ବ୍ରହ୍ମପୁର, ୧୦/୦୫/୨୦୨୪ : ‘ଦାର୍ଢ୍ୟତା ଭକ୍ତି’ର ରଚୟିତା ଭକ୍ତ ରାମ ଦାସଙ୍କ ସାଧନା ପୀଠ ଡୁରା ଗ୍ରାମର ପ୍ରସିଦ୍ଧ ମୁକ୍ତେଶ୍ଵର ମନ୍ଦିର ପରିସରରେ ଆୟୋଜିତ ପଞ୍ଚଦିବସୀୟ ବିଶ୍ୱ କଲ୍ୟାଣ ହରିହର ମହାଯଜ୍ଞ ଆଜି ବିଳମ୍ବିତ ରାତିରେ ସମାହିତ ହୋଇଯାଇଛି l ଅକ୍ଷୟ ତୃତୀୟାରେ ପାବନ ତିଥିରେ ଆଜି ରାତି ୮ଟା ୧୫ ମିନିଟ୍ ସମୟରେ ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ଉପସ୍ଥିତିରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ହରିହର ମହାଯଜ୍ଞର ପୂର୍ଣ୍ଣାହୂତି କରାଯାଇଥିଲା l ହରିବୋଲ, ହୁଳହୁଳି ଧ୍ଵନିରେ ଯଜ୍ଞସ୍ଥଳ ମୁଖରିତ ହୋଇ ଉଠିଥିଲା l ନାମଯଜ୍ଞ, ଜ୍ଞାନଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞର ପବିତ୍ର ସମାଗମ ମଧ୍ୟରେ ସମଗ୍ର ଡୁରା-ପଥରା ଗ୍ରାମ ପଞ୍ଚାୟତରେ ଏକ ଧର୍ମୀୟ ପରିବେଶ ସୃଷ୍ଟି ହୋଇଥିଲା l ପ୍ରତ୍ୟହ ମଧ୍ୟାହ୍ନ ଓ ରାତିରେ ଦଶ ହଜାରରୁ ଊର୍ଦ୍ଧ୍ଵ ସଂଖ୍ୟକ ଲୋକ ଅନ୍ନଯଜ୍ଞରେ ପ୍ରସାଦ ସେବନ କରୁଥିଲେ l
ମେ’ ୪ ତାରିଖ ଦିନ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଶତାଧିକ ମହିଳା ମସ୍ତକରେ ପୂର୍ଣ୍ଣକୁମ୍ଭ ଧାରଣ ପୂର୍ବକ ଗ୍ରାମ ପରିକ୍ରମା କରିବା ପରେ ମୁକ୍ତେଶ୍ୱର ମନ୍ଦିର ଯଜ୍ଞସ୍ଥଳରେ ସ୍ଥାପନ କରିଥିଲେ l ମେ’ ୫ ତାରିଖ ଦିନ ତ୍ରିଶୂଳ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା l ମେ’ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱ କଲ୍ୟାଣ ହରିହର ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା l ଗ୍ରାମର ମଧ୍ୟସ୍ଥଳରେ ଥିବା ଗୋପୀନାଥ ମନ୍ଦିରରୁ ବିରାଟ ପଟୁଆରରେ ଗୋପୀନାଥଙ୍କୁ ଏକ ସୁସଜ୍ଜିତ ବିମାନରେ ଯଜ୍ଞସ୍ଥଳକୁ ଆମନ୍ତ୍ରଣ କରାଯାଇଥିଲା l ଶହ ଶହ ଶ୍ରଦ୍ଧାଳୁ ଦମ୍ପତି ତୁଳସୀ ଓ ବେଲପତ୍ର ଅର୍ଚ୍ଚନାରେ ଅଂଶଗ୍ରହଣ କରିଥିଲେ l ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆମନ୍ତ୍ରିତ ସଂକୀର୍ତ୍ତନ ମଣ୍ଡଳୀ ନାମଯଜ୍ଞରେ ସାମିଲ୍ ହୋଇଥିଲେ l
ବିଶ୍ୱ କଲ୍ୟାଣ ମହାଯଜ୍ଞର ପୁରୋହିତ ରୂପେ କାମାକ୍ଷା ପ୍ରସାଦ ପାଢ଼ୀ, ଆଶିଷ କୁମାର ପାଢ଼ୀ, ହରିହର ପାଢ଼ୀ, ପବିତ୍ର ପ୍ରସାଦ ପାଢ଼ୀ, ନିରଞ୍ଜନ ପତି ଓ ଜଗଦୀଶ ପୁରୋହିତ ପ୍ରମୁଖ ଯଜ୍ଞକାର୍ଯ୍ୟ, ପୂଜାର୍ଚ୍ଚନା, ଜ୍ଞାନଯଜ୍ଞ ସଂଚାଳନ କରିଥିଲେ l ଡୁରା ଅଞ୍ଚଳର ନବଘନ ସାହୁ, ଡ. ବନମାଳୀ ପାଣିଗ୍ରାହୀ, କାଳୀଚରଣ ପାତ୍ର, ହରିକୃଷ୍ଣ ରାଉଳ, ପ୍ରଦୀପ କୁମାର ରଣା, ରବୀନ୍ଦ୍ର କୁମାର ସାହୁ, ଅଶୋକ ପାଢ଼ୀ, କୃଷ୍ଣଚନ୍ଦ୍ର ମହାରଣା ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧାନରେ ବିଶ୍ୱ କଲ୍ୟାଣ ହରିହର ମହାଯଜ୍ଞ ଶାନ୍ତି ଶୃଙ୍ଖଳାର ସହିତ ସଂପନ୍ନ ହୋଇଛି l
ଆସନ୍ତାକାଲି ନଗର ପରିକ୍ରମା, ଫଗୁ ଖେଳ, ୧୦୮ ବ୍ରାହ୍ମଣ ଭୋଜନ ସହ ସପ୍ତାହ ବ୍ୟାପୀ ଏହି ଧର୍ମୀୟ କର୍ମାନୁଷ୍ଠାନ ସମାହିତ ହେବ l ଡୁରା ଗ୍ରାମ ପଞ୍ଚାୟତର ଲୋକମାନଙ୍କ ଆର୍ଥିକ ଅନୁଦାନ ଓ ସକ୍ରିୟ ସହଯୋଗ ଫଳରେ ଏହି ଧର୍ମାନୁଷ୍ଠାନ ଶାନ୍ତି ଶୃଙ୍ଖଳାର ସହିତ ସଂପନ୍ନ ହୋଉଛି l
Home ବ୍ରହ୍ମପୁର ସ୍ପେଶାଳ ଡୁରା ମୁକ୍ତେଶ୍ୱର ମନ୍ଦିର ପରିସରରେ ଆୟୋଜିତ ବିଶ୍ୱ କଲ୍ୟାଣ ହରିହର ମହାଯଜ୍ଞର ପୂର୍ଣ୍ଣାହୂତି