ସାନଖେମୁଣ୍ଡି ,୨୭/୦୩/୨୦୨୧: ଛଣମେରୀ ପଞ୍ଚାୟତ ଅନ୍ତର୍ଗତ ଦ୍ଵିତୀୟ ଖଣ୍ଡଦେଉଳି ଗ୍ରାମ ଡମ ମଶାଣିରେ ସମ୍ପନ୍ନ ହୋଇଥିବା ମନରେଗା ଯୋଜନାରେ ବ୍ୟାପକ ଶ୍ରମ ହଡ଼ପ କାର୍ଯ୍ୟକ୍ରମ ନେଇ ଜିଲ୍ଲାପାଳ ଗଞ୍ଜାମଙ୍କ ଠାରେ ହିତାଧିକାରୀଙ୍କ ଅଭିଯୋଗ ପରେ ସାନଖେମୁଣ୍ଡି ବ୍ଲକ୍ ଉନ୍ନୟନ କାର୍ଯ୍ୟର କ୍ରିୟାଶୀଳତା ନେଇ ସଂଶୟ ସୃଷ୍ଟି କରିଅଛି । ବିନା ସୂଚନା ଫଳକ ଓ ବିନା କାର୍ଯ୍ୟାଦେଶ ଏବଂ ବିନା ଡି ଆର୍ ଡି ଏ ଅନୁମୋଦନରେ ବ୍ଲକ୍ ପକ୍ଷରୁ ଚାଲିଥିବା ଶହ ଶହ ଅଦୃଶ୍ୟ ଯୋଜନା ଭିତ୍ତିକ କାର୍ଯ୍ୟର ରୂପରେଖ ନେଇ ବୁଦ୍ଧିଜୀବି ମହଲରେ ସଂଶୟ ସୃଷ୍ଟି କରିଅଛି । ମନରେଗା ଅନ୍ତର୍ଗତ କାର୍ଯ୍ୟ ବିଶେଷରେ ପଞ୍ଚାୟତ ସ୍ତରରେ ଗ୍ରାମ ରୋଜଗାର ସେବକ , ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଦାୟିତ୍ଵ ନିର୍ବାହ କରୁଥିଲେ ମଧ୍ୟ ବ୍ଲକ୍ ବିଡ଼ିଓ ଓ ସହକାରୀ କାର୍ଯ୍ୟକ୍ରମ ଅଧିକାରୀଙ୍କ ଗୁରୁଦାୟିତ୍ଵ ରହିଅଛି । ଆବେଦନ କରିଥିବା ଶ୍ରମିକଙ୍କ କର୍ମନିଯୁକ୍ତି ଭିତ୍ତିରେ ଶ୍ରମ ଦିବସ ଅନୁଯାୟୀ ମଷ୍ଟର ରୋଲ୍ ସୃଷ୍ଟି ହେଉଥିବା ବେଳେ ଆପାତତଃ ଏଥିରେ ବ୍ୟାପକ ଅଦଳବଦଳ ହେବା , ନିଯୁକ୍ତ ଶ୍ରମିକଙ୍କ ବ୍ୟତୀତ ଅନ୍ୟ ଶ୍ରମିକଙ୍କୁ ମଜୁରୀ ମିଳିବା ନେଇ ସନ୍ଦେହ ଘନିଭୂତ ହୋଇଅଛି । ବହୁ ପଞ୍ଚାୟତରେ ଏହି ପ୍ରକାରର ଅଭିଯୋଗ ସାଧାରଣ ଘଟଣା ହୋଇଥିବା ବେଳେ ଅଞ୍ଚଳ ବୁଦ୍ଧିଜୀବି ତଥା ନିର୍ବାଚିତ ଜନପ୍ରତିନିଧିଙ୍କ ମୌନାବତାର ସମ୍ପ୍ରତି ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଅନ୍ୟ ସୂଚନା ଓ ଅନୁସନ୍ଧାନ କ୍ରମରେ ବ୍ଲକ ଅଧିନରେ କରାଯାଉଥିବା ମନରେଗା ଅନ୍ତର୍ଗତ ଉନ୍ନୟନ ମୂଳକ କାର୍ଯ୍ୟ ବିଶେଷରେ ରାଜ୍ୟ ଅର୍ଥ କମିଶନ ଓ କେନ୍ଦ୍ରୀୟ ଅର୍ଥ କମିଶନ ପାଣ୍ଠିକୁ ଉପଯୋଗିତା କରାଇ ଦିନ ଦହାଡରେ ଅସଂଖ୍ୟ ଟ୍ରାକ୍ଟର ଓ ଜେସିବୀ ଲଗାଇ କାମ କରାଯାଉଥିବା ନିତିଦିନିଆ ହୋଇଅଛି । ମନରେଗା କାର୍ଯ୍ୟରେ ଶ୍ରମ ନିଯୁକ୍ତିକୁ ଆଖି ଠାର କରାଇବାକୁ ରାଜ୍ୟ ଅନୁଦାନର ମିଶ୍ରଣ କରାଇ ପରୋକ୍ଷରେ ଶ୍ରମ ନିଯୁକ୍ତିକୁ ହଡ଼ପ କରୁଥିବା ଦେଖିବାକୁ ମିଳୁଛି । ବିନା ଶ୍ରମିକ ନିୟୋଜନରେ ଶ୍ରମ ଦିବସ ସୃଷ୍ଟି କରାଇବା ସାଧାରଣ ଘଟଣା ହୋଇଅଛି । ଏହି ପରିପ୍ରେକ୍ଷୀରେ ଆଜି ଖବର ସଂଗ୍ରହ ସମୟରେ କଂସାମାରୀ ପଞ୍ଚାୟତ କଂଶାମାରି ପିଲାଖାଇ ବନ୍ଧ ପଙ୍କୋଦ୍ଧାର କାର୍ଯ୍ୟରେ ବିନା କୁଶଳୀ ଅର୍ଦ୍ଧ କୁଶଳୀ ଶ୍ରମିକ ନୀୟୋଜନରେ ଟ୍ରାକ୍ଟର ଓ ଜେସୀବି ଦ୍ଵାରା ପଙ୍କ। ଓ ମାଟି ଉଦ୍ଧାର କରାଯାଇ ସନ୍ନିକଟ ମନରେଗା ରାସ୍ତା ନିର୍ମାଣ କରାଉଥିବା ଦେଖିବାକୁ ମିଳିଅଛି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତରେ ୨୦୧୯ – ୨୦ ଆର୍ଥିକ ବର୍ଷର ଅନୁଦାନ ଲେଖାଥିବା ସୂଚନା ଫଳକ ତଥ୍ୟ ଅନୁସାରେ ଏହି କାର୍ଯ୍ୟକୁ ପଞ୍ଚାୟତ ନିର୍ବାହ କରୁଅଛି । ଦଶ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ କରାଯାଉଥିବା ଏହି ଉନ୍ନୟନ ମୂଳକ କାର୍ଯ୍ୟରେ ଯାନ୍ତ୍ରିକ ଉପାୟରେ ମାଟି ଉଠାଯାଇ ନିକଟରେ ଚାଲିଥିବା ଅନ୍ୟ ଏକ ମନରେଗା ରାସ୍ତାରେ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି । ପିଲଖାଇ ବନ୍ଧଠାରୁ ଖଣ୍ଡଦେଉଳି ଫାୟାର ଷ୍ଟେସନ ପାଖ କଂକ୍ରିଟ ରାସ୍ତାକୁ ସଂଯୋଗ କରାଯିବାକୁ ଥିବା ଏହି ନିର୍ମାଣାଧୀନ ରାସ୍ତା ସମନ୍ଧରେ କୌଣସି ତଥ୍ୟ ନଥିଲା ବେଳେ ନବ ନିର୍ମିତ କଲଭର୍ଟକୁ ଉଭୟ ପାର୍ଶ୍ଵ ସଂଯୋଗିକରଣ ପାଇଁ ଏହି ନିକୃଷ୍ଟ ଧରଣର କର୍ଦ୍ଧମ ବିଛା ଯାଇଅଛି । ଗୋଟିଏ ପ୍ରକଳ୍ପର ଅବ୍ୟବହୃତ ମାଟିକୁ ଅନ୍ୟ ଏକ ପ୍ରକଳ୍ପ କାର୍ଯ୍ୟରେ ବ୍ୟବହାର କରାଯିବା ନେଇ ଅଞ୍ଚଳ ବିକାଶ ସନ୍ଦିହାନ ହୋଇଥିବା ଆଲୋଚିତ ହେଉଅଛି ।
ସନ୍ତୋଷ କୁମାର ଦାଶ ।