ଆସନ୍ତା କାଲି ୫ ତାରିଖ ପଂଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରିବ ବିଜେପି।ପଂଚାୟତିରାଜ ବ୍ୟବସ୍ଥାକୁ ହତ୍ୟା କରିଛନ୍ତି ରାଜ୍ୟ ସରକାର: ପୃଥ୍ୱୀରାଜ ହରିଚନ୍ଦନ

0
117

ଭୁବନେଶ୍ୱର,୦୪/୦୩/୨୦୨୩: ଦେଶର ଆତ୍ମା ଗ୍ରାମାଂଚଳରେ ରହିଛି । ଗ୍ରାମାଂଚଳର ବିକାଶକୁ ତ୍ୱାରାନ୍ୱିତ କରିବା ପାଇଁ ପଂଚାୟତିରାଜ ବ୍ୟବସ୍ଥା ଆରମ୍ଭ କରାଯାଇଛି । ସର୍ବଭାରତୀୟ ସ୍ତରରେ ଏପ୍ରିଲ ୨୪ ତାରିଖକୁ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିବାବେଳେ ଓଡିଶାରେ ବିଜେଡି ସରକାର ମାର୍ଚ୍ଚ ୫ ତାରିଖରେ ପାଳନ କରିବା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ପଂଚାୟତରାଜ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ ବରଂ ଓଡ଼ିଶାରେ ପଂଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ହତ୍ୟା କରିଛନ୍ତି । ରାଜ୍ୟରେ ପଂଚାୟତରାଜ ବ୍ୟବସ୍ଥାର ଆତ୍ମା କାନ୍ଦୁଛି । ଭ୍ରଷ୍ଟାଚାର ଓ ଦୁର୍ନୀତିର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି । ପଂଚାୟତରାଜ ବ୍ୟବସ୍ଥାକୁ ଭ୍ରଷ୍ଟାଚାର ଓ ଦୁର୍ନୀତି ଖଣିରେ ପରିଣତ କରିବାରେ ସର୍ବଶ୍ରେଷ୍ଠ ସ୍ଥାନରେ ଅଛି ଓଡ଼ିଶା । ଅତୀତରେ ପଂଚାୟତ ତଥା ଗ୍ରାମାଂଚଳର ଉନ୍ନତିକରଣ ଓ ବିକାଶ ପାଇଁ ପଲ୍ଲୀସଭା ଓ ଗ୍ରାମସଭା କରାଯାଇ ସାଧାରଣ ଗ୍ରାମବାସୀଙ୍କ ମତ ନିଅଯାଉଥିଲା । କିନ୍ତୁ ବର୍ତମାନ ଶାସକ ଦଳର ବିଧାୟକ ଓ ନେତାମାନେ ନିଷ୍ପତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ପଂଚାୟତିରାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଷ ୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହେଉଛି । ଅନ୍ୟ ପଟେ ପଂଚାୟତିରାଜ ଦିବସ ପାଳନ ନାଁ ରେ ଡ୍ରାମାବାଜୀ କରୁଛନ୍ତି ରାଜ୍ୟ ସରକାର, ଯାହାକି ଧର୍ମକୁ ଆଖିଠାର ସଦୃଶ । ତେଣୁ ଆସନ୍ତା କାଲି ରାଜ୍ୟ ସରକାରଙ୍କ ତରଫରୁ ପାଳନ କରାଯାଉଥିବା ପଂଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ପାଳନ କରିବ ବିଜେପି । ରାଜ୍ୟର ସମସ୍ତ ୩୧୪ଟି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତାମାନେ ହାତରେ କଳା ପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟର ସମସ୍ତ ୩୧୪ ବ୍ଲକ ଆଜି ଦୁର୍ନୀତି ଓ ଭ୍ରଷ୍ଟାଚାରର ବାରୁଦ ଗଦାରେ ଛିଡା ହୋଇଛି । ଲୋକଙ୍କ ଟଙ୍କାକୁ ହରିଲୁଟ୍ କରିବାର ଶେଷ ସୀମାକୁ ପହଂଚି ଯାଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ରୋକିବା ପରିବର୍ତେ ଅଧିକ ପ୍ରୋତ୍ସାହିତ କରୁଥିବା ବିଜେଡି ସରକାରଙ୍କ ପଂଚାୟତିରାଜ ଦିବସ ପାଳନ କରିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ପଂଚାୟତି ବ୍ୟବସ୍ଥାକୁ ହତ୍ୟା କରିବା ପକ୍ରିୟାକୁ ବନ୍ଦ କରନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।ଗରୀବ ବାସହୀନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି କିଏ ଓ କାହିଁକି କରୁଛି ? ୨୦୧୯ ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ପକ୍କାଘର ଦେବାରେ ବିଫଳ ହୋଇଥିବା ରାଜ୍ୟ ସରକାର ନୂଆ ତାଲିକା ମଧ୍ୟ ପ୍ରସ୍ତୁତ କରିଲେ ନାହିଁ କାହିଁକି ? କେନ୍ଦ୍ରରୁ ମନରେଗା ପାଇଁ ଆସୁଥିବା ବ୍ୟାପକ ଟଙ୍କାର ହରିଲୁଟ୍ ଓ ଦୁର୍ନୀତି କିଏ କରୁଛି ? ମିଛ ବିଲ୍ ଏବଂ ମିଛ ଜବ୍ କାର୍ଡ ଦ୍ୱାରା ସର୍ବନିମ୍ନ ହଡପ୍ ହେଉଥିବା ୩୦ ରୁ ୩୫ ପ୍ରତିଶତ ଟଙ୍କା କାହା ପକେଟକୁ ଯାଉଛି ? ଏଥିରେ ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ନାହିଁ କି ? ସିଏଫସି (ସେଂଟ୍ରାଲ ଫାନାନ୍ସ କମିଶନ) ଟଙ୍କାକୁ ସିଧାସଳଖ ପଂଚାୟତର ବିକାଶ ପାଇଁ ଖର୍ଚ୍ଚ କରାନଯାଇ କାହିଁକି ଡାଇଭର୍ଟ କରି ଅନ୍ୟ ଆଡେ ଖର୍ଚ୍ଚ କରାଯାଉଛି ? ଏହି ଟଙ୍କାକୁ ରାଜ୍ୟ ସରକାର “ରି ବ୍ରାଣ୍ଡିଂ” କରି ହଡପ୍ କରୁନାହାନ୍ତି କି ? ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନରେ (ଏନ୍‌ଏଫ୍‌ଏସ୍‌ଏ) ପଂଜୀକୃତ ହୋଇଥିବା ୯୫ଲକ୍ଷ ୭୪ହଜାର ରାସନ କାର୍ଡରେ ଥିବା ୨୦ପ୍ରତିଶତରୁ ଅଧିକ ଅଯୋଗ୍ୟ ହିତାଧିକାରୀମାନେ ବିଜେଡିର କାର୍ଯ୍ୟକର୍ତା ନୁହନ୍ତି କି ଏବଂ ତାଙ୍କୁ ତାଲିକାରୁ କାହିଁକି ବାଦ୍ ଦିଆଯାଉନାହିଁ ? ନିର୍ବାଚନ ସମୟରେ ଭୋଟ ହାତେଇବା ଉଦ୍ଦେଶ୍ୟରେ ଶାସକ ବିଜେଡି ଦ୍ୱାରା ବଂଟନ ହୋଇଥିବା ପାଖାପାଖି ୩ ଲକ୍ଷ ଡୁପ୍ଲିକେଟ ରାସନ କାର୍ଡ ଓ ବଂଟନକାରୀଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ? ଗ୍ରାମାଂଚଳର ବିକାଶରେ ବଡ ବାଧକ ସାିଛନ୍ତି ରାଜ୍ୟ ସରକାର । କୈାଣସି ଉନ୍ନତିମୁଳକ ପ୍ରକଳ୍ପ କାର୍ଯ୍ୟ ତଥା ନିର୍ମାଣ ପାଇଁ ଆସୁଥିବା ଟଙ୍କାର ପାଖାପାଖି ୫୦ ପ୍ରତିଶତ ପିସି ମନ୍ତ୍ରୀ, ଶାସକ ଦଳର ସ୍ଥାନୀୟ ବିଧାୟକ ଓ ନେତା ଏବଂ ସ୍ଥାନୀୟ ଜେଇ, ବିଡିଓମାନେ ମିଳିମିଶି ହଡପ୍ କରୁନାହାନ୍ତି କି ? ଯେଉଁ ସ୍ଥାନରେ ବିରୋଧୀ ଦଳର ସରପଂଚ ଅଛନ୍ତି, ସେଠି ଷଡଯନ୍ତ୍ର କରି ପ୍ରକଳ୍ପକାମ ବନ୍ଦ କରାଯାଉନାହିଁ କି ? ଆସନ୍ତା କାଲି ପଂଚାୟତିରାଜ ଦିବସ ପାଳନ କରିବା ପୂର୍ବରୁ ରାଜ୍ୟ ସରକାର ୫ଟି ପ୍ରସଙ୍ଗରେ ଓଡିଶାବାସୀଙ୍କ ପ୍ରଶ୍ନର ଜବାବ୍ ରଖିବା ଉଚିତ୍ ବୋଲି ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି ।
ପଂଚାୟତକୁ ମିନି ସେକ୍ରେଟେରୀଏଟ୍ ବୋଲି କହୁଥିବା ରାଜ୍ୟ ସରକାର ଆଜି ସେହି ମିନି ସେକ୍ରେଟେରୀଏଟ୍‌କୁ ଭ୍ରଷ୍ଟାଚାରର ଗନ୍ତାଘରରେ ପରଣତ କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ରାଜେନ୍ଦ୍ର ପଣ୍ଡା ଓ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here