ବ୍ରହ୍ମପୁର, ୧୬/୦୩/୨୦୨୫:ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ଠାରେ ଥିବା ଏକ ଚାଉଳ ମିଲ ରୁ ବିଶ୍ବାସ ଜନ୍ମାଇ ୭୭ ଲକ୍ଷ ଟଙ୍କା ର ଚାଉଳ ନେଇ ଫେରାର ରହିଥିବା ଅଭିଯୁକ୍ତ କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲା ତାନୁକୁ ପୁଲିସ ଥାନା ଅନ୍ତର୍ଗତ ତାନୁକୁ ର ଆଇ ମହେନ୍ଦ୍ର ବର୍ମା ବୋଲି ପୁଲିସ ସୁଚନା ଦେଇଛି।ଗତ ୨୦୨୪ , ଜାନୁଆରୀ ୬ ତାରିଖରେ ପିତାତଳି ଠାରେ ଥିବା ମାଁ ଅନ୍ନପୂର୍ଣ୍ଣା ଚାଉଳ କଳ ର ମାଲିକାଣୀ ଏସ ଲିଜ୍ୟା ଙ୍କ ପକ୍ଷରୁ ଗୋଳନ୍ଥରା ଥାନା ରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଅନୁଯାୟୀ ଆନ୍ଧ୍ର ର ଦୁଇ ବେପାରୀ ମହେନ୍ଦ୍ର ବର୍ମା ଓ ଏନ୍ ରାଜୁ ଗତ ୫ ବର୍ଷ ତଳେ ଚାଉଊକଳ କୁ ଆସି ସେମାନଙ୍କ ଠାରୁ ଚାଉଳ କିଣିବେ ବୋଲି କଥା ହେବା ସହ ରିତିମତ ଭାବେ ଟଙ୍କା ଦେଇ ଚାଉଳ କିଣି ନେଉଥିଲେ।ଏହା ପରେ ଚଞ୍ଚକତା କରି ୭୭ ଲକ୍ଷ ୨୬ ହଜାର ୩୯୮ ଟଙ୍କା ର ଚାଉଳ କିଣିବା ସହ ତୁରନ୍ତ ସେମାନଙ୍କୁ ଟଙ୍କା ପୈଠ କରିଦେବେ କହି ଚାଉଳ ନେଇ ଯାଇଥିଲେ। କିନ୍ତୁ କଥାବାର୍ତ୍ତା ଅନୁସାରେ ଠିକ୍ ସମୟରେ ଉଭୟଙ୍କ ପକ୍ଷରୁ ଲିଜ୍ୟା ଙ୍କୁ ଟଙ୍କା ପୈଠ କରିନଥିଲେ। ଏହାକୁ ନେଇ ଅନେକ ଥର ସେମାନଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଟଙ୍କା ମିଳିନଥିଲା। ଏହାକୁ ନେଇ ଗତ ବର୍ଷ କେତେକ ମଧ୍ୟସ୍ଥ ଙ୍କ ଉପସ୍ଥିତି ରେ ମହେନ୍ଦ୍ର ଓ ଚାଉଳ କଳ ମାଲିକ ଙ୍କ ମଧ୍ୟରେ ଆଲୋଚନା ହେବା ସହ ମହେନ୍ଦ୍ର ଙ୍କ ପକ୍ଷରୁ ଟଙ୍କା ଦେବା ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହାପରେ ମଧ୍ୟ ଟଙ୍କା ନମିଳିବାରୁ ଲିଜ୍ଜ୍ୟା ଙ୍କ ପକ୍ଷରୁ ଗୋଳନ୍ଥରା ଥାନା ରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ କୁ ଭିତ୍ତି କରି ୪୭୩/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।ଆଜି ଅଭିଯୁକ୍ତ ମହେନ୍ଦ୍ର ବ୍ରହ୍ମପୁର ଆସୁଥିବା ଖବର ପାଇ ପୁଲିସ ର ଏକ ଟିମ୍ ଗିରିସୋଲା ଛକରେ ଛପି ରହିଥିବା ବେଳେ ଅଭିଯୁକ୍ତ ମହେନ୍ଦ୍ର କୁ କାବୁ କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି।