ସାଇବର ଠକଙ୍କ ଠାରୁ ସତର୍କ ରହିବାକୁ ଟିପିଏସ୍ଓଡିଏଲର ପରାମର୍ଶ। ମିଛ ଫୋନ୍ କଲ୍ ଏବଂ କେୱାଇସି ଅପରାଧରୁ ଦୂରେଇ ରହିବାକୁ ସତର୍କ କରିଛି କମ୍ପାନୀ

0
14

ବ୍ରହ୍ମପୁର, ୧୩/୦୯/୨୦୨୪: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ସାଇବର ଅପରାଧୀଙ୍କ ଠକାମୀରୁ ବଞ୍ଚିବା ପାଇଁ ଉପଭୋକ୍ତାଙ୍କ ଉଦ୍ଦେଶ୍ୟରେ ଏକ ମାର୍ଗଦର୍ଶିକା ଜାରି କରିଛି। ବକେୟା ବିଲ୍ ଥିବାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବ ବୋଲି କହି ସାଇବର ଠକମାନେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ବ୍ରହ୍ମପୁରରେ ଏଭଳି ଏକ ଘଟଣା ଘଟିଛି। ଜଣେ ସାଇବର ଠକ ୮୭୭୭୪୧୮୦୭୦ ନମ୍ବରରୁ କଲ୍ କରି ଏଭଳି ଠକାମୀ କରିଛନ୍ତି।

ଟିପିଏସଓଡିଏଲ୍ ତରଫରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଏହି ସାଇବର ଠକାମୀ କରୁଥିବା ବ୍ୟକ୍ତିମାନେ କମ୍ପାନୀ ଦ୍ୱାରା ଅନୁମୋଦିତ ନୁହଁନ୍ତି। ତେଣୁ ଗ୍ରାହକମାନଙ୍କୁ ଏଭଳି କଲ୍ କିମ୍ବା ମେସେଜର ଉତ୍ତର ଦେବା ସମୟରେ ସତର୍କତା ଅବଲମ୍ବନ କରିବାକୁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଛି। ଗ୍ରାହକଙ୍କୁ ଜଣାଇ ଦିଆଯାଇଛି ଯେ ବିଲ୍ ପୈଠ କରିବା ବେଳେ କିମ୍ବା ଅନ୍ୟ କୌଣସି ପେମେଣ୍ଟ କରିବା ସମୟରେ ଟିପିଏସ୍ଓଡିଏଲ୍ ପାସୱାର୍ଡ, ଓଟିପି, ବ୍ୟାଙ୍କ ବିବରଣୀ, ମୋବାଇଲ କିମ୍ବା ଲାପଟପ୍ ସ୍କ୍ରିନ୍ ପାସୱାର୍ଡ ଭଳି ସମ୍ବେଦନଶୀଳ ତଥ୍ୟ କେବେ ବି ମାଗି ନଥାଏ। ସୁରକ୍ଷିତ ଦେୟ ସୁନିଶ୍ଚିତ କରିବା ପାଇଁ, ଟିପିଏସ୍ଓଡିଏଲ୍ ସମସ୍ତ ଉପଭୋକ୍ତାଙ୍କୁ ଅଧିକୃତ ଦେୟ ପଦ୍ଧତି ଏବଂ ସଠିକ୍ ପେମେଣ୍ଟ ଚ୍ୟାନେଲ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛି।

କୌଣସି ଅଭିଯୋଗ କିମ୍ବା ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କିତ ସହାୟତା ପାଇଁ କମ୍ପାନୀର ୨୪/୭ ଟୋଲ୍ ଫ୍ରି ନମ୍ବର, ୧୮୦୦-୩୪୫-୬୭୯୭/ ୧୯୧୨ ମଧ୍ୟ ରହିଛି।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଆମେ ଟିପିଏସ୍ଓଡିଏଲରେ ଗ୍ରାହକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଉଅଛୁ। ଜାଲିଆତି ଏବଂ ଠକାମୀ କାର୍ଯ୍ୟକଳାପ ଉପରେ ନଜର ରଖିଛୁ। ଗ୍ରାହକମାନଙ୍କୁ କୌଣସି ସନ୍ଦେହଜନକ ଫୋନ୍ କଲ୍ କିମ୍ବା ମେସେଜ ଆସିଲେ, ଟିପିଏସ୍ଓଡିଏଲର ଟୋଲ ଫ୍ରି ନମ୍ବର ମାଧ୍ୟମରେ ଆମକୁ ଜଣାନ୍ତୃ। ସମସ୍ତ କାରବାର ପାଇଁ କେବଳ ଅଧିକୃତ ଚ୍ୟାନେଲ ବ୍ୟବହାର କରିବାକୁ ଆମେ ଉପଭୋକ୍ତାଙ୍କୁ ଅନୁରୋଧ କରୁଛୁ।”

ଗ୍ରାହକଙ୍କ ସୁରକ୍ଷା ପାଇଁ ଟିପିଏସ୍ଓଡିଏଲ୍ ପ୍ରତିଶ୍ରୁତିବଦ୍ଧ ଏବଂ ଏଭଳି ଠକେଇ କାର୍ଯ୍ଯକଳାପ ବିରୋଧରେ ସତର୍କ ରହିବା ପାଇଁ କମ୍ପାନୀ ପକ୍ଷରୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here