ବ୍ରହ୍ମପୁର,୧୮/୦୮/୨୦୨୦(ବ୍ୟୁରୋ ରିପୋର୍ଟ)ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଆୟୁକ୍ୟୁଏସି ସେଲ ପ୍ରଯୋଜନାରେ, ଜାତୀୟ ଶିକ୍ଷା ନୀତି ୨୦୨୦ ସମନ୍ଧୀୟ ଏକ ଜାତୀୟ ସ୍ତରୀୟ ୱେବିନାର ଅନୁଷ୍ଠିତ ହୋଇ ଯାଇଅଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପାଠଚକ୍ରରେ ଅନଲାଇନ ଓ ଦୂର ନିରନ୍ତର ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ହରିୟାଣା ସ୍ଥିତ ଋଷହୂଡ଼ ବିଶ୍ୱବିଦ୍ୟାଳୟର କୁଳପତି ତଥା ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଅର୍ଥନୈତିଜ୍ଞ ପ୍ରଫେସର କମଳେସ ମିଶ୍ରଙ୍କ ସହ ପିପୁଲ ବିଶ୍ୱବିଦ୍ୟାଳୟର ଡିନ ରିସର୍ଚ୍ଚ ପ୍ରଫେସର ଦିନେଶ ରାଜୋରୀୟ ସଂମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସାରଗର୍ଭକ ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ। ‘କନସୋଟିୟମ ଅଫ ଗ୍ଲୋବାଲ ପ୍ରଫେସନାଲ ଇନ ଏଜୁକେସନ ମ୍ୟାନେଜମେଣ୍ଟ’ ର ଉପାଧକ୍ଷା ପ୍ରଫେସର ସୁରଭି ଆରୋରା ମୁଖ୍ୟ ଆଲୋଚକ ଭାବେ ଦେଇଥିଲେ।ପ୍ରଫେସର ଶ୍ରୀକାନ୍ତ ମହାପାତ୍ରଙ୍କ ମତରେ ଜାତୀୟ ଶିକ୍ଷା ନୀତିର ସଫଳ ମୂଲ୍ୟାୟନ ପ୍ରଯୁକ୍ତିବିଦ୍ୟା ଓ ଗବେଷଣା ପାଇଁ ଉତ୍ତମ ଭର୍ତ୍ତି ସଂରଚନା ଦ୍ୱାରା ସମ୍ଭବ ହୋଇପାରିବ। ପ୍ରଫେସର କମଳେଶ ମିଶ୍ର ଏହି ପରିପ୍ରେକ୍ଷୀରେ ଶିକ୍ଷାର ସ୍ତର ଓ ପାଠ୍ୟ ଖସଡ଼ା ବହୁମୁଖୀ କରିବା ଦ୍ୱାରା ଅଭିନବିକରଣ ଓ ସୃଜନଶୀଳତା ମାଧ୍ୟମରେ ଭାରତ ୨୦୪୦ ସୁଦ୍ଧା ବହୁମୁଖୀ ପ୍ରତିଭା ମାନଙ୍କ ଦେଶ ହୋଇପାରିବ ବୋଲି ମତପୋଷଣ କରି ଥିଲେ। ପ୍ରଫେସର ଦିନେଶ କୁମାର ରାଜୋରିୟା ଉଚ୍ଚଶିକ୍ଷାର ଢାଞ୍ଚାରେ ପରିବର୍ତ୍ତନ ପୂର୍ବରୁ ଉଚ୍ଚଶିକ୍ଷା ସଂସ୍ଥା ମାନଙ୍କର ଵିନ୍ୟାସରେ ପରିବର୍ତ୍ତନ ଅବସମ୍ଭାବି ବୋଲି ରେଖାପାତ କରିଥିଲେ। ପ୍ରଫେସର ସୁରଭି ଆରୋରାଙ୍କ ଦୃଷ୍ଟିରେ ଶିକ୍ଷା ମାର୍ଗରେ ଥିବା ପାଠ୍ୟସୂଚୀ ଓ ଶିଳ୍ପରେ ବିନିଯୋଗ ହେଉଥିବା କାର୍ଯ୍ୟକ୍ଷମ ଦକ୍ଷତା, ଜ୍ଞାନ ଓ ସାମର୍ଥ୍ୟ ମଧ୍ୟରେ ଥିବା ଅନ୍ତରାଳକୁ ଏହି ଶିକ୍ଷାନୀତି ନିଶ୍ଚିତ କରକରିବା। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ ବିଶ୍ୱବିଦ୍ୟାଳୟର ଭବିଷ୍ୟତର କାର୍ଯ୍ୟପନ୍ଥା ଓ ରୂପରେଖ ଉପରେ ଅଭିବ୍ୟକ୍ତି ପୋଷଣ କରିଥିଲେ। ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ଏହି ଜାତୀୟ ପାଠଚକ୍ରର ଆବାହକ ତଥାଆୟୁକ୍ୟୁଏସି ସେଲର ନିର୍ଦେଶକ ଡ଼ଃ ମୃତ୍ୟୁଞ୍ଜୟ ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସହ ଆବାହକ ତଥା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ଼ଃ ଶାରଦା ପ୍ରସାଦ ସାହୁ ସଭାକୁ ସମ୍ପୂର୍ଣ୍ଣ ଭାବେ ସଂଯୋଜନା କରିବା ସହ କାର୍ଯ୍ୟକ୍ରମର ବହୁବ୍ୟାପକତା ଓ ସଫଳ ରୂପାୟନ ଉପରେ ଧ୍ୟାନ ଆକର୍ଷଣ କରିଥିଲେ। ଏହି ୱେ ବିନାରର ଶୀର୍ଷକ ଜାତୀୟ ଶିକ୍ଷା ନୀତି ୨୦୨୦: ଉଚ୍ଚଶିକ୍ଷାର ଦିଗ କୁ ଦେଶବ୍ୟାପୀ ସମର୍ଥନ ମିଳିବା ସହିତ ଗବେଷକ, ଗବେସିକା, ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷା କ୍ଷେତ୍ରରେ ଥିବା ପ୍ରଶାସନିକ ଅଧିକାରୀ ଏବଂ ଉଚ୍ଚଶିକ୍ଷାରେ ଥିବା ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ପଞ୍ଜିକରଣ କରିଥିଲେ। ୱେବିନାରରେ ୧୨୫୭ ଜଣ ଅଂଶଗ୍ରହଣକାରୀ ଗୂଗୁଲ ମିଟ ଓ ଫେସବୁକ ମାଧ୍ୟମରେ ୱେବିନାରରେ ଅଂଶଗ୍ରହଣ କରିଥିଲେ। କୋଭିଡ୧୯ ସଙ୍କଟ ପରିପ୍ରେକ୍ଷୀରେ ଜାତୀୟ ଶିକ୍ଷା ନୀତି ଓ ସମ୍ପ୍ରସାରଣ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୂମିକା ଏବଂ ଏହାର ଭବିଷ୍ୟତ ରୂପରେଖ ଉପରେ ଏକ ସଂକ୍ଷିପ୍ତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନବଗଠିତ ଜାତୀୟ ଶିକ୍ଷା ନୀତି ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ସାମଗ୍ରିକ ପ୍ରତିଶ୍ରୁତି ବଦ୍ଧତା ହିଁ ଏହାର ସଫଳ ରୂପାୟନର ମୂଳମନ୍ତ୍ର। ପରିଶେଷରେ ଅଧ୍ୟାପିକା ଡ଼ଃ ଜୋସ୍ନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।