ବୁଗୁଡା, ୨୭/୦୭/୨୦୨୧: ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବ୍ଲକର ମାଣିତରା ଗ୍ରାମରେ ଶତାଧିକ ବିଜେପି କର୍ମୀ ଓ ସମର୍ଥକ ବିଜେପି ତ୍ୟାଗ କରି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବିଜୁ ଜନତା ଦଳରେ ଯୋଗଦେଇଥିବା ଜଣାପଡିଛି। ମାଣିତରା ଗ୍ରାମ ପଞ୍ଚାୟତରେ ଗତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟା ପାଇଁ ପ୍ରତିଦ୍ବନ୍ଦିତା କରିଥିବା ପ୍ରାର୍ଥୀନୀଙ୍କ ସ୍ୱାମୀ ବିଜେପି ନେତା ଦେବେନ୍ଦ୍ର କୁମାର ଜେନା(ପିଙ୍କୁ)ଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ ସମର୍ଥକ ଜୁଲାଇ ୨୬ ତାରିଖ ଦିନ ବିଜେଡ଼ିରେ ଯୋଗଦେଇ ଥିଲେ। ମାଣିତରା ବଡଦାଣ୍ଡରେ ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଅତିଥି ଭାବେ ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇଥିଲେ। ବିଧାୟକ ଶ୍ରୀ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଜେଡିର ଗ୍ରହଣ କରାଯାଇଥିବା ଘୋଷଣା କରିଥିଲେ। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ମାଣିତରା ସମିତି ସଭ୍ୟା ସୁଜାତା କୁମାରୀ ପ୍ରଧାନ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ବିଧାୟକଙ୍କ ପ୍ରତିନିଧି କେ.ତ୍ରିଲୋଚନ ଦୋରା, ବିଜେଡି କାର୍ଯ୍ୟକାରୀ ସଭାପତି ଖଦାଳ ଖଟେଇ, ହର ପ୍ରସାଦ ମହାପାତ୍ରଙ୍କ ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ବହୁ ଆଗଧାଡ଼ିର ବିଜେଡି ନେତା ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା