ବ୍ରହ୍ମପୁର,୧୪/୦୫/୨୦୨୩ : ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ପକ୍ଷରୁ ଆଜି ହ୍ୟାଣ୍ଡବଲ ସମର କ୍ୟାମ୍ପ ଉଦଘାଟିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ସମ୍ମାନ୍ନିତ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡି, ବରିଷ୍ଟ ସାମ୍ବାଦିକ ଜଗନମୋହନ ମହାପାତ୍ର ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ସମର କ୍ୟାମ୍ପରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗିଙ୍କୁ ଅତିଥିମାନେ ଉତ୍ସାହିତ କରିବା ସହ ଆଗାମୀ ଦିନରେ ହେବାକୁ ଥିବା ନ୍ୟାସନାଲ୍ ଚାମ୍ପିୟାନସିପ୍ ପ୍ରତିଯୋଗିତା ନିମନ୍ତେ ସିଂଥେଟିକ୍ ହ୍ୟାଣ୍ଡବଲ୍ ଗ୍ରାଉଣ୍ଡର ବ୍ୟବସ୍ଥା କରାଯିବା ସହ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସାଂସଦ, ବିଧାୟକ ଓ ମେୟର ପ୍ରତିଶ୍ରୁତି ଦେଇଥିଲେ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କ୍ରୀଡାର ପ୍ରସାର ଓ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବାକୁ ଏକାଧିକ ପଡ଼ିଆରେ ବିଭିନ୍ନ ପ୍ରକାରର ଖେଳକୁ ନେଇ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘର ମିଳିତ ସହଯୋଗରେ ଆୟୋଜିତ ଏହି ସମର କ୍ୟାମ୍ପ ଜରିଆରେ ଶିବିରାର୍ଥୀଙ୍କୁ ଖେଳ ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ମିଳିବ । ଅନୁଷ୍ଠିତ ଏହି ସମର କୋଚିଂ କ୍ୟାମ୍ପ ଦୀର୍ଘ ୧ମାସ ଧରି ଚାଲିବ ବୋଲି ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ସମ୍ପାଦକ ସୁରେଶ ଚନ୍ଦ୍ର ପାଢୀ ସୂଚନା ଦେଇଛନ୍ତି । ତେବେ ଏନଆଇଏସ୍ କୋଚ୍ ତଥା ଅନ୍ତର୍ଜାତୀୟ ରେଫ୍ରି ପ୍ରଶାନ୍ତ କୁମାର ରଥ ପ୍ରଶିକ୍ଷାର୍ଥୀଙ୍କୁ କୋଚିଂ ଦେଉଥିବା ବେଳେ ଆଜିର ଏହି ଉଦଘାଟନୀ ସମାରୋହ ଅବସରରେ ଜିଲ୍ଲା ହ୍ୟାଣ୍ଡବଲ୍ ସଂଘର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଶୁଳ୍କା, ଶକ୍ତିଧର ରାଜଗୁରୁ, କୋଷାଧ୍ୟକ୍ଷ ଡ଼ଃ ମନୋଜ ପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।ଏଥିରେ ୧୫୦ରୁ ଉର୍ଦ୍ଧ୍ବ ଶିବିରାର୍ଥୀ ଉପସ୍ଥିତ ରହି ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ ।