ନବ ନିଯୁକ୍ତ “୨ୟ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର(ଆର୍ମଡ୍) ଏବଂ ୧୨ତମ ବ୍ୟାଚ୍ କ୍ୟାଡେଟ୍ ସବ୍- ଇନ୍ସପେକ୍ଟର”ର ମୌଳିକ ତାଲିମ୍ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ

0
168

କଟକ,୧୦/୦୧/୨୦୨୩:
ସାରା ଦେଶରେ ଓଡ଼ିଶା ପୋଲିସ୍‌ର ସୁନାମ ରହିଛି । ରାଜ୍ୟ ପୋଲିସ୍‌ରେ କାର୍ଯ୍ୟରତ ଦକ୍ଷ ଅଫିସର ତଥା ଫୋର୍ସଙ୍କ କାର୍ଯ୍ୟଶୈଳୀ ଏବଂ କର୍ମକୁଶଳତା ଏହି ସୁନାମକୁ ଆହୁରି ବଳବତର କରି ରଖିଛି। ନକ୍ସଲ ଦମନ ଅଭିଯାନ ତଥା ସମାଜରେ ଘଟୁଥିବା ବିଭିନ୍ନ ହିଂସାକୁ ରୋକିବାରେ ରାଜ୍ୟ ପୋଲିସ୍ ସାରା ଦେଶରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ମତପ୍ରକାଶ କରିଛନ୍ତି । ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ୍ ଏକାଡ଼େମୀଠାରେ ଅନୁଷ୍ଠିତ ନବନିଯୁକ୍ତ “୨ୟ ବ୍ୟାଚ୍ କ୍ୟାଡେଟ୍ ସବ୍ଇ ନ୍ସପେକ୍ଟର(ଆର୍ମଡ୍) ଏବଂ ୧୨ତମ ବ୍ୟାଚ୍ କ୍ୟାଡେଟ୍ ସବ୍- ଇନ୍ସପେକ୍ଟର”ର ମୌଳିକ ତାଲିମ୍ର ଉଦ୍‌ଘାଟନ ଉତ୍ସବରେ ଡିଜିପି ଶ୍ରୀ ବଂସଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଭାବରେ ଯୋଗ ଦେଇଥିବା ଏହି ପୋଲିସ୍ ଅଧିକାରୀମାନଙ୍କୁ ସ୍ଵାଗତ କରିବା ସହ ରାଜ୍ୟ ପୋଲିସ୍‌ର ସୁନାମ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ ।ଏହି ଅବସରରେ ଡିଜିପି ଶ୍ରୀ ବଂସଲ ସାରା ଭାରତବର୍ଷରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ୍ ଏକାଡ଼େମୀର ସ୍ଵତନ୍ତ୍ର ପରିଚୟ ସମ୍ପର୍କରେ ମତବ୍ୟକ୍ତ କରିବା ସହ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏହି ପୋଲିସ୍ ଏକାଡ଼େମୀ ଆଦର୍ଶ ପାଲଟିଛି ବୋଲି କହିଥିଲେ ।ଏଠାରେ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶ ନିମନ୍ତେ ସ୍ଵତନ୍ତ୍ର ତାଲିମ୍ ପ୍ରଦାନ କରାଯାଉଛି । ଏକ ନୂତନ ଆଶା, ଉତ୍ସାହ ଏବଂ ଉଦ୍ଦୀପନାର ସହ ତାଲିମ୍ ଶେଷ କରିବା ସହ ଆଗାମୀ ଦିନରେ ରାଜ୍ୟ ପୋଲିସ୍‌ର ସୁନାମ ବଢାଇବାକୁ ଡିଜିପି ଶ୍ରୀ ବଂସଲ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର ମାନଙ୍କୁ ଆହ୍ଵାନ ଦେଇଥିଲେ । ଭଲ ଅଫିସର ହେବାକୁ ହେଲେ ପ୍ରଥମେ ଭଲ ମଣିଷ ହେବାକୁ ପଡ଼ିବ ବୋଲି ଡିଜିପି କ୍ୟାଡେଟ୍ ସବ୍‌-ଇନ୍ସପେକ୍ଟରମାନଙ୍କୁ ପରାମର୍ଶ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଉପରୋକ୍ତ ଦୁଇଟି ବ୍ୟାଚ୍‌ରେ ସମୁଦାୟ ୨୯୬ ଜଣ ଚାକିରୀରେ ଯୋଗ ଦେଇଥିବାବେଳେ ସେଥିମଧ୍ୟରୁ ୧୧୮ ଜଣ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର( ଆର୍ମଡ୍) ଏବଂ ୧୭୮ଜଣ କ୍ୟାଡେଟ୍ ସବ-ଇନ୍ସପେକ୍ଟର ଭାବେ ଯୋଗ ଦେଇଛନ୍ତି । ଓଡ଼ିଶା ପୋଲିସ୍ ରିକ୍ୟୁଟ୍‌ ବୋର୍ଡ ଦ୍ଵାରା ଚୟନ ହୋଇ ଏହି ୨୯୬ଜଣ ଅଫିସର ନୂତନ ନିଯୁକ୍ତି ପାଇଛନ୍ତି ।ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ୍ ଏକାଡ଼େମୀର ନିର୍ଦ୍ଦେଶକ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀ ଯୋଗ ଦେଇ ଏହି ନୂତନ ସବ୍‌-ଇନ୍ସପେକ୍ଟର ବ୍ୟାଚ୍‌ଟି ଆଗାମୀ ଦିନରେ ପୋଲିସ୍ ବିଭାଗର ନୂତନ ପରିବର୍ତନ ତଥା ସୁନାମ ଆଣିବ ବୋଲି ଆଶା ପ୍ରକଟ କରିଥିଲେ । ଏହା ସହ ନ୍ୟାୟବନ୍ତ, ଆଇନ୍‌ର ରକ୍ଷକ, ପରୋପକାରୀ, ଅସହାୟଙ୍କ ନିମନ୍ତେ ସହାୟତାର ହାତ ବଢାଇବାକୁ ଏବଂ ଧର୍ମ ପାଳନ କରିବାକୁ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର ମାନଙ୍କୁ ପରାମର୍ଶ ଦେଇଥିଲେ । ପୋଲିସ୍‌ ଚାକିରୀ ଏକ ମହତ୍ ବୃତି ଅଟେ । ଏହି ବୃତି ମାଧ୍ୟମରେ ଅସହାୟ ସାଧାରଣ ଲୋକଙ୍କ ସେବା କରିବାର ସୁଯୋଗ ମିଳିଥାଏ । ତେଣୁ ପ୍ରତିଟି କ୍ଷେତ୍ରରେ ଅସୀମ ସାହସ, ବୀରତ୍ଵ, କର୍ତବ୍ୟନିଷ୍ଠା ଏବଂ ଶୃଙ୍ଖଳାର ସହ ଟ୍ରେନିଂ ସମାପ୍ତ କରି ଭଲ ପୋଲିସ୍ ଅଫିସର ହେବାକୁ ଶ୍ରୀ ଷଡ଼ଙ୍ଗୀ ଆହ୍ବାନ ଦେଇଛନ୍ତି । ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ୍ ଏକାଡ଼େମୀ (ଟ୍ରେନିଂ) ଆଇଜିପି ଶ୍ରୀମତୀ ଏସ୍.ସାଇନି ଯୋଗ ଦେଇ ପୋଲିସ୍‌ ଚାକିରୀ ସାଧାରଣ ବୃତି ନୁହଁ ବୋଲି କହିବା ସହ ଲୋକଙ୍କ ସେବା କରିବାରେ ନିଜକୁ ସାମିଲ କରିବାରେ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଏହି କ୍ୟାଡେଟ୍ ସବ୍-ଇନ୍ସପେକ୍ଟର ମାନେ ସମାଜର ସୁରକ୍ଷା କବଚ ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ଡେପୁଟି କମାଣ୍ଡାଣ୍ଟ ଶ୍ରୀ ଅଶୋକ ଦେହୁରୀ ପରିଚାଳନା କରିଥିବାବେଳେ ଏକାଡେମୀରେ କାର୍ଯ୍ୟରତ ଥିବା ଡିଏସ୍‌ପି ଶ୍ରୀମତୀ କାଦମ୍ବିନୀ ମିଶ୍ର, ଡେପୁଟି କମାଣ୍ଡାଣ୍ଟ ଜ୍ଞାନେନ୍ଦ୍ର କୁମାର ଦାସ, ରେଜିଷ୍ଟ୍ରାର୍ ପ୍ରସନ୍ନ କୁମାର ଦାଶ ପ୍ରମୁଖ ନୂତନ ବ୍ୟାଚ୍‌କୁ ସ୍ଵାଗତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଏସ୍‌ପି ଉଦୟଭାନୁ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ୍ ଏକାଡ଼େମୀର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here