ମିଲେନିୟମ ପବ୍ଲିକ ସ୍କୁଲ କଙ୍କୋରଡ଼ାର ବାର୍ଷିକ ଉତ୍ସବ

0
229

ବ୍ରହ୍ମପୁର , ୨୩/୧୨/୨୦୨୨: ନଦିଘୋଷ ଚାରିଟେବଲ୍ ଟ୍ରଷ୍ଟ ପରିଚାଳିତ ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ସ୍ଥିତ ମିଲେନିୟମ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଗତକାଲି ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଅଛି । ସ୍କୁଲ ପ୍ରେକ୍ଷାଳୟ ପଡ଼ିଆରେ ଅଞ୍ଚଳ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ସହ ଅଭିଭାବକଙ୍କ ସମ୍ମିଳିତ ଏହି ସୁସଜ୍ଜିତ ସ୍ଵତନ୍ତ୍ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିତ୍ଵ ତଥା କଙ୍କୋରଡ଼ା ବିଜ୍ଞାନ ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ନରସିଂହ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ କଙ୍କୋରଡ଼ା ମହାବିଦ୍ୟାଳୟ ଇଂରାଜୀ ବିଭାଗ ମୁଖ୍ୟ ଡଃ ସନ୍ତୋଷ କୁମାର ପାଢ଼ୀ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ବୃନ୍ଦ ନିଜନିଜ ବକ୍ତବ୍ୟରେ କଙ୍କୋରଡ଼ା ଅଞ୍ଚଳରେ ଅନୁଷ୍ଠାନର ଅଭ୍ୟୁଦୟ ପରେ ନିପଟ ମଫସଲରେ ଆଧୁନିକ ପରିପାଟୀ ସମ୍ପନ୍ନ ସଂସ୍କାରମୁଖୀ ଶିକ୍ଷା ପ୍ରଦାନରେ ନନ୍ଦିଘୋଷ ଚାରୀଟେବଲ୍ ଟ୍ରଷ୍ଟର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ ।
ଆୟୋଜିତ ଏହି ବାର୍ଷିକ ଉତ୍ସବ ଅବସରରେ ବିଦ୍ୟାଳୟର କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ଓ କପ୍ ପ୍ରଦାନ ସହ ସମ୍ମାନୀତ କରାଯାଇଥିଲା ।ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ସଙ୍ଗୀତ , ସାମାଜିକ ସଚେତନତା ଧର୍ମୀ କ୍ଷଦ୍ର ନାଟକ ସହ ଗୃପଡେନ୍ସ ଆଦି ପରିବେଷଣ କରାଯାଇଥିଲା । ବିଦ୍ୟାଳୟ ଶିକ୍ଷକ , ଶିକ୍ଷୟତ୍ରୀଙ୍କ ସହ ଅନୁଷ୍ଠାନ କର୍ମଚାରୀ ସମୂହ ଉତ୍ସବରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here