ବୁଗୁଡା , ୦୧/୧୧/୨୪ : ବୁଗୁଡାର ଏକ ଗ୍ୟାରେଜରେ କାମ କରୁଥିବା ଜଣେ ଶିଶୁ ଶ୍ରମିକ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତ୍ୟୁ ବରଣ କରିଥିବା ଶିଶୁ ଶ୍ରମିକ ଜଣକ ହେଲେ ଅନ୍ତରପଡା ଗ୍ରାମର ଆଲୋକ ସାହୁ। ଆଲୋକ ଗ୍ଯାରେଜରେ ରହି ଗାଡି ଧୋଉଥିଲେ। କୌଣସି କାରଣ ବଶତଃ ଶିଶୁ ଶ୍ରମିକ ଆଲୋକ ସାହୁ ଗ୍ୟାରେଜରେ ବିଦ୍ଯୁତ ସଂସ୍ପର୍ଶରେ ଆସିଯାଇଥିଲେ। ଗ୍ୟାରେଜ ମାଲିକ ଓ ଗ୍ୟାରଜର କାମ କରୁଥିବା କିଛି ଶ୍ରମିକ ଆଲୋକଙ୍କୁ ସଙ୍ଗେ ସଙ୍ଗେ ବୁଗୁଡା ମେଡିକାଲକୁ ଆଣିଥିଲେ। ପରୀକ୍ଷା ପରେ ଡାକ୍ତର ଶିଶୁ ଶ୍ରମିକ ଆଲୋକ ସାହୁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁ ଶିଶୁ ଶ୍ରମିକଙ୍କ ପରିବାର ଅତ୍ଯନ୍ତ ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ପରିବାର ପ୍ରତିପୋଷଣ ପାଇଁ ନାବାଳକ ପୁଅକୁ କାର୍ଯ୍ଯ କରିବା ପାଇଁ ପଠାଇଥିବା ଜଣାପଡ଼ିଛି। ମେଡିକାଲରେ ବୁଗୁଡା ପୋଲିସ୍ ପହଞ୍ଚି ଶବ ଜବତ କରିବା ସହ ବୁଗୁଡା ଥାନା ଅପମୃତ ମାମଲା ନଂ ୨୧/୨୪ ପ୍ରକାରେ ପଞ୍ଜିକୃତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିବା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି।