ଭୁବନେଶ୍ୱର,୨୩/୦୪/ ୨୦୨୬:
ସରକାରୀ ଚାକିରୀ କେବଳ ଏକ ଜୀବିକା ନୁହେଁ, ଜନସାଧାରଣଙ୍କ ସେବା କରିବା ପାଇଁ ଏକ ଅନନ୍ୟ ସୁଯୋଗ ବୋଲି ଆଜି ୧୫ ତମ ନିଯୁକ୍ତି ମେଳା ଅବସରରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ଠାରେ ଆୟୋଜିତ ୧୫ତମ ନିଯୁକ୍ତିମେଳା ଅବସରରେ ୭ଟି ବିଭାଗର ସମୁଦାୟ ୪୬୨୩ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୪୧୧୩ ଜଣ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ୧୫୪ ଜଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗରେ ୧୪୩ ଜଣ, ଇସ୍ପାତ ଓ ଖଣି ବିଭାଗରେ ୭୭ ଜଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗରେ ୭୦ ଜଣ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୫୨ ଜଣ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗରେ ୧୪ ଜଣ ନିଯୁକ୍ତି ପତ୍ର ପାଇଛନ୍ତି ।
ନବନିଯୁକ୍ତଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶାସନ ଓ ପ୍ରଶାସନ ବ୍ୟବସ୍ଥାରେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ହେଉଛନ୍ତି, ସରକାରଙ୍କ ପ୍ରକୃତ ଚେହେରା । ଆମ ସମସ୍ତଙ୍କର ଲକ୍ଷ୍ୟ ହେଉଛି, ଅନ୍ତିମ ଶ୍ରେଣୀରେ ଥିବା ବ୍ୟକ୍ତି ପାଖରେ ସରକାରୀ ସୁବିଧା ପହଞ୍ଚାଇବା । ବର୍ତ୍ତମାନ ସାଧାରଣ ଲୋକ ଅନୁଭବ କରୁଛନ୍ତି, ଏ ସରକାର ହେଉଛି ପ୍ରକୃତରେ ଲୋକଙ୍କ ସରକାର । ଏହି ଭାବନାକୁ ଆପଣମାନେ ଆଗେଇନେଲେ, ସରକାରୀ ଚାକିରୀ’ର ମର୍ଯ୍ୟାଦା ରହିବ ଏବଂ ଆପଣମାନେ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବେ ବୋଲି ସେ କହିଥିଲେ।
ରାଜ୍ୟରେ ଯୁବବର୍ଗଙ୍କ ନିଯୁକ୍ତି ସମ୍ୱନ୍ଧରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୪ ଜୁନ ମାସରୁ ଆଜି ସୁଦ୍ଧା ସରକାରୀ ଚାକିରୀରେ ୪୪,୦୮୨ ଓ ବେସରକାରୀ କ୍ଷେତ୍ରରେ ୯୨,୦୦୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଗଲାଣି ।
ନବନିଯୁକ୍ତମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥରକ୍ଷା ପାଇଁ ପୂର୍ଣ୍ଣ ଦକ୍ଷତା ଓ କର୍ତ୍ତବ୍ୟବୋଧ, ସମର୍ପଣ ଓ ସ୍ୱଚ୍ଛତାର ସହିତ ଦାୟିତ୍ୱ ନିର୍ବାହ କରିବେ ବୋଲି ଆଶାବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ କର୍ମକ୍ଷେତ୍ରରେ ପାଳନ କରିବା ପାଇଁ ୫ଟି ପରାମର୍ଶ ଦେଇଥିଲେ ।
୧- ଦୁର୍ନୀତିରୁ ସବୁବେଳେ ଦୂରେଇ ରୁହନ୍ତୁ, ଦୁର୍ନୀତି ବିରୁଦ୍ଧରେ ସରକାର ଶୂନ୍ୟସହନଶୀଳତା ଅବଲମ୍ୱନ କରୁଛନ୍ତି ।
୨- ଗଣତନ୍ତ୍ରରେ ଜନତା ହେଉଛନ୍ତି ଭଗବାନ ଓ ଜନତାଙ୍କ ସ୍ୱର ହିଁ ଭଗବାନଙ୍କ ସ୍ୱର । ତେଣୁ ସହୃଦୟତାର ସହିତ ନିଜ ନିଜ ସ୍ତରରେ ଜନତାଙ୍କ କଥା ଶୁଣିବେ ଓ ତା’ର ସମାଧାନ କରିବାକୁ ଚେଷ୍ଟା କରିବେ ।
୩- କାର୍ଯ୍ୟ ସମ୍ପାଦନ କରିବା ସମୟରେ ନିଜର ବୈଚାରିକ ମତ ପ୍ରତିବନ୍ଧକ ହେବା ଉଚିତ ନୁହେଁ । ସରକାରଙ୍କ ଆଭିମୁଖ୍ୟ ହିସାବରେ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ ।
୪- ସମୟାନୁବର୍ତ୍ତିତା- ନିର୍ଦ୍ଦିଷ୍ଟ ସମୟ ଭିତରେ କାର୍ଯ୍ୟ ସମ୍ପାଦନ କରିବେ ।
୫- କାର୍ଯ୍ୟକ୍ଷେତ୍ରରେ ଭଦ୍ର ଓ ଶାଳୀନତା ସହିତ ବାର୍ତ୍ତାଳାପ ଓ ବ୍ୟବହାର ପ୍ରଦର୍ଶନ କରିବେ । ନଚେତ୍ ନିଜେ ବଦନାମ୍ ହେବା ସହିତ ସରକାର ବଦନାମ୍ ହେବାର ଆଶଙ୍କା ରହିଛି ।
ଶେଷରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଓ ମହିଳା ମାନଙ୍କ ପ୍ରତି ସମ୍ମାନଜନକ ବ୍ୟବହାରକୁ ନିଜ କାର୍ଯ୍ୟଶୈଳୀର ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିବାକୁ କହିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଓ ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ୍ ନବନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ମିଳୁଛି । ଜନସେବାକୁ ସର୍ବୋଚ୍ଚ ବୃତ୍ତି ଭାବେ ଗ୍ରହଣ କରି କର୍ମକ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ସେ ଯୁବବର୍ଗଙ୍କୁ ପରାମର୍ଶ ଦେଇଥିଲେ ।
ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ଆପଣମାନଙ୍କ ଏହି ନିଯୁକ୍ତି କେବଳ ଏକ ପଦବୀ ନୁହେଁ, ଏହା ଜନସେବା ପାଇଁ ଆପଣମାନଙ୍କ ଦାୟିତ୍ୱ । ଆଜିଠୁ ଆପଣମାନଙ୍କ ଦାୟିତ୍ୱବୋଧ, ଆପଣମାନଙ୍କ ପାଇଁ ନୂଆ ପରିଚୟ ସୃଷ୍ଟି କରିବ ।
ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଥିଲେ ଯେ, ଏହି ନିଯୁକ୍ତି ରାଜ୍ୟର ସାଢ଼େ ଚାରିକୋଟି ଜନତାଙ୍କ ସେବା କରିବାର ଦାୟିତ୍ୱ ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ରାଜ୍ୟରେ କ୍ରମାଗତ ଭାବରେ ନିଯୁକ୍ତି ମେଳା ଆୟୋଜନ ହୋଇ ଚାଲିଛି । ଏହି ନିଯୁକ୍ତି ସରକାରଙ୍କ ଶକ୍ତି ଓ ସାମର୍ଥ୍ୟକୁ ବୃଦ୍ଧି କରୁଛି ।
କାର୍ଯ୍ୟକ୍ରମରେ ଏମ ଏସ ଏମ ଇ ବିଭାଗରେ ନିଯୁକ୍ତି ପାଇଥିବା ଦୃଷ୍ଟିବାଧିତ ସହକାରୀ ଶିଳ୍ପ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ପାଢ଼ୀ, ଜଙ୍ଗଲ ବିଭାଗରେ ଏ ସି ଏଫ ଭାବେ ନିଯୁକ୍ତି ପାଇଥିବା ଅଭିଶେକ ପ୍ରଧାନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଟିଜିଟିଭାବେ ନିଯୁକ୍ତି ପାଇଥିବା ଅଞ୍ଜଳୀ ମୁଣ୍ଡା ଓ ଇସ୍ପାତ ଓ ଖଣି ବିଭାଗରେ ଖଣି ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ତପସ୍ୱିନୀ ପ୍ରିୟଦର୍ଶିନୀ ପ୍ରମୁଖ ସ୍ୱଚ୍ଛ ଓ ପାରଦର୍ଶୀ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ରାଜ୍ୟରେ ଯୁବବର୍ଗଙ୍କୁ ସରକାରୀ ନିଯୁକ୍ତି ମିଳୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡ. ଏନ୍. ତିରୁମାଳା ନାଏକ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଏମ ଏସ ଏମ ଇ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।






