ଠାବ ହେଲା ନିଷିଦ୍ଧ ପ୍ଲାଷ୍ଟିକ୍ ଗୋଦାମ

0
176

ଭୁବନେଶ୍ୱର, ୨୫/୦୨/୨୦୨୦(ଆକାଶ ମିଶ୍ର) – ନିୟମିତ ଢଙ୍ଗରେ ବି.ଏମ୍‌.ସି.ର ଉତ୍ତର ମଣ୍ଡଳ ପ୍ରଦକ୍ଷଣ କରି ପ୍ଲାଷ୍ଟିକ୍

ଏନ୍‌ଫୋର୍ସମେଂଟ ସ୍କ୍ୱାର୍ଡ଼ ଆଜି ଆଉ ଏକ ସଫଳତା ହାତେଇଛନ୍ତି । ସ୍ଥାନୀୟ ଡ଼ମଣା ଛକ ସ୍ଥିତ ଦୈନିକ ହାଟର ପଛପଟେ ଠାବ
ହୋଇଛି ଏହି ଲୁଚାଛପା ବେପାର । ଉକ୍ତ ଅଂଚଳକୁ ପ୍ଲାଷ୍ଟିକ୍ ଏନ୍‌ଫୋର୍ସମେଂଟ ସ୍କ୍ୱାର୍ଡ଼ର ଗସ୍ତ ସମୟରେ କିଛି ଲୋକଙ୍କର
ସନ୍ଦେହଜନକ ଆଚରଣକୁ ଆଧାର କରି ଉକ୍ତ ଟିମ୍ କୌଣସି କ୍ରମେ ନିଷିଦ୍ଧ ପ୍ଲାଷ୍ଟିକ୍ ଓ ପଲିଥିନ୍ ଦ୍ରବ୍ୟ ରଖାଯାଇଥିବା ଗୋଦାମ ପାଖରେ ପହଂଚିଯାଇଥିଲେ । ଏହି ଗୋଦାମରେ ରହିଥିବା ଜିନିଷ ଗୁଡ଼ିକର ମାଲିକ ଟୁକୁନା ସାହୁ ବୋଲି ଜଣାପଡ଼ିଥିଲା ।ଏହାପରେ ଜୋନାଲ୍ ଡ଼େପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟିଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ସ୍କ୍ୱାର୍ଡ଼ର ରଣନୀତି ସ୍ଥିର କରାଯାଇ ସନ୍ଦେହ କରାଯାଉଥିବା ଘର ଗୁଡ଼ିକୁ କରାୟତ କରାଯାଇଥିଲା । କ୍ରମେ ସ୍କ୍ୱାର୍ଡ଼ ସଦସ୍ୟମାନେ ଘର ଭିତରକୁ ପଶିଲା ପରେ ସେଠାରେ ଟ୍ରକ୍ ଟ୍ରକ୍ ପରିମାଣର ନିଷିଦ୍ଧ ପ୍ଲାଷ୍ଟିକ୍ ଦ୍ରବ୍ୟ ମହଜୁଦ ହୋଇ ରହିଥିବାର ଦେଖିପାରିଥିଲେ । ଗୋଟି ଗୋଟି କରି କାର୍ଟୁନ୍ ଓ ବ୍ୟାଗ୍‌କୁ ଦେଖିବା ପରେ ଅଧିକାଂଶ ଠୁଳ ହୋଇଥିବା ଦ୍ରବ୍ୟ ନିଷିଦ୍ଧ ପ୍ଲାଷ୍ଟିକ୍ ବୋଲି ଜାଣିପାରିଥିଲେ ସମ୍ପୃକ୍ତ
ସ୍କ୍ୱାର୍ଡ଼ ସଦସ୍ୟ । ଏହାପରେ ଡ଼େପୁଟି କମିଶନର ସାନିଟେସନ୍ ଶୁଭେନ୍ଦୁ ସାହୁଙ୍କ ପରାମର୍ଶ କ୍ରମେ ବି.ଏମ୍‌.ସି ଏସ୍ ବି ଏ ସେଲ୍‌ର
ପରିବେଶ ଯନ୍ତ୍ରୀ କୀର୍ତିମାନ୍ ଷଡ଼ଙ୍ଗୀ ଏବଂ ସୁନିଲ୍ କୁମାର ସାମଲ ସମ୍ପୃକ୍ତ ସ୍ଥାନକୁ ଯାଇ ପ୍ୟାକ୍ ହୋଇ ରହିଥିବା ଦ୍ରବ୍ୟ ଗୁଡ଼ିକୁ ଦେଖି ଏଗୁଡ଼ିକ ନିଷିଦ୍ଧ ପ୍ଲାଷ୍ଟିକ୍ ଦ୍ରବ୍ୟ ବୋଲି ସାବ୍ୟସ୍ତ କରିଥିଲେ ।ଗୋଦାମ ଭଳି ଠୁଳ କରି ରଖାଯାଇଥିବା ଉକ୍ତ ପ୍ଲାଷ୍ଟିକ୍ ଦ୍ରବ୍ୟ ମଧ୍ୟରେ ଥର୍ମୋକୁଲ୍ କପ୍‌, ଥର୍ମୋକୁଲ୍ ଓ ପ୍ଲାଷ୍ଟିକ୍ ଗ୍ଲାସ୍‌, ପଲିଥିନ୍‌, କ୍ୟାରିବ୍ୟାଗ୍ ଇତ୍ୟାଦି ରହିଥିବାର ଜଣାପଡ଼ିଥିଲା । ପୁନଶ୍ଚ ଜବତ ହୋଇଥିବା ଏହି ସମସ୍ତ ସାମଗ୍ରୀ ନିଷିଦ୍ଧ ପ୍ଲାଷ୍ଟିକ୍
ମଧ୍ୟରେ ପ୍ରାୟ ୨.୫ ଟନ୍‌ର ନିଷିଦ୍ଧ ପଲିଥିନ୍ କ୍ୟାରିବ୍ୟାଗ୍ ଥିବାର ଜଣାପଡ଼ିଥିଲା । ଡ଼ମଣା ହାଟରେ ତେଜରାତି ଦୋକାନ
ଦେଇଥିବା ଟୁକୁନା ସାହୁ ଏହି ଗୋଦାମକୁ ଭଡ଼ା ନେଇ ଏଠାରେ ଟ୍ରକ୍ ଟ୍ରକ୍ ପଲିଥିନ୍ ବେପାର ଚଳାଇଛନ୍ତି । ତେବେ ଜବତ
ହୋଇଥିବା ପ୍ରାୟ ୫ ଟ୍ରକ୍ ନିଷିଦ୍ଧ ପ୍ଲାଷ୍ଟିକ୍ ଦ୍ରବ୍ୟକୁ ବି ଏମ୍ ସି ଯାତ୍ରୀ ନିବାସକୁ ଅଣରାଯାଇଛି ସଂପୃକ୍ତ ବ୍ୟବସାୟୀଙ୍କୁ ଟ.
୫୦,୦୦୦/- ଆର୍ଥିକ ଜୋରିମାନା କରାଯାଇଛି ।

LEAVE A REPLY

Please enter your comment!
Please enter your name here