ବ୍ରହ୍ମପୁର,୨୭/୦୩/୨୦୨୧:ଉଭୟ କଳା ଓ କଳାକାର ହୀତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ପକ୍ଷରୁ କରୋନା କଟକଣା ପାଳନ ସହ ସ୍ଥାନୀୟ ବାଲାଜୀ ପେଣ୍ଠ ଗୌଡ଼ ସାହି ରାଧାକୃଷ୍ଣ ମନ୍ଦିର ପରିସରରେ ‘ବିଶ୍ଵ ନାଟ୍ୟ ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ସଂଘ ଉପଦେଷ୍ଟା ସୁବାସ ଚନ୍ଦ୍ର ସାହୁ ମାମା, ନୁପୁର ଅନୁଷ୍ଠାନ ଅଧ୍ୟକ୍ଷ ସତ୍ୟ ମହାରଣା, ବରିଷ୍ଠ ଚଳଚ୍ଚିତ୍ର ଅଭିନେତ୍ରୀ ଗୀତା ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ କଳାକାର ମାନେ କଳା ପ୍ରତି ନିଷ୍ଠାବାନ ସହ କଳାପ୍ରାଣ ଜୀବନ ବଞ୍ଚିବା ଓ ସମସ୍ତ ସବୁ ବର୍ଗ ତଥା ବିଭାଗର କଳାକାରମାନେ ଏକତାବଦ୍ଧ ହେବା ସାମ୍ପ୍ରତିକ କାଳର ଏକ ପ୍ରମୁଖ ଆହ୍ବାନ ବୋଲି ମତବ୍ୟକ୍ତ କରିଥିଲେ । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ କ୍ରମରେ ସଭିଙ୍କୁ ବିଶ୍ଵ ନାଟ୍ୟ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ ସହ କଳାକାରଙ୍କୁ ମଞ୍ଚ ଫେରେଇ ଦେବା ପାଇଁ ସରକାରଙ୍କ ଉଦ୍ଧେଶ୍ୟରେ ଆନୁଷ୍ଠାନିକ ପ୍ରାର୍ଥନା ଉପସ୍ଥାପନ କରିଥିଲେ । ସର୍ବଶ୍ରୀ ଟି. ତାରିଣୀ ରାଓ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, କିଶୋର କପୁର, ଲକ୍ଷ୍ମୀ ନାରାୟଣ ସାମଲ, ନୀଳ ମାଧବ ଜେନା, ବାପିନୀ ପାତ୍ର ପ୍ରମୁଖ ବହୁ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ବରିଷ୍ଠ କଳାକାର ଗାୟକ ଶିରୋମଣି ଭଗବାନ ପାତ୍ର ଓ ପ୍ରଦୀପ କୁମାର ସାହୁ ଦାସକାଠିଆ ଲୋକ ନୃତ୍ୟ ପରିବେଷଣ କରିଥିଲେ । ଅଞ୍ଚଳବାସୀଙ୍କ ନିମନ୍ତେ ଏହା ଅତ୍ୟନ୍ତ ଉପଭୋଗ୍ୟ ହୋଇଥିଲା । ପରିଶେଷରେ କୋଷାଧ୍ୟକ୍ଷ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।