ବ୍ରହ୍ମପୁର,୧୬/୦୫/୨୦୨୩:ବ୍ରହ୍ମପୁର ସହରର ଅଗ୍ରଣୀ ତଥା ପୁରାତନ କ୍ରିକେଟ କ୍ଲବ “ଲିଡ୍ ସ୍ପୋଟିଂ କ୍ଲବ” ପକ୍ଷରୁ ଏକ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ପଡିଆ ଠାରେ ଆରମ୍ଭ ହୋଇଛି । ଏହା ମେ ମାସ ୧୬ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଶିବିରରେ ପ୍ରଶିକ୍ଷଣ ଦେବା ପାଇଁ ଓଡିଶା ରଣଜୀ ଦଳର ପୂର୍ବତନ ଅଧୁନାୟକ ଶ୍ରୀ ବି.ସି.ସି.ସି ମହାପାତ୍ର ପ୍ରଶିକ୍ଷକ ଭାବେ ଏବଂ ତାଙ୍କ କାର୍ଯ୍ୟରେ ସହଯୋଗ କରିବା ସ୍ଥାନୀୟ ପ୍ରଶିକ୍ଷକ ବିଶ୍ବବନ୍ଧୁ ପାଢ଼ୀ ଏବଂ ସହରର ବରିଷ୍ଠ ଖେଳାଳୀମାନେ ତାଙ୍କୁ ସହଯୋଗ କରିବେ ବୋଲି କ୍ଲବ ପକ୍ଷରୁ ସଂପାଦକ ଇଂ ମନୋଜ ଦଣ୍ଡପାଟ ସୂଚନା ଦେଇଛନ୍ତି । ଆଜି ଶିବିରର ଉଦଘାଟନୀ ଦିବସରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩୫ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ୧୦ ବର୍ଷରୁ ଆରମ୍ଭ କରି ୧୯ ବର୍ଷ ବୟସ୍କ ଖେଳାଳୀ ଅଛନ୍ତି । ଅପରାହ୍ନରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ମେୟର ଶ୍ରୀମତି ସଂଘମିତ୍ରା ଦଳେଇ ଯୋଗ ଦେଇ ଶିବିରାର୍ଥୀଙ୍କୁ ଉତ୍ସାହିତ କରିବା ସହ ସମସ୍ତ କ୍ଷେତ୍ରରେ ସହଯୋଗ କରିବାର ପ୍ରତିଶୃତି ଦେଇଥିଲେ ।
ଅନ୍ୟତମ ଅତିଥି ଭାବେ ଡେପୁଟି ମେୟର ଶ୍ରୀ ଇ. ବିବେକ ରେଡ୍ଡୀ ନିୟମିତ ଅଭ୍ୟାସ ଜାରି ରଖୁବା ସହ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥ ତଥା ଯୁବ ଉଦ୍ୟୋଗପତି ଶ୍ରୀ ମିତେନ୍ କୁମାର ଭୂୟାଁ ପ୍ରଶିକ୍ଷଣ ନେଉଥିବା ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଭିବଷ୍ୟତ ଉଜ୍ଜଳ କାମନା କରିଥିଲେ । କ୍ଲବର ସାଧାରଣ ସଂପାଦକ ଇଂ ମନୋଜ
ଦଣ୍ଡପାଟଙ୍କ ତତ୍ୱାବଧାନରେ ଆୟୋଜିତ ସଭାରେ କ୍ଲବର ଉପ-ସଭାପତି ଶ୍ରୀ ଜେ.କାମେଶ୍ଵରା ରାଓ ସାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ଗଞ୍ଜାମ ଜିଲ୍ଲାର ପୂର୍ବତନ କ୍ରିକେଟ ଖେଳାଳୀ ଶ୍ରୀ ଅନିସ୍ ବେଗ୍ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କ୍ଲବର ପରିଚାଳକ ଶ୍ରୀ ସତ୍ୟବ୍ରତ ସାହୁ, କେ. କ୍ରିଷ୍ଣା ରାଓ, ସନ୍ଦିପ ମୁର୍ତ୍ତି,
ଗାନ୍ଧୀ ବେହେରା, ସୂର୍ଯ୍ୟ ନାରାୟଣ ଗଉଡ, ସରୋଜ ପଣ୍ଡା, ଅଶ୍ବିନୀ ମିଶ୍ର ଓ ଭିଭିନେଶ୍ ପାତ୍ର ସହଯୋଗ କରିଥିଲେ ।