ବ୍ରହ୍ମପୁର,୧୭/୦୨/୨୦୨୪:
ବିଲ୍ ନ ଦେବା ଏବଂ ମଶା ମରା ବ୍ୟାଟ୍ ରେ ଖରାପ ବ୍ୟାଟେରୀ ଲଗାଇ ଟଙ୍କା ଆଦାୟ କରିଥିବା ମାମଲାରେ ଉପଭୋକ୍ତା କୁ କ୍ଷତିପୂରଣ ଦେବା ପାଇଁ ସର୍ଭିସ୍ ସେଣ୍ଟର କୁ ଉପଭୋକ୍ତା ଅଦାଲତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ପ୍ରକାଶ ଥାଉକି ବ୍ରହ୍ମପୁର ବାସିନ୍ଦା ଶ୍ରୀ କେ.କେ.କିରଣ ନିଜ ପାଇଁ ଏକ ନୂଆ ମଶକିଟୋ ବ୍ୟାଟ୍ ମେ,୨୦୨୦ ମସିହାରେ ୨୨୦/-ଟଙ୍କା ଦେଇ କିଣିଥିଲେ। କିଛି ଦିନ ବ୍ୟବହାର ପରେ ଖରାପ ହୋଇଯାଇଥିଲା। ମଶକିଟୋ ବ୍ୟାଟ୍ ବିକ୍ରେତାଙ୍କ ପରାମର୍ଶ ଅନୁସାରେ ଶ୍ରୀ କିରଣ ବ୍ରହ୍ମପୁର ବଡବଜାର ସ୍ଥିତ ଗଣେଶ ମାର୍କେଟ ର ସିଲୁ ସର୍ଭିସ୍ ସେଣ୍ଟର କୁ ଉକ୍ତ ବ୍ୟାଟ୍ ତିଆରି କରିବା ପାଇଁ ଦେଇଥିଲେ। ବ୍ୟାଟେରୀ ଖରାପ ଥିବା ଯୋଗୁଁ ସିଲୁ ସର୍ଭିସ୍ ସେଣ୍ଟର ଉକ୍ତ ବ୍ୟାଟେରୀ କୁ ପରିବର୍ତ୍ତନ କରି ଏକ ନୂତନ ବ୍ୟାଟେରୀ ବାବଦରେ ୫୦/-ଟଙ୍କା ନେଇଥିଲା । କିନ୍ତୁ ଉକ୍ତ ବ୍ୟାଟେରୀ ର ବିଲ୍ ଦେଇନଥିଲା । କିନ୍ତୁ ସେହି ପରିବର୍ତ୍ତିତ ବ୍ୟାଟେରୀ ଟି ମଧ୍ୟ କାମ କରିବା ବନ୍ଦ କରିଦେଇଥିଲା । ଶ୍ରୀ କିରଣ ଏହି ବିଷୟରେ ଜଣାଇବା ପରେ, ସିଲୁ ସର୍ଭିସ୍ ସେଣ୍ଟର ର ମାଲିକ ଶ୍ରୀ କିରଣ ଙ୍କୁ ଅନ୍ୟ ଗ୍ରାହକ ମାନଙ୍କ ସାମ୍ନାରେ ଦୁର୍ବ୍ୟବହାର କରିବା ସହ ନୂଆ ମଶକିଟୋ ବ୍ୟାଟ୍ କୁ ନିଜ ପାଖରେ ରଖି ଦେଇଥିଲା, ଫେରାଇ ନଥିଲା। ମଶକିଟୋ ଠାରୁ ସୁରକ୍ଷା ପାଇବା ପାଇଁ ଶ୍ରୀ କିରଣ ପୁରୁଣା ମଶକିଟୋ ବ୍ୟାଟ୍ ର ବ୍ୟାଟେରୀ ପରିବର୍ତ୍ତନ କରି ତିଆରି କରିବା ପାଇଁ ଅନୁରୋଧ କରିଥିଲେ କିନ୍ତୁ ସିଲୁ ସର୍ଭିସ୍ ସେଣ୍ଟର ତାହା କରିନଥିଲା । ଅନ୍ୟୋପାୟ ନ ପାଇଁ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ର ର ସହଯୋଗ ଲୋଡ଼ିଥିଲେ। କିନ୍ତୁ ସିଲୁ ସର୍ଭିସ୍ ସେଣ୍ଟର ପରାମର୍ଶ କେନ୍ଦ୍ର ର ପରାମର୍ଶ ମାନିନଥିଲା । ବାଧ୍ୟ ହୋଇ, ଶ୍ରୀ କିରଣ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ ଠାରେ ଉପଭୋକ୍ତା ଅଭିଯୋଗ ସଂଖ୍ୟା ୧୧/୨୦୨୧ ଦାଖଲ କରିଥିଲେ।
ଉଭୟ ପକ୍ଷ ତରଫରୁ ଉପସ୍ଥାପିତ ପ୍ରମାଣ ଓ ଶୁଣାଣି ପରେ ଜିଲ୍ଲା ଉପଭୋକ୍ତା ଆୟୋଗ ରାୟ ରେ ଉପଭୋକ୍ତା ଶ୍ରୀ କେ.କେ.କିରଣ ଙ୍କୁ କ୍ଷତିପୂରଣ ବାବଦରେ ୧୫୦୦/-ଟଙ୍କା ଓ ମାମଲା ଖର୍ଚ୍ଚ ବାବଦରେ ୧୦୦୦/-ଟଙ୍କା ଦେବା ସହ ମଶକିଟୋ ବ୍ୟାଟ୍ ପାଇଁ ଏକ ନୂଆ ବ୍ୟାଟେରୀ, ବିଲ୍ ଓ ଓ୍ବାରେଣ୍ଟି କାର୍ଡ ୪୫ ଦିନ ମଧ୍ୟରେ ଦେବା ପାଇଁ ସିଲୁ ସର୍ଭିସ୍ ସେଣ୍ଟର କୁ ନିର୍ଦ୍ଦେଶ ଦେଇଛନ୍ତି।