ପ୍ରଶାସନିକ ଦାଓପେଞ୍ଚରେ ଅତିଷ୍ଠ ନିର୍ବାଚିତ ଜନପ୍ରତିନିଧି । ବିଜେଡିରୁ ଇସ୍ତଫା ଦେବା ମସୁଧାରେ ଆଡ଼ପଡ଼ା ସରପଞ୍ଚ ନୀଳମାଧବ ରାଉତ ।

0
181

ବ୍ରହ୍ମପୁର,୦୩/୦୫/୨୦୨୧: ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ତଥା ବିଜେଡି ଗଡ ଭାବରେ ପରିଚିତ ଗଞ୍ଜାମ ଜିଲ୍ଲାରେ ସମ୍ପ୍ରତି ଶାସକଦଳର ପତିଆରା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଗୋଟିଏ ବିଧାନସଭା ଆସନକୁ ଛାଡ଼ିଦେଲେ ସମସ୍ତ ବିଧାନସଭା ଓ ଲୋକସଭା ଆସନରେ ଦଳୀୟପ୍ରାର୍ଥି ବିଜୟ ହୋଇଥିଲା ବେଳେ ପ୍ରାୟ ସମସ୍ତ ସମିତି ଓ ଜିଲ୍ଲାପରିଷଦକୁ ମଧ୍ୟ ଶାସକଦଳ ନିଜ କବଜାରେ ରଖିଅଛି । ଏତଦ୍ ବ୍ୟତୀତ ଜିଲ୍ଲାରେ ଥିବା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମୁନିସିପାଲିଟି ମଧ୍ୟ ଶାସକ ବିଜେଡି ଦଳ ନିୟନ୍ତ୍ରଣରେ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବାଚସ୍ପତି ଏବଂ ଜଣେ କେବିନେଟ୍ ମନ୍ତ୍ରୀ ଗଞ୍ଜାମ ଜିଲ୍ଲାରୁ ମନୋନୀତ ହୋଇଛନ୍ତି । ରାଜ୍ୟ ବିଜେଡି ରାଜନୀତିରେ ସମ୍ପ୍ରତି ଗଞ୍ଜାମ ଜିଲ୍ଲା ହଟସ୍ପଟ୍ ହୋଇ ଓଡ଼ିଶା ପାଇଁ ବିଜେଡିର ପ୍ରୟୋଗଶାଳା ଥିଲେ ମଧ୍ୟ ଏଠାରେ ପ୍ରଶାସନିକ ଅଧିକାରୀଙ୍କୁ ଅଲିଖିତ ଫତୁଆ ମାଧ୍ୟମରେ ନିରଙ୍କୁଶ କ୍ଷମତା ପ୍ରଦାନ କରାଯାଇଥିବାରୁ ଜିଲ୍ଲାର ନିର୍ବାଚିତ ଜନ ପ୍ରତିନିଧିଙ୍କ ମହତ୍ୱକୁ ପ୍ରଶାସନ ଅଣଦେଖା କରୁଥିବା ନେଇ ବହୁ ନଜିର ରହିଅଛି । ଗଞ୍ଜାମ ଜିଲ୍ଲାରେ ପ୍ରଜାତନ୍ତ୍ର ବଦଳରେ ପ୍ରଶାସନିକ ତନ୍ତ୍ରର ସଫଳ ରୂପାୟନ ହେଉଥିବା ଏବଂ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନେ କେବଳ ନିଜେ ନିଜ ଅଭିନୟ କରୁଥିବା ନେଇ ବହୁ ତୃଣମୂଳ ବିଜେଡି ନେତୃବୃନ୍ଦ କ୍ଷୋଭପ୍ରକାଶ କରୁଥିବା ବେଳେ ଦଳର ଅବକ୍ଷୟମୁଖି ଭାବଧାରାକୁ ନେଇ ସନ୍ତାପରେ ଥିବା ପ୍ରତିକ୍ରିୟା ରଖିଛନ୍ତି । ଦଳୀୟ ଶୃଙ୍ଖଳା ଆଳରେ ଏକତରଫା ପଦକ୍ଷେପକୁ ଦ୍ୱାହୀଦେଇ ନିଜ ପରିଚୟକୁ ଗୁପ୍ତ ରଖିବା ସର୍ତ୍ତରେ ନିଜ ନିଜ ପ୍ରତିକ୍ରିୟାରେ ଜିଲାର ଦଳୀୟ ଭିତ୍ତିଭୂମୀରେ ପ୍ରଶାସନିକ ରାଜକୁ ସମାଲୋଚନା କରିବା ସହିତ ଆସନ୍ତା ଦିନରେ ଏହାକୁ ନେଇ ରାଜ୍ୟ ନେତୃତ୍ୱ କିଛି ବ୍ୟବସ୍ତା ନ କଲେ ଫଳଘର ଶୁନ ହେବା ନେଇ ବ୍ୟଥିତ ଥିବା ପ୍ରକାଶ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଜେଡିର ଜନୈକ ତୁଙ୍ଗ କାର୍ଯ୍ୟକର୍ତ୍ତା ଏବଂ ଜଣେ ଧୁରୀଣ ଯୁବ ନେତୃତ୍ବ ଭାବେ ଜଣାଶୁଣା ସାନଖେମୁଣ୍ଡି ବ୍ଲକ୍ ଆଡପଡ଼ା ସରପଞ୍ଚ ଶ୍ରୀ ନୀଳମାଧବ ରାଉତ ସାମ୍ପ୍ରତିକ ପ୍ରଶାସନିକ ଦାଓପେଞ୍ଚରେ ଅତିଷ୍ଠ ହୋଇ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ନେଇ ଅନୌପଚାରିକ ଘୋଷଣା କରିବା ସାନଖେମୁଣ୍ଡି ବିଜେଡିର ସ୍ଥିତାବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଅଛି । ଜଣେ ନିର୍ବିବାଦୀୟ ଶାସକଦଳ ଯୁବନେତା ହିସାବରେ ନିର୍ବାଚନ ମଣ୍ଡଳୀର ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସୁ ପ୍ରତିପାଦିତ କରି ଦଳୀୟ ସ୍ପର୍ଶକାତର ଆଡ଼ପଡ଼ା ପଞ୍ଚାୟତର ସରପଞ୍ଚ ଭାବରେ ନିର୍ବାଚିତ ହେବା , ନିଜ କାର୍ଯ୍ୟକାଳ ମଧ୍ୟରେ ବିକାଶ ମୂଳକ କାର୍ଯ୍ୟକ୍ରମ ପରିଚାଳନା କାରଣରୁ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବରେ ଦୁଇ ଦୁଇ ଥର ରାଷ୍ଟ୍ରୀୟ ପୁରସ୍କାର ପାଇଁ ମନୋନୀତ କରିବାରେ ନିଜ ଭୂମିକାକୁ ନେଇ ସନ୍ଦିହାନ ଥିବା ପ୍ରକାଶ କରିବା ସହ ନିଜ ପଞ୍ଚାୟତର ଉନ୍ନୟନ ମୂଳକ ଓ ସମାଜ ମଙ୍ଗଳ କାର୍ଯ୍ୟଧାରାରେ ଅମୂଳକ ପ୍ରଶାସନିକ ଚାପକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଏଥିନେଇ ସ୍ଥାନୀୟ ବିଜେଡି ମଙ୍ଗୁଆଳ ଥିବା ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଜେଡି କର୍ମୀ ଓ ନିର୍ବାଚିତ ଜନ ପ୍ରତିନିଧି ମଣ୍ଡଳୀ ପ୍ରଶାସନିକ ଅଣଦେଖାରେ ଅତିଷ୍ଠ ଥିବା ଏବଂ ଏହାକୁ ନେଇ ଆସନ୍ତା ଦିନରେ କିଛି ନୂତନ ଘଟଣାକୁ ନେଇ ଅଞ୍ଚଳବାସୀ ଅନୁମାନ କରୁଥିବା ଲକ୍ଷ କରାଯାଉଅଛି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here