ହୋଲିପର୍ବକୁ ନିଆରା ଢଙ୍ଗରେ ପାଳିଲା ଟିମ କ୍ଲିନ ସିଟି।

0
241

ବ୍ରହ୍ମପୁର,୨୯/୦୩/୨୦୨୧-: ରଙ୍ଗର ପର୍ବ ହୋଲି। ଆଜିର ଦିନକୁ କିଏ କେମିତି ପାଳିଛନ୍ତି। ହେଲେ ପୂର୍ବ ବର୍ଷ ଗୁଡିକ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଚଳିତ ବର୍ଷର ହୋଲି। ସେପଟେ କରୋନାର ଦିତୀୟ ଲହରରେ ସଂକ୍ରମଣକୁ ଚେକ ଦେବାକୁ ଯାଇ ସର୍ବସାଧାରଣରେ ହୋଲି ଖେଳିବା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ସରକାରଙ୍କ କଟକଣାକୁ ପାଳନ କରି ଅନ୍ୟମାନଙ୍କ ପାଇଁ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି। ସଦସ୍ୟମାନେ ହୋଲି ନଖେଳି ବରଂ ଆଜିର ଦିନର ମହତ୍ୱକୁ ସାଉଁଟିବାକୁ ଚେଷ୍ଟା କରିଥିଲେ। ଆଜି ରଙ୍ଗର ପର୍ବ ହୋଲି, ହେଲେ ଇତିହାସର ପୃଷ୍ଠାରେ ଆଜିର ଦିନର ତାତ୍ପର୍ଯ୍ୟ ଭିନ୍ନ ଓ ସ୍ମରଣୀୟ ମଧ୍ୟ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଗସ୍ତର ଆଜି ଶହେ ବର୍ଷ ପୂର୍ତ୍ତି ହୋଇଛି। ଆଜିର ଦିନରେ ୧୯୨୧ ମସିହାରେ ବାପୁ ବ୍ରହ୍ମପୁର ଆସି ରାତ୍ରିଯାପନ କରିବା ସହ ବାରାକ୍ସ ପଡିଆରେ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ। ଉକ୍ତ ସଭାରେ ଗୋପବନ୍ଧୁ ଦାସ ମଧ୍ୟ ଉପସ୍ଥିତ ଥିଲେ। ଏହି ଦିନକୁ ସ୍ମରଣ କରି ଟିମ ସଦସ୍ୟମାନେ ପ୍ରଥମେ ଗିରିରୋଡ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଗାନ୍ଧିଛକ ସ୍ଥିତ ମହାତ୍ମା ଗାନ୍ଧୀ ଓ ମଧୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେହିଭଳି ୧୯୪୩ ମସିହାରେ ଆଜିର ଦିନରେ ମହାନ ଆଦିବାସୀ ସଂଗ୍ରାମୀ ନେତା ସହୀଦ ଲକ୍ଷ୍ମଣ ନାୟକଙ୍କୁ ଇଂରେଜ ସରକାର ବ୍ରହ୍ମପୁର ଜେଲରେ ଫାଶୀ ଖୁଣ୍ଟରେ ଝୁଲାଇଥିଲେ। ଆଜିର ଦିନ ଏକ କଳା ଦିନ ହୋଇଥିବା ବେଳେ ଆଜିର ଦିନରେ ବ୍ରହ୍ମପୁର ହିଲପଟଣା ଏବଂ ଜେଲ ପରିସରରେ ଥିବା ସହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତିଚାରଣ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଟିମର ବହୁ ସଦସ୍ୟ ସକ୍ରିୟ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here