ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନୀତି ହେଉଥିବା ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଭିଜିଲାନ୍ସ ଏସପିଙ୍କୁ ଦାବି ପତ୍ର ପ୍ରଦାନ

0
193

ବ୍ରହ୍ମପୁର, ୦୧/୦୮/୨୦୨୩ : ବ୍ରହ୍ମପୁର ସହରବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ବ୍ରହ୍ମପୁର ମହାନଗର ନିଗମ (ବିଏମସି) ସମ୍ପୁର୍ଣ୍ଣ ବିଫଳ ହୋଇଥିବା ବେଳେ, ଉନ୍ନୟନ ନାମରେ ବିଏମସି ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାମ ଗୁଡ଼ିକରେ ଦୁର୍ନୀତି ହେଉଥିବା ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବ୍ରହ୍ମପୁର ଭିଜିଲାନ୍ସ ଏସପି ଙ୍କୁ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ବ୍ରହ୍ମପୁର ମହାନଗର ନିଗମର ପରିମଳ ବ୍ୟବସ୍ଥା ସାଙ୍ଗକୁ ବ୍ରହ୍ମପୁର ସହରର ରାସ୍ତାଘାଟର ବିପର୍ଯ୍ୟସ୍ତ ଅବସ୍ଥା କାରଣରୁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି । ଭଲଥିବା କଂକ୍ରିଟ ରାସ୍ତାରେ ବେନିୟମ ଭାବେ ପେଭର୍ ବିଛାଉଛନ୍ତି । ହେଲେ ଖାଲଖମା ଓ ଗୋଡ଼ି ଉଠିଥିବା ରାସ୍ତାକୁ ବିଏମସି ପକ୍ଷରୁ ଧ୍ୟାନ ଦିଆଯାଉ ନଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ବ୍ରହ୍ମପୁର ମହାନଗର ନିଗମ ପ୍ରତି ବର୍ଷ ୨୦ କୋଟିରୁ ଉର୍ଦ୍ଧ ଟଙ୍କା ସହରର ରାସ୍ତା ପାଇଁ ଖର୍ଚ୍ଚ କରୁଥିବା କଥା କହୁଥିବା ବେଳେ ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରୁଛି । ରାସ୍ତା ନିର୍ମାଣ ନାଁରେ କୋଟି କୋଟି ଟଙ୍କା ହେରଫେର ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି, ତେଣୁ ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ବିଜେପି ପକ୍ଷରୁ ଦାବୀ କରାଯାଇଛି । ବ୍ରହ୍ମପୁର ସହରରେ ବିକାଶ ନାଁରେ ମୁକ୍ତା ଯୋଜନା ନିୟମର ଖୋଲା ଖୋଲି ଉଲଘଂନ ଚାଲିଛି । ନାଳ ତିଆରି କରିବା ବାହାନାରେ ବ୍ୟାପକ ଦୁର୍ନୀତି ହେବା ସାଙ୍ଗକୁ କାମ ଗୁଡ଼ିକ ଅତି ନିମ୍ନମାନର କରାଯାଉଛି । ବ୍ରହ୍ମପୁରରେ ଚାଲିଥିବା ନାଳ ଏବଂ ରାସ୍ତା ଗୁଡ଼ିକର ନିର୍ମାଣ କାମ ଅତି ନିମ୍ନମାନର ବୋଲି ସାହି ବାସିନ୍ଦା ଅଭିଯୋଗ କରୁଛନ୍ତି । ବନ ବିଭାଗର ଅନୁମତି ନନେଇ ବେଆଇନ ଭାବେ ଦୀର୍ଘ ବର୍ଷର ପୁରାତନ ବଡ଼ ବଡ଼ ଗଛ ଗୁଡ଼ିକୁ ବେଆଇନ ଭାବେ ନାଳ କାମ କରିବା ବାହାନାରେ କାଟି ଦିଆଯାଉଛି, ଯାହାକି ବେନିୟମ । ନାଳ କାମ ବେଳେ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର କରାଯିବା ପରିବର୍ତ୍ତେ ନାଳ ମଝିରେ ବିଦ୍ୟୁତ ଖୁଣ୍ଟ ଥାଇ ନାଳ ତିଆରି କରାଯାଉଛି । ନୂତନ ଭାବେ ନିର୍ମାଣ ହେଉଥିବା ନାଳର ଚଉଡ଼ା ଓ ଗଭୀରତା ପ୍ରତି ଦୁଇ ମିଟରରେ ବଦଳିଯାଉଛି । ବିଏମସି ଅଫିସର କେଉଁ ସ୍ୱାର୍ଥରେ ନାଳ କାର୍ଯ୍ୟକୁ ବଙ୍କେଇ ଦେଇ ନିୟମର ଖୋଲା ଖୋଲି ଉଲଘଂନ କରୁଛନ୍ତି ତାହାର ଭିଜିଲାନ୍ସ ତଦନ୍ତ କରାଯାଉ । ସରକାରଙ୍କ ନିୟମ ଅନୁଯାୟୀ ବର୍ଷା ଦିନେ ପୋଖରୀ ନିର୍ମାଣ କାର୍ଯ୍ୟ ନିଷିଦ୍ଧ ଥିବା ବେଳେ ଏହାର ଖୋଲା ଖୋଲି ଉଲଘଂନ କରାଯାୟୀ ବର୍ଷା ଦିନ ଆସିଲେ ନାଳ ଓ ବନ୍ଧ ସଫେଇ କାମ ଆରମ୍ଭ କରି ଟଙ୍କା ଆତ୍ମସାତ କରି ଠିକାଦାର ମାଲାମାଲ୍ ହେଉଛି । ତେଣୁ ସରକାରୀ ନିୟମ ଆଧାରରେ ଅନୁସନ୍ଧାନ କରିବାକୁ ଭାରତୀୟ ଜନତା ପାର୍ଟି ଦାବୀ କରୁଛି । ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଗତ ୨୦୧୭ରେ ଏକ କୋଟି ଟଙ୍କା ବ୍ୟୟରେ ଅନୁନ୍ୟ ୬୯ ଗୋଟି ମଡ୍ୟୁଲାର୍ ୟୁରିନାଲ ନିର୍ମାଣ ହୋଇଥିଲା କିନ୍ତୁ ଆଜି ରକ୍ଷଣା ବେକ୍ଷଣ ଅଭାବରୁ ପରିଶ୍ରାଗାର ଗୁଡ଼ିକ ବନ୍ଦ ହୋଇ ପଡ଼ିରହିଛି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ପରିଶ୍ରାଗାର ଗୁଡ଼ିକର ମରାମତି ଏବଂ ରକ୍ଷଣା ବେକ୍ଷଣ ନାଁରେ ବିଏମସି ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବର୍ଷକୁ ଖର୍ଚ୍ଚ ହେଉଥିବା ଦର୍ଶାଯାଉଛି । ଏପରିକି ବ୍ରହ୍ମପୁର ସହରର ସୌନ୍ଦର୍ଯ୍ୟକରଣ ନାଁରେ ବିଏମସି ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା କଥା କୁହାଯାଉଥିବା ବେଳେ ସହରର ପ୍ରମୁଖ କେତୋଟି ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ୱାଟର ଫାଉଣ୍ଟେନ ଗୁଡ଼ିକର ଅଚଳା ଅବସ୍ଥା ଦେଖିବାକୁ ମିଳୁଛି, ଏହାର ମଧ୍ୟ ବିଧିବଦ୍ଧ ଅନୁସନ୍ଧାନ ପୂର୍ବକ ଭିଜିଲାନ୍ସ ତଦନ୍ତ କରାଯିବାକୁ ବିଜେପି ଦାବୀ କରିଛି । ଜାନିବିଲି ପ୍ରକଳ୍ପ ଦ୍ୱାରା ବ୍ରହ୍ମପୁର ସହରର ପାଣି ସମସ୍ୟା ସମାଧାନ ହୋଇପାରିନାହିଁ । ବୋରୱେଲ୍ ଏବଂ ଓଭରହେଡ଼ ଟ୍ୟାଙ୍କ ଦ୍ଵାରା ଲୋକ ମାନଙ୍କୁ ଦିନକରେ ଘଣ୍ଟାଏ ଦୁଇ ଘଣ୍ଟା ପାଣି ଯୋଗାଯାଉଥିବା ବେଳେ ଅଦ୍ୟାବଧି ଜାନିବିଲି ପାଣିର ଦେଖା ନାହିଁ କିନ୍ତୁ ରକ୍ଷଣା ବେକ୍ଷଣ ନାଁରେ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା କଥା ଦର୍ଶାଇବା ଆଶ୍ଚର୍ଯ୍ୟାନ୍ୱିତ କରୁଛି । ଏହାର ଭିଜିଲାନ୍ସ ବିଭାଗ ତଦନ୍ତ କରିବାକୁ ବିଜେପି ପକ୍ଷରୁ ଦାବୀ କରାଯାଇଛି । ବ୍ରହ୍ମପୁର ମହାନଗର ନିଗମର କିଛି ମୁଷ୍ଟିମେୟ ଅଫିସର୍, ରାଜନେତା ଓ ଠିକାଦାରଙ୍କ ସ୍ୱାର୍ଥ ସାଧନ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାମ ଗୁଡ଼ିକ ଅତି ନିମ୍ନ ମାନର କରିବା ସାଙ୍ଗକୁ ରକ୍ଷଣା ବେକ୍ଷଣ ନାଁରେ ମହାଦୁର୍ନୀତି ଚାଲିଛି । ଏ‌ହାର ପୂର୍ଣ୍ଣଛେଦ ପକାଇବା ନିମନ୍ତେ ତୁରନ୍ତ ଭିଜିଲାନ୍ସ ବିଭାଗ ପକ୍ଷରୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଭାରତୀୟ ଜନତା ପାର୍ଟି ଦାବୀ କରିଛି । ଏହାସହ ଭିଜିଲାନ୍ସ ବିଭାଗ ଆବଶ୍ୟକ ମନେ କରନ୍ତି ତେବେ ସହରରେ ଦୁର୍ନୀତି ହେଉଥିବା କାମ ଗୁଡ଼ିକର ପ୍ରମାଣ ଦିଆଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏହି ଦାବୀ ପତ୍ରର ନକଲ ରାଜ୍ୟ ଭିଜିଲାନ୍ସ ଡ଼ିଜି,ଡ଼ିଏଫଓ ବ୍ରହ୍ମପୁର,ରାଜ୍ୟ ଗୃହ ବିଭାଗ ସଚିବ,ରାଜ୍ୟ ନଗର ଉନ୍ନୟନ ବିଭାଗ ସଚିବ ଏବଂ କେନ୍ଦ୍ର ଗୃହ ବିଭାଗ ମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରେରଣ କରାଯାଇଛି । ଆଜି ଏହି ଦାବୀପତ୍ର ଦେବା ସମୟରେ ବିଜେପି ଗଞ୍ଜାମ ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,କୃଷ୍ଣ ଚନ୍ଦ୍ର ଚୌଧୁରୀ,ସରୋଜ ପାତ୍ର,ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ମଦନ ମୋହନ ପାତ୍ର ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here