ବ୍ରହ୍ମପୁର, ୨୯/୧୨/୨୦୨୪:ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ରେ ଶିଶୁ ରୋଗ ବିଭାଗ ପିଜି ଛାତ୍ର ଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣାରେ ଚାରି ଜଣ ଡାକ୍ତର ଙ୍କୁ ଚାକିରୀ ରୁ ବହିଷ୍କାର କରାଯାଇଥିବା ବେଳେ ଜଣେ ପିଜି (୨ୟ ବର୍ଷ)ଅର୍ଥପେଡ଼ିକ ଡାକ୍ତର ଙ୍କୁ ୬ମାସ ପାଇଁ ହଷ୍ଟେଲ ବାରଣ କରାଯାଇଛି।ଚାରି ଜଣ ଡାକ୍ତର ଅସ୍ଥିଶଲ୍ୟ ବିଭାଗ ର ସହକାରୀ ପ୍ରଫେସର ଡାକ୍ତର ପୁରୁଷୋତ୍ତମ ସ୍ବାଇଁ, ସିନିୟର ରେସିଡେଣ୍ଟ ଡାକ୍ତର ଆରିୟାନ କୁମାର ମହାନ୍ତି,ସିନିୟର ରେସିଡେଣ୍ଟ ଚିନ୍ମୟ ପ୍ରଧାନ ଏବଂ ଜେନେରାଲ ସର୍ଜରୀ ବିଭାଗ ପିଜି ସିନିୟର ରେସିଡେଣ୍ଟ ଡାକ୍ତର ଯଶୋବନ୍ତ ଭୀରା ହୋଇଥିବା ବେଳେ ଅସ୍ଥିଶଲ୍ୟ ବିଭାଗ ର ୨ୟ ବର୍ଷ ପିଜି ସିନିୟର ରେସିଡେଣ୍ଟ ଡାକ୍ତର ପ୍ରୟୋଜିତ ସାହୁ ଙ୍କୁ ୬ମାସ ପାଇଁ ହଷ୍ଟେଲ ବାରଣ କରାଯାଇଛି।ଉଲ୍ଲେଖ ଯୋଗ୍ୟ ଯେ, ଗତ ୨୧ ତାରିଖରେ ପିଜି ହଷ୍ଟେଲ-୩ ରେ ଶିଶୁ ବିଭାଗର ପିଜି ଡାକ୍ତର ଭି. ରଜନୀକାନ୍ତଙ୍କୁ କୌଣସି କାରଣରୁ ଉପରୋକ୍ତ ଡାକ୍ତର ମାନେ ମାଡ଼ ମାରିଥିଲେ । ଏପରିକି ଶିଶୁ ବିଭାଗ ମୁଖ୍ୟ ତଥା ମେଡ଼ିକାଲ କଲେଜ ଉପାଧ୍ୟକ୍ଷ ବୁଝାସୁଝା କରିବାକୁ ଯାଇଥିବା ବେଳେ ଉପରୋକ୍ତ ଡାକ୍ତର ମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଘଟଣାକୁ ନେଇ ଗତ ୨୩ ତାରିଖରେ କଲେଜ କାଉନସିଲ ବୈଠକ ବସିବା ସହ ଘଟଣା ସମ୍ପର୍କରେ ଡିଏମଇଟି ଙ୍କୁ ଅବଗତ କରାଯାଇଥିଲା। ତେବେ ଡିଏମଇଟି ଙ୍କ ନିର୍ଦ୍ଦେଶ ପ୍ରକାର ରେ ଏମକେସିଜି ମେଡିକାଲ କର୍ତ୍ତୃପକ୍ଷ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।ଘଟଣା ପରେ ଉପରୋକ୍ତ ଡାକ୍ତରଙ୍କ ନାମରେ ବୈଦ୍ୟନାଥପୂର ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା ।