ଦିଗପହଣ୍ଡି ଅଂଚଳରେ ୭ କରୋନା ଚିହ୍ନଟ ପରେ କ୍ରିୟାଶୀଳ ପ୍ରଶାସନ । ସାମାଜିକ ଦୂରତା ଅବମାନନା ଅଭିଯୋଗରେ ଶିବାମ୍ କଲେକ୍ସନ ସହ ବହୁ ଦୋକାନ ସିଲ୍ କଲେ ଦିଗପହଣ୍ଡି ଥାନାଧିକାରୀ ।

0
241

 

ବ୍ରହ୍ମପୁର, ୦୨/୦୭/୨୦୨୦:
କରୋନା ମହାମାରୀର ଭୟଙ୍କର ସଂକ୍ରମଣ ବିଭୀଷିକା ସମଗ୍ର ବିଶ୍ୱକୁ କରାୟତ କରିଥିବା ବେଳେ ଭାରତ ମଧ୍ୟ ଏଥିରେ ଉତ୍ପିଡିତ ହୋଇଅଛି ।ଅଦୃଶ୍ୟ ସଂକ୍ରମଣକୁ ପ୍ରତିହତ କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୀର୍ଘଦିନ ଧରି ସୁଚିନ୍ତିତ ଯୋଜନା ମାଧ୍ୟମରେ ଦିନରାତି ଏକ କରି କାମକରୁଥିବା ବେଳେ ସାଧାରଣ ସଚେତନତାକୁ ଅବମାନନା କାରଣରୁ ସମ୍ପ୍ରତି କରୋନା ସଂକ୍ରମଣ ସଂଖ୍ୟାରେ ବ୍ୟାପକ ବୃଦ୍ଧି ଘଟିଥିବା ଜଣା ଯାଇଛି । କରୋନା ବିପକ୍ଷ ଯୁଦ୍ଧ ମୁକାବିଲା ପାଇଁ ସାଧାରଣ ଜୀବନ ରକ୍ଷାର ଉପାୟ ଭାବେ ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତା ଏବଂ ପ୍ରକ୍ରିୟାଗତ ହାତ ଧୁଆକୁ କଡାକଡି ଅନୁପାଳନ କୁ ଗୁରୁତ୍ବ ଦିଆଯାଉଥିଲେ ମଧ୍ୟ ସ୍ଥଳ ବିଶେଷରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଅଛି ।ଏହାର ପ୍ରଭାବରେ କରୋନା ସଂକ୍ରମିତ ହଟ୍ ସ୍ପଟ୍ ଅଞ୍ଚଳରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ସଙ୍ଗରୋଧ କେନ୍ଦ୍ରରୁ ଡିଆଁ ମାରି ସମ୍ପ୍ରତି କରୋନା ବାହାରେ ଲମ୍ବଡ଼ିଆଁ ମାରୁଥିବା ଜଣାଯାଇଛି ।ଗଞ୍ଜାମ ଜିଲ୍ଲା କରୋନା ସଂକ୍ରମଣ ଧାରା ଅନୁସାରେ ସମସ୍ତ ଅଂଚଳରେ ପଯିଟିଭ୍ ଚିହ୍ନିତ ହୋଇଥିଲେ ମଧ୍ୟ ଅଦ୍ୟାବଧି ଦିଗପହଣ୍ଡି ଅଂଚଳରେ ଏହାର ଉପସ୍ଥିତି ବାରି ହୋଇନଥିଲା । କିନ୍ତୁ କାଲି ଆଜି ଦୁଇ ଦିନରେ ଏହି ଅଂଚଳରେ ୭ ଜଣଙ୍କ ଠାରେ ଭୁତାଣୁ ଠାବ ହୋଇଥିବା ରିପୋର୍ଟ ପ୍ରକାରେ ଅଞ୍ଚଳବାସୀଙ୍କ ମନରେ ସଂକ୍ରମଣ ଜନିତ ଅଜଣା ଭୟ ଗୁଞ୍ଜରିତ ହୋଇଥିବା ଲକ୍ଷ୍ଯ କରାଯାଇଛି ।ଅନ୍ୟ ପକ୍ଷରେ ଦିଗପହଣ୍ଡି ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଅବମାନନା କରି ବହୁ ବ୍ୟବସାୟିକ ଅନୁଷ୍ଠାନ,ଦୋକାନ ବଜାରରେ ସାମାଜିକ ଦୂରତାକୁ ଭ୍ରୁକ୍ଷେପ ନକରି ସଂକ୍ରମଣକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ପ୍ରକାରେ ଦିଗପହଣ୍ଡି ଥାନା ପକ୍ଷରୁ ବ୍ୟାପକ ଧରପଗଡ ଜାରି ରହିଛି ।ଥାନା ଅଧିକାରୀ ଶ୍ରୀ ବସନ୍ତ ସେଠୀଙ୍କ ତତ୍ତ୍ଵାବଧାନରେ ସ୍ଵତନ୍ତ୍ର ଷ୍ଟ୍ରାଇକିଂ ସ୍କୁାର୍ଡ ଆଜି ବସଷ୍ଟାଣ୍ଡ ,ବଜାର ,ପୁଂଜି କଇଁଆ ଛକ ଆଦି ପଇଁତରା ମାରି ବହୁ ଦୋକାନ ସିଲ୍ କରିଥିବା ଦେଖିବାକୁ ମିଳିଅଛି ।ଏହିକ୍ରମରେ ଅଞ୍ଚଳର ସୁଖ୍ୟାତ ଲୁଗା ଦୋକାନ ଶିବାମ୍ କଲେକ୍ସନ କୁ ସାମାଜିକ ଦୂରତା ଅବମାନନା କରି ୩୫ ଜଣ ଦୋକାନରେ ଥିବା କାରଣରୁ ଦୋକାନକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସିଲ୍ କରିଛନ୍ତି ।ଏହା ସହିତ ବହୁ ପରିବା ,ଗ୍ରୋସରି ଦୋକାନକୁ ଶେଷ ତାଗିଦା ଦେଇଛନ୍ତି ।ପରବର୍ତ୍ତୀ ସମୟରେ ଖିଲପି କଲେ ବିହିତ ପଦକ୍ଷେପ ପାଇଁ ଧମକ ଜାରି କରିଛନ୍ତି ।

ସନ୍ତୋଷ କୁମାର ଦାଶ ଙ୍କ ରିପୋର୍ଟ ।

LEAVE A REPLY

Please enter your comment!
Please enter your name here