ପାରଳାଖେମୁଣ୍ଡି, ୨୦/୦୨/୨୦୨୦(ପ୍ରଭାତ କୁମାର ପାତ୍ର) ସବୁ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ଆବାସ ଯୋଜନା ମାଧ୍ୟମରେ ସାହାୟତା ଯୋଗାଇ ଦେଇଛନ୍ତି। ହେଲେ ସରକାରୀ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅନେକ ସମୟରେ ଯୋଗ୍ୟ ଲୋକଙ୍କୁ ଏହା ମିଳିବା ବଦଳରେ ଅଯୋଗ୍ୟ ଲୋକେ ଏହାକୁ ହାତେଇ ନେଇଥିବା ଅଭିଯୋଗ ହୁଏ ଏଭଳି ଏକ ଅଭିଯୋଗକୁ ନେଇ ରାମଗିରି ପଞ୍ଚାୟତ ଲୋକେ ଗତ ୩ ଦିନ ହେଲାଣି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଆବାସ ଯୋଜନାକୁ ହାତେଇ ନେଇଛନ୍ତି ଅଯୋଗ୍ୟ ହିତାଧିକାରୀ। ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଳକ ଅନ୍ତର୍ଗତ ରାମଗିରି ପଞ୍ଚାୟତରୁ। ଏହାର ପ୍ରତିବାଦରେ ଲୋକେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ତେବେ ଆବାସ ଯୋଜନାରେ ଘର ମିଳିବାକୁ ଥିବା ହିତାଧିକାରୀଙ୍କ ପାଇଁ ବର୍ତମାନ ପ୍ରସ୍ତୁତି ହୋଇଥିବା ତାଲିକାରେ ଥିବା ଅଧିକାଂଶ ଲୋକେ ଅଯୋଗ୍ୟ ଯେଉଁ ମାନଙ୍କର ଘର ରହିଛି କିମ୍ବା ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛତା ସେମାନଙ୍କ ଭଳି ଲୋକଙ୍କୁ ଏହି ତାଲିକାରେ ସ୍ଥାନ ଦିଆଯାଇଛି। ହେଲେ ଯେଉଁ ମାନେ ପ୍ରକୃତ ଗରିବ ଏବଂ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ ନକରିବା ଯାଏଁ ସେମାନେ ଏମିତି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। ରାମଗିରି ସରପଞ୍ଚ ଏହି ତାଲିକାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ୨୦୧୭ ରେ ହୋଇଥିବା ସଭେ ଆଧାରରେ ଏକ ୪୭୫ ଜଣିଆ ତାଲିକା ପ୍ରସ୍ତୁତ ହୋଇଥିଲା। ବର୍ତ୍ତମାନ ପ୍ରକାଶ ପାଇଥିବା ତାଲିକାରେ ମାତ୍ର ୧୩୦ ଜଣଙ୍କର ନାମ ରହିଛି। ସେଥିମଧ୍ୟରୁ ଅନେକ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି। ତେଣୁ ଏହାକୁ ନେଇ ଲୋକେ ଯେଉଁ ପ୍ରତିବାଦ କରିଛନ୍ତି ତାହା ଠିକ୍ ନିଷ୍ପତ୍ତି ବୋଲି କହିବା ସହ ସରକାରୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏଭଳି ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଲୋକେ ବିଭିନ୍ନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସେମାନେ ବାଧ୍ୟ ହୋଇ ଏମିତି କରିବାକୁ ଆନ୍ଦୋଳନକାରି ଅଭିଯୋଗ କରିଛନ୍ତି। ସେପଟେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡିଥିବା କଥା ପଞ୍ଚାୟତ ଅଧିକାରୀଙ୍କ ନଜରକୁ ଆସିନାହିଁ। ଘଟଣାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ବିଭିନ୍ନ ସମୟରେ ସରକାରୀ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଲୋକେଙ୍କ କ୍ଷୋଭ ପ୍ରକାଶ ପାଉଛି। ଏହା ଦ୍ଵାରା ସରକାର ଓ ପ୍ରଶାସନ ବଦନାମ ହେଉଛନ୍ତି। ତେଣୁ ଏହାର ସମାଧାନ ଦିଗରେ ପ୍ରଶାସନ କେବେ ପଦକ୍ଷେପ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର।