ବ୍ରହ୍ମପୁର,୧୬/୦୩/୨୦୨୩:
ସମାଜ ସେବୀ ତଥା କବୀ ଅନୁଜା ନନ୍ଦ ବିଶ୍ବାଳଙ୍କ କବିତା ସଙ୍କଳନ ପୁସ୍ତକ “ନାୟିକାର ଅନାମ ପ୍ରେମ” ଆଜି ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସଙ୍କ କର କମଲରେ ଉନ୍ମୋଚିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ଛତ୍ରପୁରଠାରେ ଏହି ପୁସ୍ତକ ଉନ୍ମୋଚିତ ହେବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା,ଜିଲା ସମାଜ କଲ୍ୟାଣ ଅଧିକାରୀ କଲ୍ୟାଣି ଦାସ, ଶିଶୁ ଓ ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର,ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ୧୦୭ ପୃଷ୍ଠା ବିଶିଷ୍ଟ ଏହି କବିତା ସଙ୍କଳନରେ କବି ଅନୁଜା ନନ୍ଦ ବିଶ୍ବାଳଙ୍କ ରଚିତ ୪୮ ଗୋଟି କବିତା ସ୍ଥାନ ପାଇଛି । ଶ୍ରୀମତୀ ବିଶ୍ବାଳ ସମକାଳୀନ ଓଡ଼ିଆ କବିତାର ଜଣେ ଯୁବସ୍ବର । ହୃଦୟର ନିବିଡ଼ ଅନୁଭୂତି ଓ ଅଭିଜ୍ଞତାକୁ ଆଧାର କରି ତାଙ୍କ କବିତାର ଧାରା ଗତିଶୀଳ ହୋଇଛି ।ଜୀବନର ରସଘନ ମୁହୂର୍ତ୍ତ, ପ୍ରେମ, ପ୍ରତାରଣା, ମିଳନ ଓ ବିଚ୍ଛେଦ ଆଦି ସମସ୍ତ କବିତାରେ ମୂର୍ତ୍ତି ରୁପ ଧାରଣ କରିଛି । ନୀରବତା ଭିତରେ ସେ କୋଳାହଳର ସ୍ୱର ଶୁଣେଇବାକୁ ଚେଷ୍ଟା କରିଛନ୍ତି । ଏହି ସଙ୍କଳନଟିରେ ତରୁଣ ପ୍ରାଣର ଆବେଗ ଓ ସ୍ୱପ୍ନ ପ୍ରବଣତା ଅଧିକ ବ୍ୟାପକ ରୁପ ଧାରଣ କରିଛି ।ଏହା ନିଶ୍ଚିତ ପାଠକଙ୍କ ଠାରେ ଆଦୃତ ଲାଭ କରିବ ବୋଲି ଆଶା କରାଯାଏ ।