ପୋଲସରା, ୨୮/୧୧/୨୪ : ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅଢେଇବର୍ଷର ଲୀଳାକ୍ଷେତ୍ର ଥିଲା ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମର ଶରଣ ଶ୍ରୀକ୍ଷେତ୍ର ତଥା ମାରଦା ମନ୍ଦିର। ମାଦଳା ପାଞ୍ଜିରୁ ଜଣାପଡିଛି ଯେ ୫୦୦ ମସିହାରୁ ୧୭୩୩ ମସିହା ମଧ୍ୟରେ ପୁରୀ ଶ୍ରୀମନ୍ଦିରକୁ ଆଫଗାନିମାନେ କ୍ରମାଗତ ଭାବେ ୧୨୩୩ ବର୍ଷ ଓ ମୋଗଲମାନଙ୍କ ଦ୍ୱାରା ୧୭ ଥର ଆକ୍ରମଣ କରିଥିଲେ। ମୁସଲମାନଙ୍କ ଆକ୍ରମଣ ହେବାର ଖବର ଗୁପ୍ତଚରଠାରୁ ଶୁଣିବା କ୍ଷଣି ସଙ୍ଗେ ସଙ୍ଗେ ଚାପ ଦଳେଇ ଓ ଅରିଆ ସେବକ ବୃନ୍ଦ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରୀମନ୍ଦିରରୁ ନେଇ ଅଜ୍ଞାତ ବାସରେ ରଖିଥାନ୍ତି। ଏହି ପରିପ୍ରେକ୍ଷୀରେ ୧୭୩୩ ମସିହାରୁ ମଥୁରା ମାରଦା ମନ୍ଦିରରେ ଦୀର୍ଘ ଅଢେଇ ବର୍ଷ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତଲୀଳା ଓ ସେବା ଚାଲୁ ରହିଥିଲା। ପୁରୀ ଗଜପତି ମହାରାଜା ଦ୍ଵିତୀୟ ରାମଚନ୍ଦ୍ର ଦେବାଙ୍କ ଅନୁରୋଧ କ୍ରମେ ଜଗନ୍ନାଥଙ୍କ ପରମ ଭକ୍ତ ଆଠଗଡ଼ ରାଜା ରଘୁନାଥ ହରିଚନ୍ଦନ ଜଗଦ୍ଦେବ ନିଜ ରାଜ୍ୟର ମଥୁରା ଜଙ୍ଗଲ ମଧ୍ୟରେ ପୁରୀରୁ କାରିଗର ଆଣି ମନ୍ଦିର ନିର୍ମାଣ କରି ଶ୍ରୀଜୀଉଙ୍କ ନୀତି ପ୍ରକାରେ ପୂଜା କରି ଗୋପନରେ ସ୍ଥାପନ କରିଥିଲେ। ବର୍ତ୍ତମାନ ମାରଦା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଯେଉଁ ପିଣ୍ଡି ବା ଆସନ ଉପରେ ରୁଢାସାନ ଥିଲେ ତାହାକୁ ପୂଜାର୍ଚ୍ଚନା କରାଯାଉଛି। ପୁରୀ ଶ୍ରୀକ୍ଷେତ୍ର ସହ ମଥୁରାର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରର ସମ୍ପର୍କକୁ ଉଜ୍ଜୀବିତ ରଖିବା ସହ ଜଗନ୍ନାଥ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ପାଇଁ ମାରଦା ମହୋତ୍ସବ ଅନୁଷ୍ଠିତ ହେଉଅଛି। ତୃତୀୟ ମାରଦା ମହୋତ୍ସବ ଆସନ୍ତା ଜାନୁୟାରୀ ମାସ ୧୪, ୧୫ ଓ ୧୬ ତାରିଖ ଦିନ ତିନିଦିନ ପାଇଁ ମନ୍ଦିର ନିକଟରେ ଅନୁଷ୍ଠିତ ହେବାକୁ ଯାଉଅଛି। ପୁରୀରୁ ଆସିଥିବା ପଥର ଖୋଦେଇ ମାରଦା ମନ୍ଦିର କାରିଗର ବୃନ୍ଦ ମଥୁରାର ସ୍ଥାୟୀ ବାସିନ୍ଦା ହୋଇଗଲେ। ଏଥିସହ ମାରଦା ମନ୍ଦିରର ପାଇଁ ଆବଶ୍ୟକ ହେଉଥିବା ପଥର ଖୋଦେଇ କାରୀଗର, କାଠ ଖୋଦେଇ କାରୀଗର, କଂସା ପିତଳ କାରିଗର, ପଟ୍ଟଚିତ୍ର କାରିଗର, ବାଉଁଶ ପାତି କାରିଗର, ମାଟିପାତ୍ର କାରିଗର କୁମ୍ଭାର, ଲୁବାବୁଣା କାରିଗର, ଗୋବର କଣ୍ଢେଇ କାରିଗର ପୋଲସରା ବ୍ଲକର ମଥୁରା ଗ୍ରାମରେ ସ୍ଥାୟୀ ବାସିନ୍ଦା ହୋଇ ରହିଗଲେ। ବର୍ତ୍ତମାନର ଏହି କାରିଗର ବୃନ୍ଦ ହସ୍ତଶିଳ୍ପ ବିଭାଗର ସୂକ୍ଷ୍ମ ହାତତିଆରି କଳାକୃତି କାରିଗର କୌଳିକ ବୃତିର ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ସେମାନଙ୍କ ଉନ୍ନତି ପାଇଁ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ ହେଉନଥିବା ଯୋଗୁଁ , ଏକଦା ମାରଦା ମଦିର ପାଇଁ ଆବଶ୍ୟକ ସାମାଗ୍ରୀ ଯୋଗାଉଥିବା କାରିଗରମାନେ ଦାଦନ ଶ୍ରମିକ ହେବାକୁ ବାଧ୍ୟ ହେଉଛନ୍ତି। ଓଡ଼ିଆ ସରକାରଙ୍କ ହସ୍ତଶିଳ୍ପ ବିଭାଗ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଶିଳ୍ପ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ହସ୍ତଶିଳ୍ପ ବିଭାଗ ସହିତ ଗଞ୍ଜାମ ଜିଲ୍ଲାପାଳ ମହୋଦୟ ଓ ଓଆରଏମଏସ ସିଇଓ ମହୋଦୟଙ୍କୁ ନେଇ ଏକ ସରକାରୀ ସ୍ତରରେ ପ୍ରସ୍ତୁତି ଖସଡ଼ା କରି ମାରଦା ମହୋତ୍ସବ ପାଳନ ସହିତ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେଲେ ମଥୁରାର କୌଳିକ ବୃତି ର ପ୍ରଚାର ପ୍ରସାର ହେବାସହ କାରିଗରୀ ଭାଇମାନେ କୌଳିକ ବୃତ୍ତି ବଞ୍ଚାଇବା ସହ ରୋଜଗାରକ୍ଷମ ହୋଇପାରନ୍ତେ। ଏହି ପଲ୍ଲୀଶ୍ରୀ ମେଳା ପାଇଁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ତଥା ମାରଦା ମହୋତ୍ସବ କମିଟି ସଭାପତି ଗୋକୁଳାନନ୍ଦ ମଲ୍ଲିକ ମହୋଦୟ ଆନ୍ତରିକ ଉଦ୍ୟମ କଲେ ଏହା ସଫଳ ହୋଇପାରନ୍ତା ବୋଲି କାରିଗର ବୃନ୍ଦ ଓ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।