ବ୍ରହ୍ମପୁର,୦୨/୦୪/୨୦୨୩ : ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନା ଆଇଆଇସି ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ ରାଜ୍ୟସ୍ତରରେ ଶ୍ରେଷ୍ଠ ଆଇଆଇସି ଭାବେ ସମ୍ମାନୀତ ହୋଇଛନ୍ତି । ୮୮ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ସମାରୋହ ଅବସରରେ ମୁଖ୍ୟାଳୟ ପକ୍ଷରୁ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କୁ ପୁରସ୍କୃତ କରାଯାଇଛି । ଏହି ଅବସରରେ ଗୃହ ବିଭାଗ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ପରେ଼ଡରେ ଓଡ଼ିଶା ପୋଲିସ ଡିଜିପି ସୁନିଲ ବଂଶଲ ଶ୍ରୀ ମଲ୍ଲଙ୍କୁ ବ୍ରଜବିହାରୀ ସ୍ମାରକୀ ସ୍ମୁତି ସମ୍ମାନ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରି ପୁରସ୍କୃତ କରିଛନ୍ତି। ସୂଚନା ପ୍ରଜାରେ ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ପାଟପୁର ଥାନା ଅଧିକାରୀ ଭାବେ ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ ଗତ ମଇ ୨୦୨୧ ମସିହାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପାଟପୁର ଥାନାରେ ତାଙ୍କ ୨୩ ମାସର କାର୍ଯ୍ୟକାଳରେ ଥାନା ଅଂଚଳର ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ସହ ଚୋରି ରାହାଜାନୀ ଓ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ , ଅବୈଧ ଲଘୁ ଖଣିଜ ଦ୍ରବ୍ୟ ସମେତ ଗଞ୍ଜେଇ ଚାଲାଣ , ଅବାଧ ନିଶା କାରବାର ଧରପଗଡ ସହ ଥାନା ଅଞ୍ଚଳରେ ଆମ ପୋଲିସ ସମିତି ସୌଜନ୍ୟରୁ ସାମାଜିକ ସଚେତନତା ସୃଷ୍ଟି , ବିଶାଳ ରକ୍ତଦାନ ଶିବିର ଆୟୋଜନ ସହ ବିପୁଳ ମାତ୍ରାରେ ରକ୍ତ ସଂଗ୍ରହ ଏବଂ ଆଇନ ଶୃଙ୍ଖଳା ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଉତ୍କର୍ଷତା ପ୍ରତିପାଦନ କରି ଅଞ୍ଚଳବାସୀଙ୍କ ପ୍ରୀୟଭାଜନ ହୋଇପାରିଛନ୍ତି । ଶ୍ରୀ ମଲ୍ଲଙ୍କ ରାଜ୍ୟ ସ୍ତରୀୟ ପୋଲିସ ସମ୍ମାନ ହାସଲରେ ପାଟପୁର ଥାନା ଇଲାକା ସମେତ ବିଭିନ୍ନ ଅଞ୍ଚଳରୁ ଶୁଭେଚ୍ଛା ଅଭିନନ୍ଦନର ସୁଅ ଛୁଟିଥିବା ବେଳେ ଗଞ୍ଜାମ ଜିଲ୍ଲା ପୋଲିସ କାର୍ଯ୍ୟଳୟରେ ଖୁସିର ମାହୋଲ ଖେଳିଯାଇଥିବା ଜଣାଯାଇଛି ।