ଖଲ୍ଲିକୋଟ ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ପ୍ରଦାନ ସହ ଅନ୍ୟାନ୍ୟ ଦାବିରେ ଏଆଇଡିଏସ୍ଓ ପକ୍ଷରୁ ବିକ୍ଷୋଭ

0
63

ବ୍ରହ୍ମପୁର,୧୯/୦୭/୨୦୨୪: ଆଜି ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ସମ୍ମୁଖରେ, ଏଆଇଡିଏସ୍ଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ପ୍ରଦାନ କରିବା ସହ ସମସ୍ତ ଅଧ୍ୟାପକ ଏବଂ ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ପୂରଣ କରିବା, ଛାତ୍ର ସଂସଦ ନିର୍ବାଚନର ତାରିଖ ଘୋଷଣା କରିବା, ଏବଂ ଛାତ୍ରଛାତ୍ରୀଙ୍କୁ ଫ୍ରି ବସ୍ ପାସ୍ ଯୋଗାଇଦେବା ଦାବିରେ ଏଆଇଡିଏସ୍ଓ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁଏକ ବିକ୍ଷୋଭ ଅନୁଷ୍ଠିତ ହେବା ସହ ଏକ ଦାବିପତ୍ର ବିଶ୍ବବିଦ୍ୟାଳୟ କୁଳପତିଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବ୍ରହ୍ମପୁରସ୍ଥିତ ପୂର୍ବର ଖଲ୍ଲିକୋଟ ମହାବିଦ୍ୟାଳୟ (ବର୍ତ୍ତମାନ ଏକକ ବିଶ୍ଵବିଦ୍ୟାଳୟ) ରାଜ୍ୟର ଏକ ଐତିହ୍ୟ ସମ୍ପନ୍ନ ଶିକ୍ଷାନୁଷ୍ଠାନ । ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଂଚଳରୁ ବହୁ ଛାତ୍ରଛାତ୍ରୀ ଏହି ମହାବିଦ୍ୟାଳୟରୁ ପାସ୍ କରି ରାଜ୍ୟ, ଦେଶ ତଥା ଦେଶ ବାହାରେ ବହୁ ସୁନାମ ଅର୍ଜନ କରିଛନ୍ତି । ସରକାର ଖଲ୍ଲିକୋଟ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ଘୋଷଣା କଲେ ସତ କିନ୍ତୁ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ଏହି ଶିକ୍ଷାନୁଷ୍ଠାନଟି ୟୁଜିସି ମାନ୍ୟତା ପାଇପାରିନାହିଁ । ଏହି ଶିକ୍ଷାନୁଷ୍ଠାନରେ ଏବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଥିବା ମନେ ହେଉଛି । ଖଲ୍ଲିକୋଟ ମହାବିଦ୍ୟାଳୟକୁ ସ୍ବୟଂଶାସିତ ମହାବିଦ୍ୟାଳୟ ଘୋଷଣା କରାଯିବା ପରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ, ତା’ପରେ ଖଲ୍ଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟ ଏବଂ ବର୍ତ୍ତମାନ ଏହାକୁ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଭାବେ ନାମିତ କରାଯାଇଛି । ଏହା ଗବେଷଣା ବିଶ୍ବବିଦ୍ୟାଳୟ ଥିବା ବେଳେ ଏହାକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ ଯୋଡ଼ାଯାଇଥିଲା । କିନ୍ତୁ ଏବେ ଏକକ ବିଶ୍ଵ ବିଦ୍ୟାଳୟର ମାନ୍ୟତା ପାଇବା ପରେ ୟୁଜିସି ମାନ୍ୟତା ମିଳିନଥିବା ଯୋଗୁଁ ଏହି ଶିକ୍ଷାନୁଷ୍ଠାନକୁ କୌଣସି ଅନୁଦାନ ମିଳିପାରୁନାହିଁ ଏବଂ ଶିକ୍ଷାର୍ଥୀଙ୍କୁ ବିଶ୍ଵବିଦ୍ୟାଳୟ ତରଫରୁ ପ୍ରଦତ୍ତ ସାର୍ଟିଫିକେଟ ବୈଧ କି ନୁହେଁ, ଏହାମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

୧୮୭୮ ମସିହାରେ ସ୍ଥାପିତ ଏହି ଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ଶ୍ରେଣୀରେ ମୋଟ ୧୮ଟି ନିୟମିତ, ୫ଟି ସେଲ୍ଫ ଫାଇନାନ୍ସ ଓ ସ୍ନାତକ ଶ୍ରେଣୀରେ ମୋଟ ୧୭ଟି ପାଠ୍ୟକ୍ରମରେ ଶିକ୍ଷା ଦାନ ଚାଲିଛି । କିନ୍ତୁ ଏହି ପାଠପଢ଼ା କାର୍ଯ୍ୟ ସମ୍ପାଦନ କରୁଥିବା ଶିକ୍ଷକ ବା ଅଧ୍ୟାପକଙ୍କ ଘୋର ସଙ୍କଟ ଦେଖିବାକୁ ମିଳିଛି । ଏଠି ମୋଟ ୧୧୨ ଜଣ ଅଧ୍ୟାପକ ଓ ୨୫ ଜଣ ଅଣ ଶିକ୍ଷକ ପଦ ଖାଲିପଡ଼ିଛି । ସବୁଠାରୁ ବଡ଼ ଓ ପରିତାପର ବିଷୟ ହେଉଛି ବିଶ୍ଵବିଦ୍ୟାଳୟରେ ହିନ୍ଦୀ, ଅର୍ଥନୀତି ଓ ଗଣିତ ଭଳି ଗୁରୁତ୍ୱପୂର୍ଣ୍ଣବିଭାଗରେ ଶିକ୍ଷକ ବା ଅଧ୍ୟାପକଙ୍କ ସଂଖ୍ୟା ଶୂନ । ଏହି ଶିକ୍ଷକ ବା ଅଣ ଶିକ୍ଷା କର୍ମଚାରୀଙ୍କ ଅଭାବ ଯୋଗୁଁ ଠିକ୍ ସମୟରେ କୋର୍ସ ଶେଷ କରିବା, ପରୀକ୍ଷା କରିବା ଓ ତ୍ରୁଟିମୁକ୍ତ ଫଳ ପ୍ରକାଶନ କରିବାରେ ଅସୁବିଧା ହେଉଛି ।ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର ଏବଂ ଶିକ୍ଷା ସମସ୍ୟା ବିରୁଦ୍ଧରେ ଲଢେଇର ଅସ୍ତ୍ର ଛାତ୍ର ସଂସଦ ନିର୍ବାଚନରେ ପ୍ରଥମରେ ଲିଙ୍ଗଡୋ କମିଶନ ଜରିଆରେ ବିଭିନ୍ନ ପ୍ରକାର କଟକଣା ଲାଗୁକରଗଲା ଏବଂ ଏହାପରେ ଗତ ୭ବର୍ଷ ଧରି ସମ୍ପୂର୍ଣ୍ଣ ଭାବେ ନିର୍ବାଚନ ବନ୍ଦ କରି କର୍ତ୍ତୃପକ୍ଷଙ୍କ ନିକଟରେ ଛାତ୍ରଛାତ୍ରୀଙ୍କ ନିଜସ୍ଵ ଦାବି ଉପସ୍ଥାପନ କରିବାର ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି ।
ବିଶ୍ଵବିଦ୍ୟାଳୟରେ ପଢ଼ିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଗରିବ ଏବଂ ମଧ୍ୟବିତ୍ତ ଘରର ଛାତ୍ରଛାତ୍ରୀ ଆସନ୍ତି । ବସରେ ଯିବା ଆସିବାରେ କରିବା ପାଇଁ ଛାତ୍ରଛାତ୍ରୀମାନେ ବହୁ ବହୁ ହୁଅନ୍ତି । ତେଣୁ ଉପରଲିଖିତ ସମସ୍ତ ଦାବି ଅବିଳମ୍ବେ ପୂରଣ କରିବା ପାଇଁ ଏଆଇଡିଏସ୍ଓ ପକ୍ଷରୁ ଦୃଢ଼ ଦାବି କରାଯାଇଛି ।ଆଜିର ଏହି କାର୍ଯ୍ୟକ୍ରମରେ ଏଆଇଡିଏସଓ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଶିବାନୀ ଶଙ୍କର ମିଶ୍ର , ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ଉପସଭାପତି ପପୁନ ସାହୁ, ସମ୍ପାଦକ ନାରାୟଣ ସାହୁଙ୍କ ସମେତ ଶୁଭସ୍ମିତା ପାଣିଗ୍ରାହୀ, କାମରାଜ ସାହୁ ଆଦି ସଂଗଠନର କର୍ମକର୍ତ୍ତା ଏବଂ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here