ପ୍ରସ୍ତାବିତ ଗୋପାଳପୁର- ବ୍ରହ୍ମଗିରି ଉପକୂଳ ରାଜପଥ, ପରିବେଶକୁ କେନ୍ଦ୍ରକରି ଅଟକି ନଯାଉ

0
251

ବ୍ରହ୍ମପୁର,୦୯/୦୧/୨୦୨୩:
ଗୋପାଳପୁର ଠାରୁ ଚିଲିକା ଦେଇ ଦିର୍ଘା ପର୍ଯ୍ୟନ୍ତ ପ୍ରସ୍ତାବିତ ତଟୀୟ ଜାତୀୟ ରାଜପଥର ନିର୍ମାଣ ଦିଗରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ସବୁଜ ସଙ୍କେତ ଦେବା ପାଇଁ ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର
ପଣ୍ଡା କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଏକ ଚିଠିଲେଖି ଦାବୀ କରିଛନ୍ତି । ଶ୍ରୀ ପଣ୍ଡା ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ଗଞ୍ଜାମ ଓ କୃଷ୍ଣପ୍ରସାଦ ବ୍ଳକର କିଛି ବରିଷ୍ଠ ସମାଜ ସେବିଙ୍କ ପରାମର୍ଶ କ୍ରମେ ୨୦୧୫ ଜୁଲାଇ ମାସରେ ସେ ଓ ଅନ୍ୟକିଛି ନେତା, କେନ୍ଦ୍ର ଭୂତଳ ପରିବହନ ଓ ଯାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନିତିନ ଗଡକରିଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ଦେଇଥିଲେ ଯେଉଁଥିରେ ଗୋପାଳପୁର ଠାରୁ ପ୍ରାୟ ୭୦ କି.ମି. ଦୀର୍ଘ ଚିଲିକାର ଜହ୍ନିକୁଦା-ସାତପଡ଼ା ଦେଇ ଏହି ତଟୀୟ ରାଜପଥ ନିର୍ମାଣ କରିବା ପାଇଁ ଅନୁରୋଧ କରାଯାଇଥିଲା । ଏଥିରେ ଜହ୍ନିକୁଦା-ସାତପଡ଼ା ମଧ୍ୟରେ ୫ କି.ମି. ଦୀର୍ଘ ସେତୁ ନିର୍ମାଣ ଅନ୍ତର୍ଭୁକ୍ତ ଥିଲା । ଏହି ସ୍ମାରକପତ୍ର ଗ୍ରହଣକରି ପ୍ରସ୍ତାବର ସୁବିଚାର କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରକାଶ
କରିଥିଲେ ଓ ପରବର୍ତ୍ତୀ ସମୟରେ ଏହା ଉପରେ ଯୋଜନା ଅଟକଳ ଓ ନକ୍ସା ପ୍ରସ୍ତୁତ ହୋଇଥିଲା ।
ବର୍ତ୍ତମାନ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଚିଲିକା ମଝିରେ ବ୍ରିଜ ନିର୍ମାଣକୁ ନେଇ ପରିବେଶ ଉପରେ ଆପତ୍ତି କରିବା ନେଇ ଏହି ଉପକୂଳ ଜାତୀୟ ରାଜପଥ ଯୋଜନାଟି ଅଟକିଯାଇଥ୍ବା କୁହାଯାଇଛି, ଯାହାର ପୁନଃବିଚାର ପାଇଁ ଶ୍ରୀ ପଣ୍ଡା ଦାବୀ କରିଛନ୍ତି । ଶ୍ରୀ ପଣ୍ଡା ଦର୍ଶାଇଛନ୍ତି ଯେ ଚିଲିକାରେ ସେତୁ ନିର୍ମାଣ
ମାଧ୍ୟମରେ ଜହ୍ନିକୁଦା-ସାତପଡ଼ା-ବ୍ରହ୍ମଗିରି ରାସ୍ତା ସଂପୂର୍ଣ କରାନଗଲେ ତଟୀୟ ରାଜପଥ ପ୍ରସ୍ତାବ ତାର ମୌଳିକତା ହରାଇବ । ସ୍ଥାନୀୟ ଜନସାଧାରଣ ଏହି ରାସ୍ତା ସପକ୍ଷରେ ଥିବା ଓ ଏହି ରାସ୍ତା ଦ୍ବାରା ବହୁମୁଖୀ ବିକାଶ ଘଟିବ ଓ ଜନସାଧାରଣଙ୍କ ଅଧିକ ସ୍ବାର୍ଥ ସାପ୍ତ ହୋଇପାରିବ । ଶ୍ରୀ ପଣ୍ଡା ତାଙ୍କ ଚିଠିର ନକଲ କେନ୍ଦ୍ର ଯାହାଜ ଚଳାଚଳ ମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇ ଅଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା ଦର୍ଶାଇଛନ୍ତି ଯେ ଏହି ରାସ୍ତା ନିର୍ମାଣ ହେଲେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଜିଲ୍ଲା ଗୁଡିକର ଲକ୍ଷାଧୂକ ତୀର୍ଥଯାତ୍ରୀ ୬୦ କି.ମି. କମ୍ ଦୂରତାରେ, ଦୁଇ ଘଣ୍ଟା କମ ସମୟରେ ପୁରୀ ତୀର୍ଥ କ୍ଷେତ୍ରରେ ପହଞ୍ଚିପାରିବେ । ବ୍ରହ୍ମପୁର-ପୁରୀ ମଧ୍ୟରେ ଯାତ୍ରାର ଏଭଳି ଦୂରତା କମିଯିବା ଯୋଗୁଁ ଜାଳେଣୀ ଖର୍ଚ୍ଚ କମ୍ ହେବ ଓ ଦେଶ ବହୁତ ବିଦେଶୀ ପୁଞ୍ଜି ସଞ୍ଚୟ କରିପାରିବ । ଏହି ଜାତୀୟ ରାଜପଥ ପ୍ରକଳ୍ପ ଦ୍ବାରା ଚିଲିକା ଓ ବେଳାଭୂମି ପର୍ଯ୍ୟଟନର ଦ୍ରୁତ ବିକାଶ ଘଟିବ ଓ ଗୋପାଳପୁର ଠାରୁ ଚିଲିକା ଓ ବ୍ରହ୍ମଗିରି ସମୁଦ୍ର ବେଳା ଉପତ୍ୟକାରେ ଅବସ୍ଥିତ ଖାଲିକୋଟ ବ୍ଲକ, ଗଂଜାମ ବ୍ଲକ, କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଳକର ପ୍ରାୟ ୩୫ ଟି ପଞ୍ଚାୟତରେ ପ୍ରାୟ ୨୦୦ ଗ୍ରାମରେ ବସବାସ କରୁଥିବା ୧ ଲକ୍ଷ ମତ୍ସ୍ୟଜୀବୀ ଓ ୨ ଲକ୍ଷ ଚାଷୀଙ୍କ ଜୀବିକା ମୃଦୁଢ ଓ ଦୀର୍ଘସ୍ଥାୟୀ ହୋଇପାରିବ ଓ ଏହି ରାଜପଥ ଏହି ଅଧିବାସୀଙ୍କ ପାଇଁ ଜୀବନ ନାଟିକା ରୂପେ ପରିଣତ ହେବ । କୃଷ୍ଣପ୍ରସାଦ ବ୍ଳକର ବହୁ ଗ୍ରାମ ବ୍ରହ୍ମଗିରୀ ପଟରେ ଥିବା ଯୋଗୁଁ ଶିକ୍ଷା,ସ୍ବାସ୍ଥ୍ୟ ଓ ପ୍ରଶାସନିକ ସେବା ଯୋଗାଇବା ଦିଗରେ ଏହି ରାସ୍ତାଟି ସାଧାରଣ ଲୋକଙ୍କ ଜୀବନ ଜୀବିକା ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରିବ । ଶ୍ରୀ ପଣ୍ଡା ଦର୍ଶାଇଛନ୍ତି ଯେ, ଗୋପାଳପୁର ଠାରୁ ବ୍ରହ୍ମଗିରି ତଟୀୟ ଅଞ୍ଚଳରେ କ୍ରମାଗତ ଭାବେ ବାତ୍ୟା ପ୍ରକୋପ ଘଟି ଜନଜୀବନ ସଂକଟ ଗ୍ରସ୍ତ ହେଉଥିବା ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ ବାତ୍ୟା ପ୍ରତିରୋଧ ବ୍ୟବସ୍ଥାର ପରିଚାଳନା ପାଇଁ ଏହି ରାଜପଥ ପ୍ରକଳ୍ପ ଅନୁକୂଳ ହେବା ସଙ୍ଗେ ରିଲିଫ ଓ ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ଭିଭିଭୂମି ଯୋଗାଇବ ।
ଚିଲିକା ମଧ୍ୟ ଦେଇ ଏହି ରାସ୍ତା ନିର୍ମାଣ ହେବା ଦ୍ବାରା ଦେଶର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଧିକ ବଳ ମିଳିପାରିବ କାରଣ ପ୍ରସ୍ତାବିତ ତଟୀୟ ରାଜପଥ ମାର୍ଗ ଚିଲିକା ନୌବାହିନୀ ଓ ଗୋପାଳପୁର ସେନା କେନ୍ଦ୍ର ପାଇଁ ଗମନାଗମନ କ୍ଷେତ୍ରରେ ବିଶେଷ ସୁବିଧା ଯୋଗାଇବ । ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି ଯେ, ମଧ୍ୟଯୁଗ ପୂର୍ବରୁ ଗୋପାଳପୁର-ଚିଲିକା, ଗଞ୍ଜାମ ଓ ପାଲୁର ତଟୀୟ ଅଞ୍ଚଳ ନୌବାଣିଜ୍ୟ କ୍ଷେତ୍ରରେ ଯେଉଁ ଅପୂର୍ବ ସଫଳତା ଲାଭ କରିଥିଲା ସେଇ ଐତିହ୍ୟର ସୁରକ୍ଷା ପାଇଁ ଗୋପାଳପୁର-ସାତପଡା ସମୁଦ୍ର
ଉପକୂଳ ରାଜପଥ ନିର୍ଣ୍ଣାୟକ ଭୂମିକା ନେବାସଙ୍ଗେ ଗୋପାଳପୁର ଠାରୁ ଧାମରା ମଧ୍ୟରେ ବନ୍ଦର ଭିତ୍ତିକ ବାଣିଜ୍ୟ କାରବାର ଦିଗରେ ଅପୂର୍ବ ସୁଯୋଗ ଆଣିଦେବ।ଶହ ଶହ ବର୍ଷ ଧରି ଚିଲିକାରେ ପର୍ଯ୍ୟଟନ, ମତ୍ସ୍ୟଜୀବିଙ୍କ ମୋଟର ଚାଳିତ ନୌକା ଓ ସାତପଡାକୁ ନୌକା ମାଧ୍ୟମରେ ଗମନା ଗମନ ଓ ମାଲ୍ ପରିବହନ ହୋଇଆସୁଥିବା ପରିପ୍ରେକ୍ଷୀରେ ପରିବେଶ ପ୍ରତି କୌଣସି ବିପଦ ସୃଷ୍ଟି ହୋଇନଥିବା ବେଳେ, ପ୍ରସ୍ତାବିତ ବ୍ରିଜ ନିର୍ମାଣ କ୍ଷେତ୍ରରେ ପରିବେଶର ଆଶଙ୍କାକୁ ନେଇ ଏହି ଉପକୂଳ ରାଜମାର୍ଗ ଯୋଜନା ଅଟକ ରହିବା, ଉଚିତ ମନେ ହେଉ ନାହିଁ ବୋଲି ଶ୍ରୀ ପଣ୍ଡା ଦର୍ଶାଇଛନ୍ତି । ପରିବେଶ ବିଭାଗ, ଚିଲିକା ଓ ଏହାର ଆଭ୍ୟନ୍ତରୀଣ ଅଞ୍ଚଳରେ ବ୍ୟାପକ ଫଳ ବୃକ୍ଷ ରୋପଣ ଦ୍ବାରା ଅଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସାଙ୍ଗକୁ ପରିବେଶର ସୁରକ୍ଷା କରାଯାଇପାରିବ ବୋଲି ଶ୍ରୀ ପଣ୍ଡା ଦର୍ଶାଇଛନ୍ତି । ଚିଲିକା ତଟବର୍ତୀ ଗଞ୍ଜାମ ଓ କୃଷ୍ଣପ୍ରସାଦ ବ୍ଳକ ଓ ଚିଲିକା ମଧ୍ୟରେ ଅବସ୍ଥିତ ଗ୍ରାମଗୁଡିକୁ ବିଶେଷଜ୍ଞ କମିଟି ପରିଦର୍ଶନ କରି ଲୋକମତ ସଂଗ୍ରହ କରିବା ଓ ବାସ୍ତବ ଚିତ୍ର ଅନୁଧ୍ୟାନ କରିବା ପାଇଁ ଶ୍ରୀ ପଣ୍ଡା ପତ୍ରରେ ଅନୁରୋଧ କରିଛନ୍ତି । ବିଳମ୍ବ ଯୋଗୁ ଏହି ଉପକୂଳ ରାଜପଥ ଯୋଜୋନର ଅଟକଳ ବୃଦ୍ଧିହେବାର ଆଶଙ୍କା ଥିବା ଦୃଷ୍ଟିରୁ ଏହି ଯୋଜନା ଶୀଘ୍ର କାର୍ଯ୍ୟକାରୀ ହେବା ଆବଶ୍ୟକତା ନେଇ ଶ୍ରୀ ପଣ୍ଡା ଗୁରୁତ୍ବ ଆରୋପ କରିଛନ୍ତି ।

LEAVE A REPLY

Please enter your comment!
Please enter your name here