ମୁତୟନ ହୋଇଥିଲେ। ବର୍ତମାନ ପୁଣି ଆମ୍ବଗାଁ ଗ୍ରାମରେ ପୋଲିସ ମୁତୟନ କରାଯାଇଛି ବୋଲି ଜଣାପଡିଛି।