ବ୍ରହ୍ମପୁର, ୦୧/୦୪/୨୦୨୩ : ଓଡ଼ିଶାର ଐତିହ୍ୟ ସଂସ୍କୃତି ସମଗ୍ର ବିଶ୍ବକୁ ଆକର୍ଷିତ କରିଆସିଛି । ଭାଷା ଭିତ୍ତିରେ ଗଠିତ ଏହି ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବାର ସମୟ ଆସିଛି ବୋଲି ସ୍ଥାନୀୟ ନବୀନ ଭବନ ପରିସରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଆୟୋଜିତ ୮୮ତମ ଉକଳ ଦିବସ ସମାରୋହରେ ଉପସ୍ଥିତ ବକ୍ତାସମୂହ ମତବ୍ୟକ୍ତ କରିଛନ୍ତି । ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଜଳବାୟୁ ବୈଜ୍ଞାନିକ ପ୍ରଫେସର ଡ଼. ଡ଼ମ୍ବରୁଧର ସାହୁ, ମୁଖ୍ୟବକ୍ତା ଭାବେ ବିଶିିଷ୍ଟ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା ଓ ସମାଜସେବୀ ଅବନୀ କୁମାର ଗୟା ପ୍ରମୁଖ ଯୋଗଦେଇ ଉକଳ ଦିବସ ପାଳନର ମହତ୍ତ୍ବ ସମ୍ପର୍କରେ ନିଜ ନିଜର ଅଭିବ୍ୟକ୍ତି ରଖଥିଲେ । ମୁଖ୍ୟବକ୍ତା କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ନିଜ ବକ୍ତବ୍ୟରେ ଓଡ଼ିଆ ଭାଷା ଭିତ୍ତିରେ ଗଠିତ ଓଡ଼ିଶାର ଜନସାଧାରଣ ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ବଜାୟ ରଖବା ପାଇଁ ଆହ୍ବାନ ଦେବା ସହ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ତକାଳୀନ କବି, ସାହିତ୍ୟିକ ଓ ଭାଷାପ୍ରେମୀମାନଙ୍କ ଆପ୍ରାଣ ଉଦ୍ୟମ ସମ୍ପର୍କରେ ଆଲୋକପାତ କରିଥିଲେ । ସଭାପତି ଶ୍ରୀ ରଥ ନିଜ ବକ୍ତବ୍ୟରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ କାରଣରୁ ସମ୍ପ୍ରତି ଓଡ଼ିଶା ସମସ୍ତ କ୍ଷେତ୍ରରେ ପଛୁଆ ରହିଛି ବୋଲି କହିବା ସହ ଓଡ଼ିଶାର ପୂର୍ବ ଗୌରବକୁ ଫେରାଇ ଆଣିବା ପାଇଁ ସବୁ ବର୍ଗର ଅଧିବାସୀ ଅଙ୍ଗୀକାରବଦ୍ଧ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା, ଭଗବତ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, କବି ପ୍ରମୋଦ କୁମାର ପଣ୍ଡା, ବନ୍ଦନା ମହାପାତ୍ର, ସବିତା ସାହୁକାର, ଆଇନଜୀବୀ ନିରଞ୍ଜନ ପାଣିଗ୍ରାହୀ, ବି. ସତ୍ୟମ ଆଚାରୀ, ବିଜୟ କୁମାର ପାଢ଼ୀ, ସୁଶାନ୍ତ କର, ଗଗନ ଚନ୍ଦ୍ର ମଲ୍ଲିକ ପ୍ରମୁଖ ନିଜନିଜ ବକ୍ତବ୍ୟ ରଖିଥିଲେ । ପରିଶେଷରେ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଇଂ ମାନସ ରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କୃଷ୍ଣଚନ୍ଦ୍ର ପ୍ରଧାନ, ପ୍ରେମାନନ୍ଦ ଦାଶ, ରବିନ୍ଦ୍ର ନାଥ ଆଚାର୍ଯ୍ୟ, ବିଶ୍ବନାଥ ପଣ୍ଡା, ପ୍ରଫୁଲ ଚନ୍ଦ୍ର ଦାଶ, ହିମାଂଶୁ ସାହୁକାର, ବଂଶୀଧର ସେଠୀଙ୍କ ସମେତ ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ ।
Home ବ୍ରହ୍ମପୁର ସ୍ପେଶାଳ ସଭିଙ୍କ ଅଙ୍ଗୀକାରବଦ୍ଧତା ହିଁ ଓଡ଼ିଶାର ସାମଗ୍ରୀକ ବିକାଶର ରୂପରେଖ : ନବୀନ ପାଠାଗାର ଓ ସାହିତ୍ୟ...