ବୁଗୁଡା, ୧୫/୧୨/୨୪ : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର (ସି.ଏଚ୍.ସି) ଅଧିନସ୍ଥ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର)କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟିମରେ ଦୁଇ ଜଣ ପ୍ରତିନିଧି ପରିଦର୍ଶନ କରିବାକୁ ଆସିଥିଲେ। ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସେବା ଉପରେ ସମୀକ୍ଷା କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଦୁଇ ଜଣ ଡ଼. ଅମରେନ୍ଦ୍ର ମହାପାତ୍ର ଓ ନିବେଦିତା ପଟ୍ଟନାୟକ ମାଣିତରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ସ୍ୱଚ୍ଛତା ପରଖିଥିଲେ। ବର୍ଯ୍ୟବସ୍ତୁ ପରିଚାଳନା, ପରିମଳ ବ୍ୟବସ୍ଥା, ସଂକ୍ରମଣ ନିୟନ୍ତ୍ରଣ, ବୃକ୍ଷରୋପଣ, ନିରାମୟ ଯୋଜନାରେ ଔଷଧ ବିତରଣ, ମ୍ୟାଲେରିଆ ନିରାକରଣ, ନିଦାନ କାର୍ଯ୍ୟକ୍ରମ, ଡାକ୍ତରଖାନା ପରିସରରେ ଆବର୍ଜନା ନଷ୍ଟ ପାଇଁ ଉଦ୍ଦିଷ୍ଟ ଡଷ୍ଟବିନ, ପୁରୁଷ ଓ ମହିଳା ୱାର୍ଡ ସେବା ସବୁ ବୁଲିଦେଖିଥିଲେ । ପରେ ଚିକିତ୍ସାରେ ସେବା ଓ ନଥି ପତ୍ର ପରିଚାଳନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସମସ୍ତ ସ୍ଥାନ ପରିଦର୍ଶନ କରିଥିଲେ । କରୁଣା ଟ୍ରଷ୍ଟର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ହରେକୃଷ୍ଣ ପ୍ରହରାଜ, ରାଜ୍ୟ ସଂଯୋଜକ ବନୋଜ ପଣ୍ଡା, ମୁଖ୍ୟ ଚିକିତ୍ସକ ଡାକ୍ତର ଦୟାନିଧି ରାଉତ , ଆୟୁଷ ମେଡ଼ିକାଲ ଅଫିସର ଡାକ୍ତର ଦୂର୍ଗା ପ୍ରସାଦ ବିଶ୍ବାଳ, ଟେକିନିସିଆନ୍ କାଳୀ ପ୍ରସାଦ ସାହୁ, ମହିଳା ସ୍ବାସ୍ଥ୍ୟକର୍ମୀ କୃଷ୍ଣପ୍ରୀୟା ପଣ୍ଡା, ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ଷ୍ଟାପନର୍ସ ଗଙ୍ଗା ସାହାଣୀ, ଗାଁ କଲ୍ୟାଣ ସମିତିର ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନ, ମାଣିତରା ପଞ୍ଚଟାତ ସମିତି ସଭ୍ୟ ଜୟଦେବ ପ୍ରଧାନ, ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ, ଅଙ୍ଗନଓ୍ବାଡି କର୍ମୀ ଓ ଆଶାକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ମେଡ଼ିକାଲରେ ବିଭିନ୍ନ ପ୍ରକାରର ରୋଗୀ, ଗର୍ଭବତୀ ଓ ପ୍ରସୁତିଙ୍କ ଚିକିତ୍ସାରେ ପ୍ରାଧାନ୍ୟ ବିଷୟରେ ପଚାରି ବୁଝିଥିଲେ । ସମୀକ୍ଷା ପରେ ଉଭୟ ମୂଲ୍ୟ ନିର୍ଦ୍ଧାରଣ ଅଧିକାରୀ ମେଡ଼ିକାଲର ପରିବେଶ ଓ ସ୍ବାସ୍ଥ୍ୟସେବା ଉପରେ ସନ୍ତୋଷ ପ୍ରକାଶ କରିଥିଲେ ।