ବ୍ରହ୍ମପୁର,୨୮/୦୮/୨୦୨୪:ସ୍ଥାନୀୟ କନିସି ସ୍ଥିତ ଦିବାକର ପଟ୍ଟନାୟକ ଉଚ୍ଚତ୍ତର ଶିକ୍ଷା ଗବେଷଣା ପ୍ରତିଷ୍ଠାନ ବିବାଦ ପିଛା ଛାଡୁନି। ଓଡ଼ିଶାର ସର୍ବମୋଟ ୧୭ଗୋଟି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଉଚ୍ଚଶିକ୍ଷା ଅଧୀନରେ ପରିଚାଳିତ ହେଉଛି । ଏହି ମହାବିଦ୍ୟାଳୟ ଗୁଡିକରେ ୨୦୨୨ ମସିହାରେ ପ୍ରାୟ ୩୬୪ଜଣ ଅଧ୍ୟାପକ-ଅଧ୍ୟାପିକା ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଛନ୍ତି I ତନ୍ମଧ୍ୟ ରୁ ଅନେକ ବି.ଏଡ଼ ଡିଗ୍ରୀଧାରୀ ନିଯୁକ୍ତି ପାଇଥିବାରୁ ବିବାଦ ଦେଖାଦେଇଛି I ଦୁଇ ବର୍ଷିଆ ବି.ଏଡ୍ ଓ ଏମ୍.ଏଡ଼ ଛାତ୍ରଛାତ୍ରୀଙ୍କୁ ପଢାରିବାକୁ ହେଲେ ଏମ୍ ଏଡ଼ ଓ ଶିକ୍ଷାରେ ପି.ଏଚ୍ ଡି ଡିଗ୍ରୀ ଥିବା ଆବଶ୍ୟକ I କିନ୍ତୁ ବିଡମ୍ବନାର ବିଷୟ ଏହିକି ଯେ, ପୂର୍ବ ସରକାର ଅମଳରେ ଅନେକ ବି.ଏଡ୍ ଡିଗ୍ରୀଧାରୀଙ୍କୁ ନିଯୁକ୍ତି ମିଳିଥିବାରୁ ସମସ୍ୟା ଦେଖାଦେଇଛି । ପ୍ରକାଶ ଥାଉକି, କୋରାପୁଟ ସ୍ଥିତ ଡି.ଏ.ଭି. ବି.ଏଡ କଲେଜର ଅଧ୍ୟକ୍ଷ ପ୍ରଫେସର ଦେବେନ୍ଦ୍ର କୁମାର ସେଠୀ ଓ ଅନ୍ୟ ଛଅ ଜଣ ଅଧ୍ୟାପକ-ଅଧ୍ୟାପିକା ଏନ୍.ସି.ଟି.ଇ.୨୦୧୪ ଆପେଣ୍ଡିକ୍ସ ନିୟମାନୁସାରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଏହି ନିୟମ ସମସ୍ତ ବି.ଏଡ୍ କଲେଜ ପାଇଁ ଲାଗୁ ଅଟେ । କିନ୍ତୁ ସମସ୍ତ ୧୫ଗୋଟି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧକ୍ଷ ଓ ଅଧ୍ୟାପକ-ଅଧ୍ୟାପିକା ଏନ୍.ସି.ଟି.ଇ.କୁ ଚକମା ଦେଇ ଶିକ୍ଷାଦାନ କରୁଛନ୍ତି । ଏହା ଶିକ୍ଷକ-ଶିକ୍ଷା ମହାବିଦ୍ୟାଳୟ ର ଭବିଷ୍ୟତ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅନ୍ୟପକ୍ଷରେ ରାଜ୍ୟସରକାର ସଂହାର ନିର୍ଦ୍ଧାରିତ ୧୫ଗୋଟି ଶିକ୍ଷକ-ଶିକ୍ଷା ମହାବିଦ୍ୟାଳୟରେ ୪ ବର୍ଷିଆ ଶିକ୍ଷକ-ଶିକ୍ଷା କାର୍ଯ୍ୟକ୍ରମ ଏଯାବତ୍ ଆରମ୍ଭ ହୋଇନାହିଁ I
ଏହି ଗବେଷଣା ପ୍ରତିଷ୍ଠାନ ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ଅଟେ । ଦୁଇବର୍ଷିଆ ପାଠ୍ୟକ୍ରମ ବି.ଏଡ୍, ଏମ.ଏଡ୍ ଓ ପି.ଏଚ.ଡି ଡିଗ୍ରୀ ବିଷୟରେ ଶିକ୍ଷା ଦେବାପାଇଁ ଏଠାରେ ୨୦ଜଣ ଅଧ୍ଯାପକ- ଅଧ୍ୟାପିକା ଓ ୧୫ଜଣ କର୍ମଚାରୀ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ବି.ଏଡ୍ ରେ ୧୦୦ ଆସନ ଓ ଏମ୍ ଏଡ଼ ରେ ୫୦ ଆସନ ପାଇଁ ନାମ ଲେଖା ପ୍ରକ୍ରିୟା ଚାଲିଛି I କିନ୍ତୁ ପରିତାପର ବିଷୟ ଏହିକି ଯେ, ଅଧିକାଂଶ ଅଧ୍ୟାପକ-ଅଧ୍ୟାପିକାଙ୍କର ଏନ୍.ସି.ଟି.ଇ.୨୦୧୪ ଆପେଣ୍ଡିକ୍ସ-୪ ନିୟମାନୁସାରେ ଯୋଗ୍ୟତା ନାହିଁ । ଖୋଦ୍ ଅଧ୍ୟକ୍ଷ ପ୍ରଫେସର ବିମଳ ଚରଣ ସ୍ବାଇଁ ନିଜେ ଅଧ୍ୟକ୍ଷ ପଦ ପାଇଁ ଯୋଗ୍ୟ ନୁହନ୍ତି I ଅଧକ୍ଷ ଓ ଅଧ୍ୟାପକ-ଅଧ୍ୟାପିକା ଙ୍କ ମଧ୍ୟରେ ସମୟର ଘୋର ଅଭାବ ରହିଛି । ଉଭୟ ଭଞ୍ଜନଗର ଓ ବ୍ରହ୍ମପୁର କଲେଜର ଅଧ୍ୟକ୍ଷ ପଦବୀରେ ରହି ମୋଟା ଅଙ୍କର ଦରମା ନେଇ ଅଧ୍ୟକ୍ଷ ପ୍ରଫେସର ସ୍ବାଇଁ କଲେଜକୁ ନିୟମିତ ଆସୁନାହାନ୍ତି । ଅନେକ ସମୟରେ ସେମିନାର ଓ ବିଭିନ୍ନ କାର୍ଯ୍ୟକ୍ରମରେ କଟକ ଓ ଭୁବନେଶ୍ବର ଆଖପାଖରେ ରହୁଛନ୍ତି। ଫଳରେ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀଙ୍କ ମଧ୍ୟରେ ଅନେକ ସମୟରେ ବିଶୃଙ୍ଖଳା ତୀବ୍ର ରୂପ ନେବାରେ ଲାଗିଛି । କଲେଜର କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ବେହେରା ଓ ଅଧ୍ୟାପିକା ଲୋପାମୁଦ୍ରା ଜେନାଙ୍କ ବିଶୃଙ୍ଖଳା ମାମଲା ଏବେ ଥାନାରେ ପହଞ୍ଚିଛି I ପ୍ରକାଶ ଆଉକି, ଅଧ୍ୟାପିକା ଲୋପାମୁଦ୍ରା ଜେନା ପୂର୍ବରୁ କଲେଜର ଅଧ୍ୟକ୍ଷ ଶ୍ରୀକାନ୍ତ ପାଇକରାୟଙ୍କ ବିରୁଦ୍ଧରେ ମିଥ୍ୟା ଆରୋପ କରିଛନ୍ତି । ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଓ ଗଞ୍ଜାମ ଜିଲ୍ଲାପାଳ, ଅଧ୍ୟାପିକା ଲୋପାମୁଦ୍ରା ଜେନାଙ୍କ ବଦଳି ନିମନ୍ତେ ଉଚ୍ଚଶିକ୍ଷା ବିଭାଗକୁ ସୁପାରିଶ କରିଥିବା ବେଳେ ଲୋପାମୁଦ୍ରା ଜେନାଙ୍କ କୁଆଡ଼େ ଲମ୍ବା ହାତ ଥିବାରୁ ଉଚ୍ଚଶିକ୍ଷା ବିଭାଗ ତାଙ୍କୁ ଘଣ୍ଟ ଘୋଡାଇ ରଖିଥିବା ଅଭିଯୋଗ ହେଉଛି । ଫଳରେ ତାଙ୍କର ପତିଆରା ଦିନକୁ ଦିନ ବଢି ଚାଲିଛି I ଅଧ୍ୟକ୍ଷ ପ୍ରଫେସର ବିମଳ ଚରଣ ସ୍ବାଇଁ କିଛି କନିଷ୍ଠ ଅଯୋଗ୍ୟ ଅଧ୍ୟାପକ- ଅଧ୍ୟାପିକାଙ୍କୁ ଅନୁଷ୍ଠାନର ଗୁରୁତ୍ତ୍ୱପୂର୍ଣ ବିଭାଗର ଦାୟିତ୍ବ ଦେଇ ବରିଷ୍ଠ ଯୋଗ୍ୟ ଅଧ୍ୟାପକ ଅଧ୍ୟାପିକାଙ୍କୁ ଅଣଦେଖା କରୁଥିବାର ନଜର ଆସିଛି । ଫଳରେ ଅନୁଷ୍ଠାନରେ ବିଶୃଙ୍ଖଳା ତୀବ୍ର ରୂପ ଜେବାରେ ଲାଗିଛି । ଅଧ୍ୟକ୍ଷ ପ୍ରଫେସର ବିମଳ ଚରଣ ସ୍ବାଇଁ କୁଆଡ଼େ କିଛି ଅଧ୍ୟାପକ-ଅଧ୍ୟାପିକାଙ୍କୁ କାର୍ଯ୍ୟଦିବସ ସମୟରେ ଗୋପାଳ ପୁର ଓ ସୋନପୁର ବୁଲାଇବାକୁ ନେଉଥିବାର ଅଭିଯୋଗ ଆସିଛି I ଅଧ୍ୟକ୍ଷ ପ୍ରଫେସର ସ୍ବାଇଁ ଷ୍ଟାଫ୍ କାଉନସିଲ ବୈଠକରେ ଅଧିକାଂଶ ସମୟରେ କିଛି ଅଧ୍ୟାପକ-ଅଧ୍ୟାପିକାକୁ ଇଙ୍ଗିତ କରି ବଦଳି କରିଦେବାକୁ ଧମକ ଦେଉଥିବାର ଅଭିଯୋଗ ଆସିଛି I ଉଚ୍ଚଶିକ୍ଷା ବିଭାଗ ସଚିବ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏଦିଗରେ ହସ୍ତକ୍ଷେପ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବି ଜୋର ଧରିଛି।ଗତ ଶୁକ୍ରବାର ଘଟଣା ନେଇ ଅଧ୍ୟକ୍ଷ ପ୍ରଫେସର ସ୍ବାଇଁ ଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଘଟଣା ଦିନ ସେ କଲେଜ ରେ ଅନୁପସ୍ଥିତ ରହିଥିଲେ।ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଶୁଭଶ୍ରୀ ମିଶ୍ର ଦାୟିତ୍ଵ ରେ ରହିଥିଲେ।ଘଟଣା ଘଟିବା ନେଇ କ୍ୟାମ୍ପସ ପରିସରକୁ ପୁଲିସ ଆସିବା ପରେ ଜାଣି ପାରିଥିଲି ବୋଲି ମତପୋଷଣ କରିଥିଲେ। ତାଙ୍କ ପକ୍ଷରୁ ଘଟଣା ନେଇ ଗଞ୍ଜାମ ଜିଲ୍ଲାପାଳ ସମେତ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ଅବଗତ କରାଇବା ସହ ଘଟଣା ନେଇ ଆଜି ଅପରାହ୍ନରେ ଆଇ ସି ସି କମିଟିର ବୈଠକ ଡାକି ଘଟଣା ନେଇ ତଦନ୍ତ କରିବେ ବୋଲି ମତପୋଷଣ କରିଥିଲେ।ଘଟଣା ନେଇ କଲେଜ କୁ ଆନ୍ତର୍ଜାତିକ ମାନାବାଧିକାର ରକ୍ଷକ ଙ୍କ ଏକ ଟିମ୍ ପହଞ୍ଚି ଅଧ୍ୟକ୍ଷ ସମେତ ଅଧ୍ୟାପିକା ଓ କର୍ମଚାରୀ ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।ଏଣୁ ଶିକ୍ଷକ ଗଢା କାରଖାନା ରେ ଏପରି ବିଶୃଙ୍ଖଳିତ ଆଚରଣ ଘଟିବା ଘଟଣା ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ତୁରନ୍ତ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।