ଭୂବନେଶ୍ୱର,୨୯/୦୬/୨୦୨୪:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁଲାଇ ପହିଲାରୁ ସାଧାରଣ ଜନତାଙ୍କ ଅଭିଯୋଗ ଣୁଣାଣି କରିବେ। ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପ୍ରସ୍ତୁତ ହେଉଥିବା ବେଳେ ଜୁଲାଇ ୧ ତାରିଖରୁ ଏଠାରେ କାର୍ଯ୍ୟ ଆରମ୍ଭ ହେବ। ଏନେଇ ଆଜି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି କି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁଲାଇ ୧ ତାରିଖ ଦିନ ୧୧ଟାରୁ ଭୁବନେଶ୍ୱରର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିବେ।ତେବେ ଏହି ଅଭିଯୋଗ ଶୁଣାଣି ପାଇଁ ସେହିଦିନ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ପଞ୍ଜିକରଣ କରାଯିବ। ଯେଉଁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଅଭିଯୋଗ ଜଣାଇବା ପାଇଁ ଚାହୁଁଛନ୍ତି ସେମାନେ ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ପଞ୍ଜିକରଣ କରିପାରିବେ। ଏହାପରେ ସେମାନଙ୍କ ଅଭିଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ପାରିବେ।