କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ବନ୍ଦ ହେବ !!!

0
26

ବ୍ରହ୍ମପୁର,୨୮/୦୮/୨୦୨୪:ଗଞ୍ଜାମ ଜିଲ୍ଲାର ୧୭ ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିଚାଳନା ପାଇଁ ଘୋର ଅନୁଦାନ ଯୋଗାଣରେ ଚରମ ଅବହେଳା ବେଳେ ସେହି ବିଦ୍ୟାଳୟ ପରିଚାଳନାରେ ଯେଉଁ ଅସୁବିଧା ଉପୁଜିଛି ସେଥିରୁ ବିଦ୍ୟାଳୟ ଗୁଡିକୁ ବନ୍ଦ କରାଯିବା ମସୁଧା ଚାଲିଥିବା ଆଶଙ୍କା ଦେଖାଦେଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଭାଗିଦାରୀ ବ୍ୟବସ୍ଥାରେ ଅନୁଦାନ ଯୋଗାଇ ସେହି ବିଦ୍ୟାଳୟ କାର୍ଯ୍ୟକାରୀ କରାଯାଉଥିଲା। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନରେ ପରିଚାଳିତ ବିଦ୍ୟାଳୟ ଗୁଡିକର ଦୁର୍ଦ୍ଦିନ ବୃଦ୍ଧି ପାଇଥିବା ଉଦବେଗ ର କାରଣ ହୋଇଛି। ଦୀର୍ଘ ପ୍ରାୟ ଚାରି ମାସ ହେବ ବିଦ୍ୟାଳୟ ଗୁଡିକୁ ଆର୍ଥିକ ଅନୁଦାନ ବନ୍ଦ କରାଯାଇଛି। ଫଳରେ କର୍ମଚାରୀଙ୍କ ଦରମା, ଛାତ୍ରୀ ନିବାସରେ ରହୁଥିବା ଶିକ୍ଷାର୍ଥୀମାନଙ୍କୁ ଆଵଶ୍ୟକୀୟ ଖାଦ୍ୟପେୟ ଯୋଗାଣ ସମସ୍ୟା ଦ୍ବିଗୁଣିତ ହୋଇଯାଇଥିବା ବିଭିନ୍ନ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଛାତ୍ରୀ ନିବାସ ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ବ୍ୟବସାୟୀ ବକେୟା ପାଉଣା ପାଇ ନ ଥିବାରୁ ଅତିଷ୍ଠ ହୋଇ ମୁହଁ ଫେରାଇଲେଣି। ଏପରି ଅବସ୍ଥାରେ ବିଦ୍ୟାଳୟ ପରିଚାଳନା କଷ୍ଟକର ବୋଲି କେତେକ କମିଟି ସଦସ୍ୟ ସୂଚନା ଦେଇଛନ୍ତି।
ଆର୍ଥିକ ଅନଗ୍ରସର, ଅଧାରୁ ପାଠ ଛାଡିଥିବା, ଆଦିବାସୀ,ହରିଜନ,ପଛୁଆବର୍ଗ ଓ ଅଭିଭାବକ ନ ଥିବା ବାଳିକମାନଙ୍କ ଶିକ୍ଷା ନିମନ୍ତେ ଷଷ୍ଠ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଓ ଛାତ୍ରୀ ନିବାସ ସମ୍ପୁର୍ଣ୍ଣ ମାଗଣା ସୁବିଧା ଏହି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ମାଧ୍ୟମରେ ସରକାର ଯୋଗାଇ ଆସୁଛନ୍ତି। ପ୍ରତ୍ୟେକ ବିବ୍ୟାଳୟରେ ୧୮୦ ରୁ ୨୦୦ ବାଳିକା ଛାତ୍ରୀ ନିବାସରେ ରହୁଛନ୍ତି। ବର୍ତ୍ତମାନ ଯେଉଁ ସମସ୍ୟା ସେହି ବିଦ୍ୟାଳୟ ଗୁଡିକରେ ଦେଖାଦେଇଛି ତାହା ସରକାରଙ୍କୁ ଜଣାଇବା ପାଇଁ କେତେକ କମିଟି ସଦସ୍ୟ ଓ ପ୍ରମୁଖ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଙ୍କୁ ଫେରାଦ ହେବାକୁ ବାହାରିଛନ୍ତି। ଏହି ବିଷୟରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଅମିତା ପଟ୍ଟନାୟକ ଙ୍କ ସହ ଯୋଗାଯୋଗ ବେଳେ ଏପରି କୌଣସି ଖବର ତାଙ୍କ ପାଖରେ ନ ଥିବା ସୂଚାଇ ବିଭାଗୀୟ ଅଧିକାରୀ ମାନଙ୍କ ଜରୀଆରେ ଅନୁଧ୍ୟାନ କରାଯିବ ବୋଲି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here