ସାନଖେମୁଣ୍ଡି , ୧୧/୦୮/୨୦୨୩: ପାଟପୁର ଥାନା ଆମ ପୋଲିସ ସମିତି ଏବଂ ପରିବହନ ବିଭାଗର ମିଳିତ ସୌଜନ୍ୟରୁ ଆଜି କଙ୍କୋରଡ଼ା ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଏକ ସଡକ ସୁରକ୍ଷା ଓ ଯୁବ ସଂସ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କଲେଜ୍ ଅଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ଜେନାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମ ପୋଲିସ ସମିତି ଆବାହକ ତଥା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଉପସ୍ଥିତ ରହିଥିଲେ । ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ତହସିଲଦାର ଡଃ ଶ୍ରୀନିବାସ ବେହେରା , ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ଼ା , ବାହନ ଦାସ , ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ସ୍ୱାଇଁ , ସମ୍ମାନିତ ଅତିଥି ଭାବେ ଛତ୍ରପୁର ପୋଲିସ ଜିଲ୍ଲା ମହିଳା ଅତିରିକ୍ତ ପୋଲିସ ଅଧିକ୍ଷକ ମମତା ନାୟକ , ସାନଖେମୁଣ୍ଡି ଅଗ୍ନିଶମ ଓ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଧିରଜ୍ ବିଧାର ପ୍ରମୁଖ ମଞ୍ଚାସିନ ରହି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଡକ ସୁରକ୍ଷା ଜନିତ ସଚେତନତା ସହ ଯୁବଶକ୍ତିର ଜାଗ୍ରତ ଚେତନା ନେଇ ନିଜନିଜ ଅଭିବ୍ୟକ୍ତି ରଖିଥିଲେ । ଯୁବ ସଂସ୍କାର ଜନିତ ସଚେତନା କାର୍ଯ୍ୟକ୍ରମ ଅବସରରେ ତହସିଲଦାର ଡଃ ଶ୍ରୀନିବାସ ବେହେରା ଏବଂ ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ସ୍ୱାଇଁ ନିଜନିଜ ଓଜସ୍ଵିନୀ ବକ୍ତବ୍ୟରେ ଉପସ୍ଥିତ ଯୁବ ଶିକ୍ଷାର୍ଥୀଙ୍କ ମାନସିକ ସ୍ଥିତାବସ୍ଥା ନେଇ ବହୁ ଉପାଦେୟ ପ୍ରେରଣା ପ୍ରଦାନ କରିଥିଲେ । ଶିକ୍ଷାର୍ଥୀଙ୍କ ମାନସିକ ଏକାଗ୍ରତା ଏବଂ ସେମାନଙ୍କ କିଛି କରିବାର ଆଭିମୁଖ୍ୟ ହିଁ ତାଙ୍କୁ ଆଗକୁ ବଢିବାର ସାହସ ଦେଉଥିବାରୁ ଆତ୍ମସଂଜମ ନିର୍ମିତ ପାଇଁ ବିଭିନ୍ନ ଉପାଦେୟ ପୁସ୍ତକର ସହାୟତା ନେବା ସହ ଗ୍ରନ୍ଥ କୀଟ ହେବାକୁ ଅନୁପ୍ରାଣିତ କରିଥିଲେ । ଆମ ପୋଲିସ ସମିତି ଆବାହକ ଶ୍ରୀ ମଲ୍ଲ ଉପସ୍ଥିତ ଯୁବ ଶିକ୍ଷାର୍ଥୀଙ୍କ ପାଇଁ ପୋଲିସ ବିଭାଗ ପକ୍ଷରୁ ରହିଥିବା ସର୍ବନିମ୍ନ ସହାୟତା ସମନ୍ଧିତ ତଥ୍ୟ ରହିବା ସହିତ ଯୁବଗୋଷ୍ଠୀ ତଥା କଲେଜ୍ ପଢ଼ୁଆଙ୍କୁ ଭ୍ରମିତ କରୁଥିବା ସାଇବର ଠକେଇ , ଉଦ୍ଭଟ ଏବଂ କ୍ଷତି ସାଧନ କରୁଥିବା ମୋବାଇଲ ଆପ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ କଲେଜ ଶିକ୍ଷାର୍ଥୀଙ୍କୁ ବିପର୍ଯ୍ୟୟ ପରିଚାଳନା ଶିକ୍ଷା ପ୍ରଦାନ ନେଇ ସାନଖେମୁଣ୍ଡି ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ଅଧିକାରୀ ଏବଂ ଟିମ୍ ଦ୍ଵାରା ଅଗ୍ନି ନିର୍ବାପନ ସହ ଜରୁରୀକାଳୀନ ସ୍ଥିତିରେ ଉଦ୍ଧାର କାର୍ଯ୍ୟର ମକ ଡ୍ରିଲ କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ଡ୍ରାଇଭର ସଂଘ ,ସାନଖେମୁଣ୍ଡି ପକ୍ଷରୁ ସଭାପତି ମଧୁସୂଦନ ନାୟକ ,ସମ୍ପାଦକ ମିହିର ସୁଆଁସିଆଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ତହିଁ ସଡକ ସୁରକ୍ଷାରେ ସେମାନଙ୍କ ଭୂମିକା ନିର୍ବାହରେ ଜନସାଧାରଣ ସହଯୋଗିତା ଆଶା କରିଥିଲେ । କାର୍ଯ୍ୟକ୍ରମକୁ ଇତିହାସ ବିଭାଗ ଅଧ୍ୟାପକ ସୁଶାନ୍ତ ପଣ୍ଡା ସଂଯୋଜନା କରିଥିବା ବେଳେ ନାକ ସଂଯୋଜକ ଡଃ,ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମର ରୂପରେଖ ଚୂଡାନ୍ତ କରିଥିଲେ । ଉପସ୍ଥିତ କଲେଜ୍ ଅଧ୍ୟାପକ ଅଧ୍ୟାପିକାଙ୍କ ସହ କର୍ମଚାରୀଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପରିଶେଷରେ ଇଂରାଜୀ ଅଧ୍ୟାପିକା ଡଃ ସସ୍ମିତା କୁମାରୀ ସାହୁ ଉପସ୍ଥିତ ଅତିଥିଙ୍କୁ ସମ୍ଭାଷଣ ସହ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ ।