ବୁଗୁଡା , ୨୦/୧/୨୫ : ଗଂଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ଡିଗ୍ରୀ କଲେଜର ଛାତ୍ରୀ ରିଙ୍କି ନାୟକ, ଉତ୍ତର ପୂର୍ବ ଜୋନର ବିଶ୍ୱବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ସର୍ବଭାରତୀୟ ମହିଳା ଭାର ଉତ୍ତୋଳନ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ପାଇ ବାଲିପଦର କଲେଜ ସମେତ ଓଡିଶା ପାଇଁ ଗୌରବ ଆଣିପାରିଛନ୍ତି। ଭାରତୀୟ ବିଶ୍ୱବିଦ୍ୟାଳୟ ସଙ୍ଘ ଆନୁକୂଲ୍ୟରେ ପଞ୍ଜାବ ରାଜ୍ୟର ଲଭଲି ପ୍ରଫେସନାଲ ୟୁନିଭରସିଟି ରେ ଜାନୁଆରୀ ୨୦ ଓ ୨୧ ତାରିଖ ଦୁଇଦିନ ଧରି ଉତ୍ତର ଓ ପୂର୍ବ ଭାରତର ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡିକୁ ନେଇ ଏହି ମହିଳା ଭାର ଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ସର୍ବଭାରତୀୟ ମହିଳା ଭାର ଉତ୍ତୋଳନ ପ୍ରତିଯୋଗିତାର ପ୍ରଥମ ଦିବସରେ ବାଲିପଦରର ଆଞ୍ଚଳିକ ଡିଗ୍ରୀ କଲେଜର ଛାତ୍ରୀ ରିଙ୍କି ନାୟକ ସ୍ନାଚରେ ୬୩ କେ.ଜି. ଏବଂ କ୍ଲିନ ଅଣ୍ଡ ଜଙ୍କ ରେ ୮୧ କେ.ଜି. ଭାର ଉତ୍ତୋଳନ କରି ଦ୍ଵିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଛନ୍ତି। ଛାତ୍ରୀ ରିଙ୍କି ନାୟକ ଉତ୍ତର ଓ ପୂର୍ବ ଭାରତର ବିଶ୍ୱବିଦ୍ୟାଳୟ ସମୂହର ଛାତ୍ରୀଙ୍କ ମଧ୍ୟରେ ସର୍ବଭାରତୀୟ ସ୍ତରରେ ରୌପ୍ୟ ପଦକ ପାଇ ବାଲିପଦର ଡିଗ୍ରୀ କଲେଜ ପାଇଁ ଗୌରବ ଆଣିବା ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଓଡିଶା ପାଇଁ ମଧ୍ୟ ଗୌରବ ଆଣିପାରିଥିବାରୁ କଲେଜର ପ୍ରିନ୍ସପାଲ ଗୋପୀନାଥ ମହାନ୍ତି, କ୍ରୀଡା ଅଧ୍ୟାପକ ଭଂଜକିଶୋର ଗୌଡ଼, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦଙ୍କ ସମେତ ଅଞ୍ଚଳର କ୍ରୀଡ଼ାପ୍ରେମୀ ବୃନ୍ଦ ଅଭିନନ୍ଦନ ଜଣାଇଛନ୍ତି।