ରାଜପୂରରେ ଶ୍ରମିକ ଫେରନ୍ତା ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ । ଜଣେ ମୃତ ୧୫ ରୁ ଅଧିକ ଆହତ ୫ ଗୁରୁତର ।

0
412

ବ୍ରହ୍ମପୁର, ୨୩/୦୨/୨୦୨୧:ଏକ ଅଭାବନୀୟ ଦୁଃଖଦ ଘଟଣା କ୍ରମରେ ଆଜି ପାତ୍ରପୁର ବ୍ଲକ ଅନ୍ତର୍ଗତ ରାଜପୂର ଠାରେ ଏକ ଶ୍ରମିକ ଫେରନ୍ତା ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ଡାଲାରେ ବସିଥିବା ୧୫ ରୁ ଅଧିକ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ଜଣା ଯାଇଅଛି । ସମସ୍ତ ଆହତଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ଡାକ୍ତରଖାନାରେ ଭର୍ତି କରାଯାଇ ଆଶୁ ଚିକିତ୍ସାର ବ୍ୟବସ୍ଥା କରାଯାଇଅଛି । ଗୁରୁତର ଆହତଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଯାଇଥିବା ବେଳେ ମର୍ମନ୍ତୁଦ ଅବସ୍ଥାରେ ଥିବା ଜନୈକ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚିକିତ୍ସିତ ହେଉଥିବା ଅବସରରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।

ମିଳିଥିବା ସୂଚନା ପ୍ରକାରେ ଖରିଆଗୁଡ଼ା ଫାଣ୍ଡି ତଥା ଜରଡ଼ା ଥାନା ଅଞ୍ଚଳ ଜଗଦେବପୁର ଗ୍ରାମର ଶ୍ରମିକଙ୍କୁ ନେଇ ରାସ୍ତା କାମରେ ନିୟୋଜିତ କରୁଥିବା ସଂସ୍ଥା ଫେରନ୍ତା ଶ୍ରମିକଙ୍କୁ ଟ୍ରାକ୍ଟରରେ ନେଇ ଗ୍ରାମକୁ ପହଞ୍ଚାଇବା ବେଳେ ରାଜପୁର ଗ୍ରାମ ନିକଟ ବନ୍ଧ ବୁଲାଣିରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳତଃ ଟ୍ରାକ୍ଟର ଓଲଟିବାରୁ ଡ଼ାଲାରେ ବସିଥିବା ଉଭୟ ପୁରୁଷ ଓ ମହିଳା ଶ୍ରମିକ ଦୁର୍ଘଟଣାର ଶିକାର ହୋଇଥିଲେ । ସ୍ଥାନୀୟ ଅଧିବାସୀଙ୍କ ଦ୍ଵାରା ଆହତଙ୍କୁ ଉଦ୍ଧାର କରାଯିବା ସହ ଖବରପାଇ ସ୍ଥାନୀୟ ପୋଲିସ୍ ପହଞ୍ଚି ଗୁରୁତର ଆହତଙ୍କୁ ଆମ୍ବୁଲାନ୍ସରେ ଚିକିତ୍ସା ବ୍ୟବସ୍ଥା କରିଥିଲା । ସମସ୍ତ ଆହତ ଶ୍ରମିକ ଗୋଟିଏ ଗ୍ରାମର ହୋଇଥିବା ବେଳେ ମୃତା ମହିଳା ଶ୍ରମିକ ବନିତା ସାହୁ ସ୍ଵ – ଭୈର ସାହୁ ହୋଇଥିବା ଏବଂ ମୃତ ମହିଳା ଗରିବ ଶ୍ରେଣୀର ଜଣା ଯାଇଅଛି । ଗୁରୁତର ଶ୍ରମିକଙ୍କ ଚିକିତ୍ସା ଓ ମୃତା ମହିଳା ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦାବୀ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here