+୨ ଦ୍ଵିତୀୟ ବର୍ଷ ଛାତ୍ରଙ୍କ ବାଇକ ଧକ୍କାରେ +୨ ପ୍ରଥମ ବର୍ଷ ଛାତ୍ର ଗୁରୁତର

0
262

ବୁଗୁଡା,୦୩/୦୩/୨୦୨୧: ବୁଗୁଡା ପିପୁଲସ କଲେଜର ଉଚ୍ଚ ମାଧ୍ୟମିକ ବିଭାଗର +୨ ପ୍ରଥମ ବର୍ଷର ଛାତ୍ର ଖୋଳଖାଳି ଗ୍ରାମର ସୁରେନ୍ଦ୍ର ସାହାଣୀ ନିଜ ସାଇକେଲରେ କଲେଜକୁ ଯାଉଥିବା ବେଳେ ଗ୍ଲାସ ହାଉସ ନିକଟରେ +୨ ଦ୍ଵିତୀୟ ବର୍ଷର ଛାତ୍ର ବୁଗୁଡା ଏନଏସି ୬ ନମ୍ବର ୱାର୍ଡ଼ ବି.ଡ଼ି.ପୁରର ଯତୀନ ଦାଶ ଏକ ଆପାଚି ବାଇକ ଯୋଗେ କଲେଜ ଗଲାବେଳେ ସୁରେନ୍ଦ୍ର ଙ୍କ ସାଇକେଲକୁ ପଛରୁ ଧାକ୍କା ଦେଇଥିଲେ। ଉଭୟ ସୁରେନ୍ଦ୍ର ଓ ଯତୀନ ରାସ୍ତାରେ କଚାଡି ହୋଇ ପଡି ଆହତ ଅବସ୍ଥାରେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ବାଇକ ଚାଳକ ଛାତ୍ର ଯତୀନଙ୍କ ଅବସ୍ଥା ଟିକେ ଭଲ ଥିବା ବେଳେ ବାଇକ ଧାକ୍କା ହୋଇଥିବା ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଆହତ
ଛାତ୍ର ସୁରେନ୍ଦ୍ର ସାହାଣୀ ବାରମ୍ବାର ଚେତାଶୂନ୍ୟ ହେଉଥିବା ବେଳେ ବର୍ତ୍ତମାନ ବ୍ରହ୍ମପୁରରେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ହେଲେ ପ୍ରଶ୍ନ ଉଠୁଛି ଯୁକ୍ତ ଦୁଇରେ ପଢ଼ୁଥିବା ଛାତ୍ରଙ୍କୁ ତାଙ୍କ ଅଭିଭାବକ ବାଇକ ଚଳାଇବା ପାଇଁ ଦେଉଥିଲେ କିପରି ? ୧୮ ବର୍ଷ ପରେ ଅର୍ଥାତ ଜଣେ ଛାତ୍ର ଯୁକ୍ତ ତିନି ଶେଷ ବର୍ଷରେ ଅଧ୍ୟୟନ କରିବା ବେଳେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ବର୍ତ୍ତମାନର ପରିବହନ ବିଭାଗ ନିୟମ ପ୍ରକାରେ ଡ୍ରାଇଭିଙ୍ଗ ଲାଇସେନ୍ସ ନଥାଇ ନାବାଳକ ବାଇକ ଚଳାଇଲେ ଅଭିଭାବକ ବା ବାଇକ ମାଲିକ ବଡ ଧରଣର ଆର୍ଥିକ ଦଣ୍ଡ ଦେବାକୁ ପଡିବ।ଏହା ଜାଣି ମଧ୍ୟ ଅଭିଭାବକମାନେ ନିଜର ନାବାଳକ ଛୁଆମାନଙ୍କୁ ବାଇକ ଚଳାଇବା ପାଇଁ ପ୍ରଶୟ ଦେଉଛନ୍ତି। ଯାହା ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏଥି ପୂର୍ବରୁ ମଧ୍ୟ ତିନି ଜଣ ଯୁକ୍ତ ଦୁଇ ଛାତ୍ର ବାଇକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଅଭିଭାବକମାନେ ଚିନ୍ତା କରିବା ସମୟ ଆସିଛି। ଯଦି ନାବାଳକ ବାଇକ ଚାଳକ କୌଣସି ବ୍ୟକ୍ତିଙ୍କୁ ଧାକ୍କା ଦେବାଯୋଗୁଁ ଯଦି ସେହି ବ୍ୟକ୍ତିଙ୍କ ମୃତ୍ୟୁ ଘଟେ ତେବେ ସେମାନଙ୍କୁ ବୀମା କ୍ଷତି ପୂରଣ ମିଳିବ ନାହିଁ। ଯେଉଁ ଲକ୍ଷ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେବେ ତାହା ନିଜ ସମ୍ପତିରୁ ହିଁ ଦେବାକୁ ପଡିବ ଓ ନିଜ ଛୁଆର ଭବିଷ୍ୟତ ମଧ୍ୟ ଅନ୍ଧକାର ହୋଇପାରେ। ଏହି ବିଷୟ ନେଇ ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ବୃନ୍ଦ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ସଚେତନ କରାଇବା ପାଇଁ ପଦକ୍ଷେପ ଗ୍ରହଣ କରିବା ସହ ପୋଲିସ ବିଭାଗର ମଧ୍ୟ ଗୁରୁଦାୟିତ୍ୱ ରହିଛି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here