ପୋଲସରାରେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କୋର୍ଟ ଉଦଘାଟିତ ।

0
126

ପୋଲସରା,୦୧/୦୭/୨୦୨୧ : ଜୁଲାଇ ୦୧ ତାରିଖ ଗୁରୁବାର ଦିନ ପୋଲସରା ବ୍ଲକ ପରିସରରେ ବହୁ ପ୍ରତୀକ୍ଷିତ କନିଷ୍ଠ ଦେଓ୍ବାନି ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟକୁ ଓଡ଼ିଶାର ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ମାନ୍ୟବର ଡ଼.ଏସ୍ ମୁରଲୀଧର ଭର୍ଚୁଆଲ ମୋଡ଼ରେ ରହି ଉଦଘାଟନ କରିଥିଲେ। ମାନ୍ୟବର ପ୍ରଧାନ ବିଚାରପତିଙ୍କ ସହ ମାନ୍ୟବର ବିଚାରପତି ବିଶ୍ଵଜିତ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ପୋଲସରା କୋର୍ଟ ଉଦଘାଟନ ବେଳେ କୋଦଳା ଅଦାଲତର ଅତିରିକ୍ତ ଜିଲ୍ଲାଜର୍ଜ ଡ଼. ମୁନ୍ ରାଣୀ ମିଶ୍ର, ବ୍ରହ୍ମପୁର ଜିଲ୍ଲାଜର୍ଜ କୋର୍ଟ ରେଜିଷ୍ଟାର ଅମରେଶ ନାୟକ, ସିନିୟର ସିଭିଲ ଜର୍ଜ ତଥା ଆସିଷ୍ଟାଣ୍ଡ ସେସନ୍ସ ଜର୍ଜ ସଦ୍ୟସନତା ପତି, କୋଦଳା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁକନ୍ୟା ଶତପଥୀ, ପୋଲସରା କନିଷ୍ଠ ଦେୱାନି ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟର ବିଚାରପତି ଦୀପ୍ତିମୟୀ, ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ପୋଲସରା ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ସାହୁ, ସମ୍ପାଦକ ବଜେନ୍ଦ୍ର କୁମାର ସାହୁ, ପୁରୁଷୋତ୍ତୋମପୁର ଏଡିପିଓ ସୂର୍ଯ୍ୟମଣୀ ପ୍ରଧାନ, ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଦିଲ୍ଲୀପ କୁମାର ନାୟକ, ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ,ପୋଲସରା ବ୍ଲକ ଉପାଧ୍ୟକ୍ଷ ସଂଯୁକ୍ତା ବାଡ଼ତ୍ୟା ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମ ଉପଲକ୍ଷେ ପୋଲସରା ଓକିଲ ସଂଘ ସଭାପତି ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀ ସାହୁ ଯୋଗଦେଇଥିବା ବେଳେ ଏସଡିପିଓ, ବିଡ଼ିଓ, ତହସିଲଦାର, ଆଇଆଇସି, ବ୍ଲକ ଉପାଧ୍ୟକ୍ଷା , ଓକିଲ ସଂଘ ସଂପାଦକ, ଉପସଭାପତି କବିରାଜ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ୨୦୦୯ ମସିହାରେ ପୋଲସରା ନାଗରିକ ମଞ୍ଚର ସଭାପତି ପୁର୍ଣ୍ଣଚନ୍ଦ୍ର ମିଶ୍ର, ସଂପାଦକ ମାନସ ରଞ୍ଜନ ତ୍ରିପାଠୀ ଓ ଅନ୍ୟ ସଦସ୍ୟଙ୍କ ସହଯୋଗରେ ପୋଲସରାରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟ ପ୍ରତିଷ୍ଠା କରିବା ପାଇଁ ଦାବି ହୋଇଥିଲା । ତାହାପର ଠାରୁ ପୋଲସରା ଅଞ୍ଚଳର ଓକିଲମାନେ ପୋଲସରାରେ ବିଚାରବିଭାଗୀୟ ଅଦାଲତ ପ୍ରତିଷ୍ଠା ପାଇଁ ଦାବିକରିବା ସହ ଆନ୍ତରିକ ଉଦ୍ୟମ ଜାରି ରଖିଥିଲେ। ପରିଶେଷରେ ଆଜି ଦୀର୍ଘ ଦିନର ଉଦ୍ୟମ ସଫଳ ହେବାସହ ପୋଲସରାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ଉଦଘାଟନ ହେଲା। ପ୍ରଥମେ ପୋଲସରା କନିଷ୍ଠ ଦେୱାନି ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟର ବିଚାରପତି ଦିପ୍ତୀମୟୀ ମହୋଦୟାଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳିତ କରାଯାଇ କୋର୍ଟ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା । କୋର୍ଟ ଉଦଘାଟନ ହୋଇଥିବା ଯୋଗୁଁ ପୋଲସରା ଅଞ୍ଚଳର ସମସ୍ତ ଓକିଲ, ବୁଦ୍ଧିଜୀବୀ ଓ ସଚେତନ ନାଗରିକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here