ବ୍ରହ୍ମପୁର,୦୫/୧୨/୨୦୨୪: ବ୍ରହ୍ମପୁର ମହାନଗର ନିଗମର ଦୁଇ କର୍ପୋରେଟର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀ ମେୟର ସଂଘମିତ୍ରା ଦଳେଇଙ୍କ ସପକ୍ଷରେ ରହିଥିବା ବେଳେ ଆଉ ଏକ ଗୋଷ୍ଠୀ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସପକ୍ଷରେ ରହିଛନ୍ତି। ଶ୍ରୀ ପଣ୍ଡାଙ୍କ ସମର୍ଥକମାନେ ଗତ ମଙ୍ଗଳବାର ଜିଲ୍ଲାପାଳଙ୍କୁ ଭେଟି ବିଏମ୍ସିରେ ଦୁର୍ନୀତି ନେଇ ଅଭିଯୋଗ କରିଥିଲେ। ଗୁରୁବାର ଏହି ଗୋଷ୍ଠୀ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ବିଏମ୍ସି ମେୟର ଏବଂ କମିଶନରଙ୍କ ବିରୋଧରେ ଯେଉଁ ଅଭିଯୋଗ ଅଣାଯାଇଛି, ସେସଂପର୍କରେ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ବିଶେଷକରି ରାମଲିଙ୍ଗେଶ୍ବର ପାର୍କର ଆୟରୁ ପ୍ରାୟ ୬୩ ଲକ୍ଷ ଟଙ୍କାର ଟ୍ରଷ୍ଟର ଜଣେ ସଦସ୍ୟଙ୍କୁ କେମିତି ପ୍ରଦାନ କରାଗଲା ବୋଲି ପ୍ରଶ୍ନ କରିଛନ୍ତି। ଟ୍ରଷ୍ଟର ଯେଉଁ ସଦସ୍ୟଙ୍କୁ ଅର୍ଥ ପ୍ରଦାନ କରାଯାଇଛି, ସେ ଟ୍ରଷ୍ଟରୁ ବିତାଡ଼ିତ ହୋଇଛନ୍ତି। ଏନେଇ କୋର୍ଟରେ ମାମଲା ଚାଲିଛି। ଏଣୁ ଅର୍ଥ ପ୍ରଦାନରେ ସମସ୍ତ ନିୟମକୁ ଉଲ୍ଲଂଘନ କରାଯାଇଛି। ଏପରିକି ଅର୍ଥ ପ୍ରଦାନ ପୂର୍ବରୁ କର୍ପୋରେସନ ବୈଠକରେ ଆଲୋଚନା ହୋଇନାହିଁ। ନିର୍ବାଚିତ ଜନପ୍ରତିନିଧିଙ୍କୁ ମେୟର ଏବଂ କମିଶନର ଅଣଦେଖା କରୁଛନ୍ତି ବୋଲି କର୍ପୋରେଟରମାନେ ଅଭିଯୋଗ ଆଣିଥିଲେ। ତେବେ ଅଭିଯୋଗ ଉପରେ ସାମ୍ବାଦିକମାନେ କେତକ ପ୍ରଶ୍ନ ପଚାରିଥିଲେ। ଟ୍ରଷ୍ଟରୁ ଉକ୍ତ ସଦସ୍ୟଙ୍କୁ କେବେ ବିତାଡ଼ିତ କରାଗଲା, ସେନେଇ ସୂଚନା ଦେବାକୁ କୁହାଯାଇଥିଲା। ହେଲେ କୋର୍ଟରେ ମାମଲା ଚାଲିଛି ବୋଲି କହି ପ୍ରଶ୍ନ ଏଡ଼ାଇଯାଇଥିଲେ କର୍ପୋରେଟର। ସେହିଭଳି ଯଦି ଅର୍ଥ ପ୍ରଦାନ ପୂର୍ବରୁ କର୍ପୋରେସନ ବୈଠକରେ ଆଲୋଚନା ହୋଇଥାନ୍ତା, ତେବେ କର୍ପୋରେଟର ମାନେ ରାଜି ହୋଇଥାନ୍ତେ କି ବୋଲି ପ୍ରଶ୍ନ କରାଯାଇଥିଲେ ମଧ୍ୟ ସେମାନେ କୌଣସି ସ୍ପଷ୍ଟ ଉତ୍ତର ଦେଇ ପାରିନଥିଲେ। ମେୟର ମୁଖିଆ ହୋଇଥିଲେ ମଧ୍ୟ ତାଙ୍କ ପାଖରେ ଅଭିଯୋଗ ନକରି ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବା ଉଚିତ କି ବୋଲି ପ୍ରଶ୍ନର ମଧ୍ୟ ସେମାନେ କୌଣସି ଉତ୍ତର ରଖିପାରିନଥିଲେ। ବ୍ରହ୍ମପୁରର ସାମ୍ବାଦିକମାନେ ଏତଦ୍ ବ୍ୟତିତ ଅନେକ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନ ଶୁଣିବା ପରେ ଏହି କର୍ପୋରେଟର ଗୋଷ୍ଠୀ ହଡ଼ବଡ଼େଇ ଯାଇଥିଲେ ମଧ୍ୟ ଉତ୍ତର ଦେଇପାରିନଥିଲେ। ସାମ୍ବାଦିକ ସମ୍ମିଳନୀ ଡାକି କର୍ପୋରେଟର ମାନେ ହଟହଟା ହୋଇଛନ୍ତି।ଆଜି ର ଏହି ଘଟଣା ଦାଣ୍ଡରେ ପଡି ହାଟରେ ଗଡିଲାଣି ବୋଲି ଚର୍ଚ୍ଚା ଜୋର ଧରିଲାଣି।