ଡିଜି ପଦରୁ ହଟିଲେ ବିଜୟ ଶର୍ମା : ନୂଆ ଡିଜି ହେଲେ ଅଭୟ, ବିଜୟ ଶର୍ମା ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପ୍ରଦାନ ଘୋଟାଲା ତଦନ୍ତର ସମ୍ମୁଖୀନ ହେବେ।

0
300

ଭୂବନେଶ୍ୱର,୨୦/୧୧-ରାଜ୍ୟରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପ୍ରଦାନରେ ବଡଧରଣ ଘୋଟାଲା ଅଭିଯୋଗରେ ରାଜ୍ୟ ସରକାର ଡିଜି ପଦରୁ ବିକେ ଶର୍ମାଙ୍କୁ ହଟାଇ ତାଙ୍କ ସ୍ଥାନରେ ୧୯୬୬ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଅଭୟଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି । ଏବେ ଅଭୟ ହାଇଦ୍ରାବାଦସ୍ଥିତ ଜାତୀୟ ପୋଲିସ ଏକାଡେମୀରେ ନିର୍ଦ୍ଦେଶକ ଅଛନ୍ତି ।ତେବେ ଅଭୟ ଦାୟିତ୍ବ ନେବା ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ଡିଜି ଦାୟିତ୍ବରେ ରହିବେ ବୋଲି ସରକାର ନିର୍ଦ୍ଦେଶ ଜାରୀ କରିଛନ୍ତି ।

ବିକେ ଶର୍ମା ପୋଲିସ ନିର୍ଦ୍ଦେଶକ ହେବା ପୂର୍ବରୁ ଅଗ୍ନିଶମ ବିଭାଗର ଡିଜି ଥିଲେ । ତାଙ୍କ ସମୟରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ପ୍ରାଥମିକ ଭାବେ ସରକାର ଜାଣିପାରିଛନ୍ତି । ଏଥିଲାଗି ସରକାର ତଦନ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ଗୃହ ସଚିବଙ୍କୁ ନେଇ ଗଠିତ ତିନିଜଣିଆ କମିଟି ଏହି ଘୋଟାଲାର ତଦନ୍ତ କରିବ । ପୋଲିସ ମହାନିର୍ଦ୍ଦେଶକ ପଦରେ ବିକେ ଶର୍ମା ରହିଲେ ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ଆଶଂକା କରି ଆଜି ବିଳମ୍ବିତ ସଂଧ୍ୟାରେ ସରକାର ତାଙ୍କୁ ଡିଜି ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରିଛନ୍ତି ।

ଦୁଇଦନ ତଳେ ସରକାର ଫାୟାର ସେଫ୍ଟି ପ୍ରମାଣପତ୍ର କ୍ଷେତ୍ର ଅଧିକାରୀମାନେ ଦେଇପାରିବେ ବୋଲି ଏକ ବଡ ଘୋଷଣା କରିଥିଲେ । ଆଗାମୀ ଦିନରେ ଏହି ପ୍ରମାଣ ପତ୍ର ଅନ ଲାଇନ ମାଧ୍ୟମରେ ହେବ ବୋଲି ମଧ୍ୟ ଘୋଷଣା କରାଯାଇଛି ।ବିଜୟ ଶର୍ମାଙ୍କୁ ଡିଜି ପଦରୁ ହଟାଇବା ସରକାରଙ୍କ ଏକ ବଡ ନିଷ୍ପତ୍ତି ।

LEAVE A REPLY

Please enter your comment!
Please enter your name here