Home ବ୍ରହ୍ମପୁର ସ୍ପେଶାଳ ନିଜର ଧର୍ମପତ୍ନୀଙ୍କୁ ହତ୍ୟା ଉଦ୍ୟମ, ସ୍ୱାମୀ ଗିରଫ

ନିଜର ଧର୍ମପତ୍ନୀଙ୍କୁ ହତ୍ୟା ଉଦ୍ୟମ, ସ୍ୱାମୀ ଗିରଫ

0
6

ବୁଗୁଡା, ୧୦/୫/୨୬ : ବୁଗୁଡ଼ା ପୋଲିସ ଥାନା ମାମଲା ନଂ- ୨୨୯/ ତା. ୦୯.୦୫.୨୦୨୬, ୟୁ/ଏସ୍ –୮୫/ ୧୧୫(୨)/ ୧୦୯(୧)/ ୩୫୧(୨) ବିଏନ୍ଏସ୍ ପ୍ରକାରେ ଅଭିଯୁକ୍ତ ମୁରଲୀ ବେହେରା (୬୩), ପିତା- ପୁନିଆ ବେହେରା, ଗ୍ରାମ- ସୋରଡ, ଥାନା- ବୁଗୁଡ଼ା, ଜିଲ୍ଲା- ଗଞ୍ଜାମ ଙ୍କୁ ନିଜ ଧର୍ମପତ୍ନୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ରେ ଗିରଫ କରି ୧୦/୫/୨୬ ତାରିଖ ଦିନ କୋର୍ଟ ଚାଲାଣ କରାଯାଇଥିବା ବାଲିପଦର ଓଆଇସି କେ. ନୀଳାଦ୍ରି ରେଡି ପ୍ରକାଶ କରିଛନ୍ତି। ସୈରିନ୍ଦ୍ରୀ ବେହେରା (୫୩), ସ୍ୱା- ମୁରଲୀ ବେହେରା, ଗ୍ରାମ- ସୋରଡ ଥାନା- ବୁଗୁଡ଼ା, ଜିଲ୍ଲା- ଗଞ୍ଜାମଙ୍କ ଲିଖିତ ଅଭିଯୋଗ ପ୍ରକାରେ ୦୯.୦୫.୨୦୨୬ ତାରିଖ ସକାଳ ପ୍ରାୟ ୭.୦୦ ଟା ସମୟରେ, ଘରକାମରେ ନିୟୋଜିତ ଥିବା ବେଳେ ତାଙ୍କ ସ୍ୱାମୀ ମୁରଲୀ ବେହେରା ମଦ୍ୟପାନ କରି ଘରକୁ ଆସି ମଦ କିଣିବା ପାଇଁ ଟଙ୍କା ଦାବି କରିଥିଲେ। ସେ ପ୍ରତିବାଦ କରିଥିଲେ ଯେ ତୁମର ପେନସନ ଅର୍ଥରୁ ପରିବାର ଖର୍ଚ୍ଚ ପାଇଁ ଟଙ୍କାଟିଏ ଦେଉନଥିବା ବେଳେ ଦୁଇଟି ଅବିବାହିତ ଝିଅଙ୍କ ସହିତ ମୁଁ ସଂଘର୍ଷମୟ ଜୀବନ କଟାଉଛି। ଏହା ଶୁଣି ମୁରଲୀ ହଠାତ୍ କ୍ରୋଧିତ ହୋଇ ସୈରିନ୍ଦ୍ରୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଏକ ଲୁହା ରଡ୍ ଦ୍ୱାରା ମୁଣ୍ଡକୁ ଆଘାତ କଲାବେଳେ ନିଜର ଜୀବନ ବଞ୍ଚାଇବା ପାଇଁ ସୈରୀନ୍ଦ୍ରୀ ତାଙ୍କର ଡାହାଣ ହାତ ଉଠାଇବା ଦ୍ୱାରା ଭାଗ୍ୟବଶତଃ ଲୁହା ରଡ୍ ତାଙ୍କ ମୁଣ୍ଡରେ ଆଘାତ ନହୋଇ ହାତରେ ଗଭୀର କ୍ଷତ ହୋଇ ରକ୍ତସ୍ରାବ ହୋଇଥିଲା। ଏହା ପରେ ମୁରଲୀ ତାଙ୍କର ପତ୍ନୀ ସୈରୀନ୍ଦ୍ରୀଙ୍କୁ ଲୁହା ରଡ୍ ସାହାଯ୍ୟରେ ହାତ, ପିଠି ଓ ଗୋଡକୁ ଆଘାତ କରିବାରୁ ସେ ତଳେ ପଡିଯାଇଥିଲେ। ସୈରୀନ୍ଦ୍ରୀ ଆହୁରି ଅଭିଯୋଗ କହିଛନ୍ତି ଯେ ସେ ପଡ଼ିଯିବା ପରେ ତାଙ୍କ ସ୍ୱାମୀ ମୁରଲୀ ତାଙ୍କ ଛାତି ଉପରେ ବସି ଗଳା ଚିପି ହତ୍ୟା କରିବା ପାଇଁ ଉଦ୍ୟମ କଲାବେଳେ ସେ ଚିତ୍କାର କରିବାରୁ ଗାଁ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ରଖୀ ତାଙ୍କୁ ହତ୍ୟା କରି ସେହି ମହିଳାଙ୍କୁ ଘରକୁ ଆଣି ତାଙ୍କ ସହିତ ରହିବାକୁ ଉଦ୍ୟମ କରିଥିଲେ ବୋଲି ମଧ୍ୟ ସୈରୀନ୍ଦ୍ରୀ ଆଭିଯୋଗ କରିଛନ୍ତି। ବୁଗୁଡା ପୋଲିସ ଥାନା ଆଇଆଇସି ସିତାଂଶୁ ଶେଖର ମାନ୍ଧାତାଙ୍କ ନିର୍ଦ୍ଦେଶ କ୍ରମେ ବାଲିପଦର ଫାଣ୍ଡି ଓଆଇସି କେ.ନିଳାଦ୍ରୀ ରେଡି ଅନୁସନ୍ଧାନ କରି ଅଭିଯୁକ୍ତ ମୁରଲୀ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!