ଆର.ଆଇ ପରୀକ୍ଷା ବାତିଲ ଦାବିରେ ବ୍ରହ୍ମପୁରରେ ମଶାଲ ମାର୍ଚ୍ଚ।ଆସନ୍ତା ନଭେମ୍ବର ୫ରେ ମହାସଂଗ୍ରାମ – ଷ୍ଟୁଡେଣ୍ଟସ ଏଗନେଷ୍ଟ କରପସନ

0
10

ବ୍ରହ୍ମପୁର, ୦୩/୧୧/୨୦୨୪ : ଆର.ଆଇ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ସରକାରୀ ନିଯୁକ୍ତି ବ୍ୟବସ୍ଥାରେ ପ୍ରଚୁର ଦୁର୍ନୀତି ହେଉଥ‌ିବା ଅଭିଯୋଗ କରି ଷ୍ଟୁଡେଣ୍ଟସ ଏଗନେଷ୍ଟ କରପସନ ନେତୃତ୍ଵରେ ହଜାର ହଜାର ପରୀକ୍ଷାର୍ଥୀ ଆନ୍ଦୋଳନ କରି ଆସୁଥିବା ବେଳେ ସରକାର ‘ତଦନ୍ତ ଋଲିଛି ଓ ଖୁବ୍ ଶିଘ୍ର ସମୁଚିତ ନିଷ୍ପତ୍ତି ନିଆଯିବା’ ବୋଲି କହି ନିରବ ଅଛନ୍ତି। ସରକାରଙ୍କ ନିରବତା ବିରୁଦ୍ଧରେ ଅପରାହ୍ନ ୬ଘଟିକା ସମୟରେ ଶହ ଶହ ମେଧାବୀ ବ୍ରହ୍ମପୁର ଟାଉନ୍ ହଲ୍ ଠାରୁ ମଶାଲ ଶୋଭାଯାତ୍ରାରେ ବାହାରି ଏସ.ବି.ଆଇ ଛକ ଦେଇ ସହର ପରିକ୍ରମା କରି ଟାଉନ୍ ହଲ୍ ଠାରେ ପହଞ୍ଚିଥିଲେ। ପୂର୍ବରୁ ବ୍ରହ୍ମପୁରରେ ମେଧାବୀମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ ସହିତ ଆଡ଼ମିଟ୍ କାର୍ଡ ପୋଡ଼ି ପ୍ରତିବାଦ କରିଥିଲେ। ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଭବନକୁ ମଧ୍ୟ ଶହ ଶହ ଚିଠି ପଠାଇଥିଲେ। ଇତିମଧ୍ୟରେ ୧୮ଦିନ ବିତିଯାଇଥିଲେ ବି ସରକାର ନା ପରୀକ୍ଷା ବାତିଲ କରିଛନ୍ତି ନା କ’ଣ ତଦନ୍ତ ହେଲା ଜଣାଉଛନ୍ତି ।ପ୍ରତିବର୍ଷ ଭଳି ଚଳିତ ବର୍ଷ ଅକ୍ଟୋବର ୨୮ତାରିଖରୁ ନଭେମ୍ବର ୩ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ଏ ବର୍ଷ ନିଯୁକ୍ତି ବ୍ୟବସ୍ଥାରେ ଦୁର୍ନୀତିର ପୂର୍ଣ୍ଣଛେଦ ଉଭୟ ମେଧାବୀ ଓ ସରକାରଙ୍କ ପାଇଁ ଏକ ବଡ଼ ଆହ୍ଵାନ ସୃଷ୍ଟି କରିଛି ବୋଲି ଷ୍ଟୁଡେଣ୍ଟସ ଏଗନେଷ୍ଟ କରପସନର ଆବାହକ ବିଭୂତି ଭୂଷଣ ମହାପାତ୍ର କହିଛନ୍ତି।ଆସନ୍ତା ୪ ତାରିଖ ସୁଧା ପରୀକ୍ଷା ବାତିଲ ସହିତ ପୁନର୍ବାର ସ୍ଵଚ୍ଛତାର ସହ ପରୀକ୍ଷା ପାଇଁ ନିଷ୍ପତ୍ତି ନହେଲେ ଏହି ଆନ୍ଦୋଳନର ନିଆଁ ପୂର୍ବରୁ ଭୁବନେଶ୍ବର, କଟକ ଓ ଏବେ ବ୍ରହ୍ମପୁର ଭଳି ସାରା ରାଜ୍ୟକୁ ବ୍ୟାପିବା ସହିତ ଆସନ୍ତା ୫ ତାରିଖ ରେ ଲକ୍ଷ ଲକ୍ଷ ମେଧାବୀଙ୍କ ସହ ମହାସଂଗ୍ରାମର ଡ଼ାକରା ଦେଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପରମେଶ୍ଵର ବଳ, ରଞ୍ଜନ ସେଠୀ, କାହ୍ନୁ ପାତ୍ର,ଗଗନ ରଥ, ଆଶୀଶ ନାହାକ, ସୁଧାଂଶୁ ବେହେରା ପ୍ରମୁଖଙ୍କ ନେତୃତ୍ଵରେ ଶହ ଶହ ମେଧାବୀ ମଶାଲ ଶୋଭାଯାତ୍ରା ରେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here